ବ୍ଲକ ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସମ୍ମୁଖରେ ବାହାର ଲୋକ
ନାଉଗାଁ,(ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ତଥା ନାଉଗାଁ ବ୍ଳକରେ ୫ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଛି । ଏପରିକି ଉକ୍ତ ପଜିଟିଭ ଚିହ୍ନଟ ହେବା ପରେ ଜଗତସିଂହପୁର ଜିଲ୍ଲା ଗ୍ରୀନ ଜୋନରୁ ଅରେଂଜ ଜୋନକୁ ଖସିଯାଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶାନୁସାରେ ଯେଉଁମାନେ ବାହାର ରାଜ୍ୟରୁ ଫେରିବେ ସେମାନଙ୍କୁ ବ୍ଳକର ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯିବ । ସେମାନଙ୍କର ନମୁନା ପରୀକ୍ଷାରେ ନେଗେଟିଭ ଆସିଲା ପରେ ସେମାନଙ୍କୁ ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ପଠାଯିବ । ଏହି ପରିପ୍ରେକ୍ଷୀରେ ଉକ୍ତ ବ୍ଳକର ଘୋଡାଂଶ ପଂଚାୟତରେ ୨ଟି ବ୍ଲକ ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ସେଥିମଧ୍ୟରୁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରୁ ଫେରିଥିବା ୯୮ଜଣ ପ୍ରବାସୀ ସେଠାରେ ରହିଛନ୍ତି । ମହାବିଦ୍ୟାଳୟରେ ୮୮ ଜଣ ରହିବାର ବ୍ୟବସ୍ଥା ରହିଥିବା ବେଳେ ଛୋଟ ଶିଶୁଙ୍କୁ ନେଇ ମହାବିଦ୍ୟାଳୟ ପରିସରରେ ୯୧ ଓ ନିକଟରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ୭ ଜଣ ରହିଛନ୍ତି । କିନ୍ତୁ ଉକ୍ତ ଶିବିରରେ ସମ୍ମୁଖରେ ଆଜି ସକାଳ ସମୟରେ କୌଣସି ସରୁକ୍ଷା ବ୍ୟବସ୍ଥା ନଥିବାରୁ ପ୍ରବାସୀମାନଙ୍କ ପାଖକୁ ସଂପର୍କିୟ ଲୋକମାନେ ଯାଉଥିବା ଦେଖିବାକୁ ମିଳିଛି । ଏପରିକି ହାତରେ କିଛି ଜିନିଷ ଧରି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହା ସହିତ ଭିତରେ ଥିବା ଅନ୍ତେବାସୀମାନେ ମହାବିଦ୍ୟାଳୟ ବାହାରେ ଖୋଲା ବୁଲୁଥିବା ଚାନ୍ଦଖାଁପାଟଣା ଅଂଚଳର ଲୋକମାନେ ଦେଖିବା ପରେ ସେମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏ ବିଷୟରେ ବିଡିଓଙ୍କୁ ଜଣାଇବା ପରେ ପରବର୍ତୀ ସମୟରେ ସେଠାରେ ପୋଲିସ ରହିବା ସହିତ ମହାବିଦ୍ୟାଳୟ ସମ୍ମୁଖକୁ ସାନିଟାଇଜେସନ କରାଯାଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟରେ ଉକ୍ତ ଶିବିରରେ ଥିବା ପ୍ରବାସୀଙ୍କୁ ତାଙ୍କ ସଂପର୍କିୟମାନେ ସାକ୍ଷାତ କରି ଯଦି ସଂକ୍ରମିତ ହୋଇଥିବେ ତେବେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ କରାଯାଉଛି । ତେଣୁ ଯେଉଁମାନେ ଆଜି ସକାଳ ସମୟ ଭିତରେ ଉକ୍ତ ଶିବିରର ପ୍ରବାସୀଙ୍କୁ ଭେଟିବାକୁ ଆସିଥିଲେ । ସେମାନଙ୍କ କଲ ଟ୍ରେସିଙ୍ଗ କରିବା ସହିତ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖିବାକୁ ସ୍ଥାନୀୟ ବୁଦ୍ଧିଜୀବି ଓ ଜନସାଧାରଣ ଦାବି କରିଛନ୍ତି ।