ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କ ଅଚାନକ ପରିଦର୍ଶନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ସ୍ୱାଧୀନତାର ୭୨ ବର୍ଷ ପରେବି ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ସହରତଳି ଅଚଂଳରେ । ଯେଉଁଠି ଶିକ୍ଷାରୁ ଉପେକ୍ଷିତ ଓ ସ୍ୱାସ୍ଥ୍ୟସେବା ସେମାନଙ୍କ ପାଇଁ ଅପହଁଚ ହୋଇପଡିଛି । ରାଜ୍ୟର ୨ୟ ନଗଡା କହିଲେ ଅତ୍ୟୁକ୍ତି ହେବ ନି । ରାଜ୍ୟ ସରକାର ସାରାରାଜ୍ୟରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ସଦର ମହକୂମା ଠାରୁ ଅନତିଦୂରରେ ଥିବା ଅନୁସୂଚିତ ଜନଜାତିବସ୍ତିରେ ତାହାର ସ୍ପଷ୍ଟ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଶିକ୍ଷା କଥା ଛାଡ ନା ଅଛି ସ୍ୱାସ୍ଥ୍ୟ ସେବା, ନା ପାନୀୟ ଜଳର ସୁବିଧା । ଧାନଜମି ହିଡ ହେଉଛି ସେମାନଙ୍କ ପାଇଁ ସବୁଦିନିଆ ରାସ୍ତା । ପୁଣି ଜଣେ ବ୍ୟକ୍ତିଗତ ଲୋକର ପୋଖରୀ ହୁଡା ଦେଇ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବର୍ଷା ଦିନେ ପ୍ରାୟ ଅଧ କିଲୋମିଟର ରାସ୍ତା ସାଇକେଲ କାନ୍ଧରେ ବୋହି ନେବାକୁ ପଡିଥାଏ । ରାସ୍ତା ନ ଥିବାରୁ ବିପଦ ଓ ଜରୁରୀ କାଳୀନ ଗାଡି ଯିବାତ ଦୂରର କଥା ସେହି ବସ୍ତିକୁ ଯାଇ ପାରେ ନା ଦୁଇ ଚକିଆ ଯାନଟିଏ । ଏହି ଘଟଣା ମାଲକାନାଗିରି କିମ୍ବା କଳାହାଣ୍ଡି ,କୋରାପୁଟ ଭଳି ଦୁର୍ଗମ ଅଂଚଳ ନୁହେଁ । ଜିଲ୍ଲା ସଦରମହକୁମାର ମାତ୍ର ୪ କିଲୋମିଟର ଦୂରତାରେ ଅବସ୍ଥିତ କେନ୍ଦ୍ରାପଡା ବ୍ଲକ ଅର୍ନ୍ତଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ୫ନମ୍ବର (କ) ଜାତୀୟ ରାଜପଥ କଡରେ ଥିବା ପଥରଗଡା ମୁଣ୍ଡା ସାହି ବସ୍ତି । ଏଠି ବସବାସ କରୁଥିବା ପ୍ରାୟ ୨୦ଟି ମୁଣ୍ଡା (ଅନୁସୂଚିତ ଜନଜାତି) ପରିବାରଙ୍କ ନିମନ୍ତେ ଅପହଁଚ ହୋଇପଡିଛି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା । ବସ୍ତି ଠାରୁ ପାଖ ବିଦ୍ୟାଳୟ ଓ ଅଙ୍ଗନ ୱାଡି କେନ୍ଦ୍ରର ଦୂରତା ପ୍ରାୟ ୧ କିଲୋମିଟର । ବିଦ୍ୟାଳୟକୁ ସବୁଦିନିଆ ରାସ୍ତା ନ ଥିବାରୁ ବର୍ଷା ୪ ମାସ ଯାକ ବସ୍ତିର ପିଲାମାନଙ୍କର ପାଠ ପଢାରେ ଡୋରି ବନ୍ଧା ଯାଇଥାଏ । ପ୍ରତି ବର୍ଷ ରାଜ୍ୟ ଓ କେନ୍ଦ୍ର ସରକାର ଜିଲ୍ଲାର ଶିକ୍ଷା ,ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ ଓ ରାସ୍ତାଘାଟର ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରାଯାଉଥିବାବେଳେ ଏହି ଗରୀବ ଅନୁସୂଚିତ ଜନଜାତି ବସ୍ତି ନିମନ୍ତେ ସେ ସବୁ ଅପହଁଚ ହୋଇପଡିଛି । ବସ୍ତିରେ ନଳକୂପର ସୁବିଧା ନ ଥିବାରୁ ସେମାନଙ୍କୁ ପିଇବା ପାଣି ଆଣିବା ପାଇଁ ଯିବାକୁ ପଡେ ପ୍ରାୟ ୧କଲୋମିଟର ଦୂରକୁ । ସଞ୍ଜ ପୂର୍ବରୁ ପାଣି ଯୋଗାଡ ନ କଲେ ରାତିରେ ରୋଷେଇ ବନ୍ଦ ହୋଇଥାଏ । ପାଇଖିନା ସେମାନଙ୍କ ପାଇଁ ସ୍ୱପ୍ନ । ବର୍ଷା ଦିନେ ରୋଗ ବେମାରରେ ପଡିଲେ ସେମାନଙ୍କୁ ଭଗବାନ ଯାହା