ବ୍ଲକ ଅଧ୍ୟକ୍ଷଙ୍କ ଘାଘରାଡିହା ବନ୍ୟାଚଂଳ ପରିଦର୍ଶନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଘରା ପଂଚାୟତର ଘାଘରାଡିହା ବନ୍ୟା ପ୍ଲାବିତ ଅଚଂଳକୁ ଶନିବାର ପରିଦର୍ଶନ କରିଥିବା ଜଣାପଡିଛି । ଅଧ୍ୟକ୍ଷ ଶ୍ରୀ ଧଳ ଘାଘରାଡିହାର ୱାର୍ଡ ନମ୍ବର -୧, ବଡ ଘାଘରା ଗ୍ରାମର ୱାର୍ଡ ନମ୍ବର -୨ ଓ ୪ ଏବଂ କୁଦ ହରିଜନସାହି ୱାର୍ଡ ନମ୍ବର – ୩ ବୁଲି ଦେଖିଥିଲେ । ଏହି ୪ଟି ୱାର୍ଡର ପ୍ରାୟ ୩ଶହ ଚାଳଘର,୨ଶହରୁ ଉର୍ଦ୍ଧ୍ୱ ଗୁହାଳଘରେ ବନ୍ୟା ପାଣି ପଶିଥିବାର ଦେଖାଯାଇଛି । ପାଣି ପଶି ଯାଇଥିବା ଗୃହ ଗୁଡିକର ଲୋକମାନେ ବୀରୂପା ନଦୀବନ୍ଧ ଉପରେ ଆଶ୍ରୟ ନେଇଥିବା ବେଳେ ଗାଇ,ବଳଦ,ଛେଳି,ମେଣ୍ଢା ପ୍ରଭୃତି ମଧ୍ୟ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଥିବା ଦେଖାଯାଇଛି । ସେହି ବନ୍ୟାଚଂଳର ଗ୍ରାମରେ ପହଁଚି ଅଧ୍ୟକ୍ଷ ଶ୍ରୀ ଧଳ ବିପନ୍ନ ଲୋକମାନଙ୍କ ସହିତ ବନ୍ୟାସମ୍ପର୍କରେ ଆଲୋଚନା କରିଛନ୍ତି । ସେଠାରେ ଉପସ୍ଥିତ ଥିବା ବିଡିଓ ସୁଧିର କୁମାର ସିଂ ଓ ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରାଙ୍କୁ ବନ୍ୟା ବିପନ୍ନମାନଙ୍କୁ ତୁରନ୍ତ ଯାତାୟତ ନିମନ୍ତେ ଡଙ୍ଗା,ଶୁଖିଲା ଖାଦ୍ୟ,ପାଲ ଓ ଗୋଖାଦ୍ୟ ପ୍ରଭୃତି ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ । ଏଥିସହିତ ଏସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ମଧ୍ୟ ସମସ୍ତ କଥା ଅବଗତ କରାଇଥିଲେ । ସେହି ବନ୍ୟାସ୍ଥଳରୁ ଅଧ୍ୟକ୍ଷ ଶ୍ରୀ ଧଳ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ବନ୍ୟା ବିପନ୍ନଙ୍କ ଅବସ୍ଥା ସମ୍ପର୍କରେ ଟେଲିଫୋନ ମାଧ୍ୟମରେ ଜଣାଇବା ସହ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆଙ୍କ ସହ କଥା ହୋଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି । ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଜନସାଧାରଣଙ୍କୁ ଧର୍ଯ୍ୟ ରଖିବାକୁ ଆଶ୍ୱାସନ ଦେବା ସହିତ ପ୍ରଶାସନିକ ସ୍ତରରେ ସମସ୍ତ ସୁବିଧା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଅଧ୍ୟକ୍ଷ ଶ୍ରୀ ଧଳ ନିଳକଣ୍ଠପୁର ଠାରୁ ନଦୀ ବନ୍ଧରେ କେଶପୁର, ଚନ୍ଦନପୁର, ଘାଘରା, ଚାରିଗାଁ, ଧୁମାତ ଓ ଇନ୍ଦୁପୁର ପ୍ରଭୃତି ପଂଚାୟତର ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କ ସହିତ ବନ୍ୟା ପାଣିରେ ଚାଷଜମିର କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ସହିତ ଭରତପୁର ପଂଚାୟତର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ, ଇନ୍ଦୁପୁର ସମିତିସଭ୍ୟ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତଥିଲେ ।