ବ୍ଲକ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ହିତାଧିକାରୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକରେ ଆବାସ ଯୋଜନା ପାଇଁ ୧୦ହଜାର ଟଙ୍କା ଆଦାୟ ହେଉଛି । ୧୦ହଜାର ନଦେଲେ ଦ୍ୱିତୀୟ କିସ୍ତି ମିଳୁନି ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ । ଏଭଳି ଅଭିଯୋଗ ଆସିଛି ହାଟଡିହି ବ୍ଲକର ଅଁରା ପଞ୍ଚାୟତରୁ । ପଞ୍ଚାୟତର ଜିଆରଏସ ସରପଞ୍ଚଙ୍କ ପାଇଁ ୧୦ହଜାର ଟଙ୍କା ନଦେଲେ ଦ୍ୱିତୀୟକିସ୍ତି ମିଳିବନି ବୋଲି କହିବା ହିତାଧିକାରୀ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ କାରୀ ମଧୁରଗଡିଆ ଗ୍ରାମର ଦେବେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କ ମା ପଦ୍ମାବତୀ ଦାସଙ୍କ ନାମରେ ବ୍ଲକ ପକ୍ଷରୁ ଏକ ଆବାସ ଯୋଜନା ଘର ଯୋଗାଇ ଦିଆଯାଇଥିଲା । ଜୁଳାଇ ୪ତାରିଖରେ ତାଙ୍କ ଏକାଉଣ୍ଟକୁ ପ୍ରଥମ କିସ୍ତି ବାବଦ ୪୦ହଜାର ଟଙ୍କା ଯାଇଥିଲା । ସେ ସଙ୍ଗେ ସଙ୍ଗେ ଘରକାମ ଆରମ୍ଭ କରି ଧାର କରଜ କରି ଗତ ଅଗଷ୍ଟ ମାସରେ ଘରର ଛାତ ପକାଇ ଦେଇଥିଲେ । ଆଶା ରଖିଥିଲେ କି ଦ୍ୱିତୀୟ କିସ୍ତି ମିଳିଲେ ଧାର କରଜ ସୁଝିଦେବେ । ଜିଆରଏସ ତାଙ୍କ ଘରକୁ ଯାଇ ଘରର ଫଟୋ ଉଠାଇବା ସହିତ ଜିଓଟେକ ମଧ୍ୟ କରିଥିଲେ । ସେ ଅଗଷ୍ଟ ମାସରୁ ଦ୍ୱିତୀୟ କିସ୍ତି ପାଇଁ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ ତାଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଗଲା ନାହିଁ । ଏନେଇ ସେ ଜିଆରଏସଙ୍କୁ ପଚାରିବାରୁ ତୁମେ ୧୦ହଜାର ଦିଅ ସରପଞ୍ଚ ନେଉଛନ୍ତି ବୋଲି କହିଥିଲେ । କିନ୍ତୁ ଏତେ ଟଙ୍କା କାହିଁକି ଦେବି ବୋଲି ଦେବେନ୍ଦ୍ର ପ୍ରଶ୍ନ କଲାରୁ ଟଙ୍କା ନଦେଲେ ଦ୍ୱିତୀୟ କିସ୍ତି ମିଳିବନି ବୋଲି ସେ ପରେକ୍ଷରେ ଶୁଣାଇ ଦେଇଥିଲେ ବୋଲି ଦେବେନ୍ଦ୍ର ଅଭିଯୋଗ କରିଛନ୍ତି । ଦେବେନ୍ଦ୍ରଙ୍କ କହିବାକଥା ଯେ ସେ ମାସେ ହେଲା ପିଇଓ ଏବଂ ଜିଆରଏସ ଓ ସରପଞ୍ଚଙ୍କ ପାଖକୁ ଦୌଡୁଛନ୍ତି ହେଲେ ତାଙ୍କ କଥା କେହି ଶୁଣୁ ନାହାନ୍ତି । ର୍ଗାର ଅନ୍ୟମାନେ ଅଳ୍ପ କାମକରି ଦ୍ୱିତୀୟ କିସ୍ତି ପାଉଥିବାବେଳେ ସେ ଲାଞ୍ଚ ଟଙ୍କା ଦେଇନଥିବାରୁ ତାଙ୍କୁ ହଇରାଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ସେ ବିଡିଓ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଜଣାଇଥିଲେବି କିଛି ସୁଫଳ ମିଳିନି ବୋଲି କହିଛନ୍ତି । ଏପରିକି ଗତକାଲି ତାଙ୍କ ଫାଇଲକୁ ଲୁଚାଇ ଦିଆଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରୁ ସେ କାହା ପାଖରୁ ଟଙ୍କାଟିଏ ବି ନେଉ ନଥିବା ଷ୍ପଷ୍ଟ କରିଛନ୍ତି । ପିଇଓ ସୁରେଶ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୋ ପାଖକୁ ଗତକାଲି ଫାଇଲ ଆସିଥିଲା ମୁଁ ବିଲ୍ କରି ସେକ୍ସନକୁ ପଠାଇ ଦେଇଛି ବୋଲି କହିଛନ୍ତି । ଏ ସମ୍ପର୍କରେ ଜିଆରଏସ ମାନସ ଲେଙ୍କାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପିଇଓ ମାନେ ଷ୍ଟ୍ରାଇକରେ ଥିଲେ ତେଣୁ ବିଳମ୍ବ ଘଟିଛି, ଲାଞ୍ଚ ଟଙ୍କା ବାବଦରେ ସେ କିଛି କହି ପାରିବେ ନାହିଁ ବୋଲି କହିଥିଲେ । ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ସରପଞ୍ଚଙ୍କ ପ୍ରତିନିଧି ଓ ଦେବେନ୍ଦ୍ରଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଘଟିଥିବା ଜଣାଯାଇଛି । ବ୍ଲକ କର୍ମଚାରୀମାନେ ଏଥିରେ ହସ୍ତକ୍ଷେପ କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।