ଭରଷା । ସେହି ବସ୍ତିର ଲୋକ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ୱ ହୋଇ ଥିବା ବେଳେ ୬ ବର୍ଷ ମଧ୍ୟର ଶିଶୁଙ୍କ ସଂଖ୍ୟା ପ୍ରାୟ ୩୦ ରୁ ଅଧିକ । ସେମାନେ ସ୍ଥାନୀୟ ମରଡପୁର ଅଙ୍ଗନଫୱାଡି କେନ୍ଦ୍ରରେ ନାମ ଲେଖାଇ ଥିଲେ ମଧ୍ୟ ଖରାଦିନ ବ୍ୟତିତ ବର୍ଷା ୪ ମାସ ପାଠ ପଢିବାକୁ ଯାଇ ପାରନ୍ତି ନାହିଁ । ଭୋଟ ପରିଚୟପତ୍ର ,ଆଧାରକାର୍ଡ ପାଇ ଭୋଟ ଦେବାର ଅଧିକାର ପାଇଥିଲେ ମଧ୍ୟ ସେହି ବସ୍ତିବାସିନ୍ଦା ସର୍ବନିମ୍ନ ମୋøଳିକ ସୁବିଧାରୁ ବଂଚିତ ହୋଇଛନ୍ତି । ଏ ସମ୍ପର୍କିତ ଖବର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଗୁରୁବାର ସକାଳେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ,ବିଡିଓ ସୁଧିର କୁମାର ସିଂ,ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ ପ୍ରମୁଖ ସେହି ବସ୍ତିରେ ପହଁଚି ଲକ୍ଷ୍ମଣ ମୁଣ୍ଡା, କୁଞ୍ଜ ବିହାରୀ ସିଂହ ପ୍ରମୁଖ ବୟସ୍କ ବ୍ୟକ୍ତିମାନଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ଭରତପୁର ରାଜସ୍ୱ ଅଧିକାରୀଙ୍କୁ ସେହିସ୍ଥାନକୁ ଡକାଇ ତୁରନ୍ତ ସେହି ବସ୍ତିକୁ ରାସ୍ତା ନିର୍ମାଣ ପାଇଁ ଜମି ଚିହ୍ନଟ କରିଦେବାକୁ ଏବଂ ବସ୍ତିଟି ଏକ ଗୋଚର ଜମି ଉପରେ ଅବସ୍ଥିତ ଥିବାରୁ ନିକଟସ୍ଥ ସ୍ଥାନରେ ଥିବା ଅନାବାଦୀ ଜମି କେଉଁଠି ଅଛି ସେ ସମ୍ପର୍କରେ ତୁରନ୍ତ ଅବଗତ କରିବାକୁ ଅଧ୍ୟକ୍ଷ ଶ୍ରୀ ଧଳ ଓ ବିଡିଓ ଶ୍ରୀ ସିଂ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦେଶ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ଧଳ ଓ ବିଡିଓ ଶ୍ରୀ ସିଂ ସେହି ବସ୍ତିର ଲୋକମାନଙ୍କ ସହ ଆଲୋଚନା କରି ସେହି ବସ୍ତିକୁ ତୁରନ୍ତ ଏକ ରାସ୍ତା ନିର୍ମାଣ କରାଯିବା ସହ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କୁ ପିଲାମାନଙ୍କୁ କେନ୍ଦ୍ରକୁ ଆଣିବା ଓ ଆବଶ୍ୟକ ସେବା ଯୋଗାଇଦେବାକୁ ନିର୍ଦେଶ ଦେଇଥିଲେ । ଏତଦଭିନ୍ନ ବସ୍ତିର ଜନୈକ ବିଧବା ମହିଳାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ସହିତ ଜନୈକ ଭିନ୍ନକ୍ଷମ ଶିଶୁଟିିକୁ ଭିନ୍ନକ୍ଷମ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ଅଧ୍ୟକ୍ଷ ଶ୍ରୀ ଧଳ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ । ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଧଳ ପ୍ରତିଶୃତି ଦେଇଥିବା ଜଣାପଡିଛି । ମରଡପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଗାଡିରଖି ସେଠାରୁ ପାଦରେ ଚାଲିଚାଲି ବସ୍ତିକୁ ଯାଇଥିଲେ ବ୍ଲକ ଅଧକ୍ଷ ଶ୍ରୀ ଧଳ,ବିଡିଓ ଏବଂ ଅନ୍ୟ ଅଧିକାରୀମାନେ । ବସ୍ତିବାସୀନ୍ଦାଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ହେବାକୁ ଯାଉଥିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।