ବ୍ରହ୍ମପୁର ମେଡ଼ିକାଲରେ ୧୦ କର୍ମଚାରୀ କରୋନା ଚିହ୍ନଟ
ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ବଡ଼ମେଡ଼ିକାଲରେ କରୋନା । ଏକାଥରକେ ୧୦ ଷ୍ଟାପ ପଜିଟିଭ ଚିହ୍ନଟ ହୋଇଥିବା କୁହାଯାଇଛି । ତେବେ ବିଧିବଦ୍ଧଭାବେ ଏନେଇ ପ୍ରଶାସନ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଛ’ଣ ଷ୍ଟାପନର୍ସ, ଦୁଇ ଆନେଥେସିଆ ଡାକ୍ତର ଏବଂ ଅନ୍ୟ ଦୁଇ ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ସ୍ୱାବ ପୂର୍ବରୁ ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ରିପୋର୍ଟ ପଜିଟିଭ ଆସିବା ପରେ ଅଧିକ ସଂକ୍ରମଣ ଆଶଙ୍କାରେ ଆଜି ରାତିରେ ପ୍ରସୂତି ବିଭାଗର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ତେବେ ଏନେଇ ପ୍ରଶାସନ ଅଥବା ବଡ଼ମେଡ଼ିକାଲ କର୍ତ୍ତୃପକ୍ଷ କିଛି ପ୍ରକାଶ କରିନାହାନ୍ତି । ଏପରିକି ବଡ଼ମେଡ଼ିକାଲ ଷ୍ଟାପଙ୍କୁ ସଂକ୍ରମଣକୁ ନେଇ ଡାକ୍ତର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ସିଟି ହସ୍ପିଟାଲର କେତେକ ଷ୍ଟାପ ସଂକ୍ରମିତ ହୋଇଥିଲେ । ଅନ୍ୟପକ୍ଷେ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଉଦ୍ବେଗଜନ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂକ୍ରମଣ ହୋଇନଥିବା କୁହାଯାଉଥିବା ବେଳେ ବ୍ରହ୍ମପୁର ଜେଲ୍ ମଧ୍ୟରେ ଦୁଇ ଜଣ ବନ୍ଦୀଙ୍କ ନମୁନା ରିପୋର୍ଟ ପଜିଟିଭ୍ ଆସିଛି । ଆଜି ଓ ଗତକାଲି ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।


