ବ୍ଳକସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତ ଦେବୀଦୋଳ ଠାରେ ବ୍ଳକସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ କରାଯାଇଛି । ଏହି ଅବସରରେ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ କୁମାର ପାଢୀ ଯୋଗ ଦେଇ ଅଖିମୁଠି ଅନୁକୂଳ କରିବା ସହ ଭୂମି ପୂଜନ କରିଥିଲେ । ବ୍ଳକ କୃଷି ବିଭାଗ ଦ୍ୱାରା ଆୟୋଜିତ ସଭାରେ ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଶ୍ରୀ ପାଢୀ, ବ୍ଳକ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡା. ଭି,ସୁନୟନା ଶିବାନୀ, ବ୍ଳକ ମତ୍ସ ସଂପଦ ସଂପ୍ରସାରଣ ଅଧିକାରୀ ରଂଜିତ ରାଉତ,୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ଅଜୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ପବିତ୍ର ଦିନରେ ଅଖିମୁଠି ଅନୁକୂଳ କଲେ ଚାଷ ଭଲ ହୋଇଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସେହିପରି ଚାଷୀମାନଙ୍କ ଉନ୍ନତି ପାଇଁ ସରକାର ଯେଉଁ ସବୁ ଯୋଜନା ମାନ କୃଷି ବିଭାଗ ଦ୍ୱାରା ଚାଷୀମାନଙ୍କୁ ପ୍ରଦାନ କରୁଛନ୍ତି ସେ ବିଷୟରେ ବ୍ଳକ ସହ କୃଷି ଅଧିକାରୀ ନାୟକ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକର ଅନେକ ପଂଚାୟତର ପଂଚାୟତ ପ୍ରତିନିଧି ଓ ଚାଷୀମାନେ ଯୋଗ ଦେଇଥିଲେ । ଅପରପକ୍ଷେ ପରମ୍ପରାକୁ ବଜାୟ ରଖିବା ପାଇଁ ବ୍ଳକର ବିଭିନ୍ନ ଗ୍ରାମରେ ପ୍ରାତଃ ସମୟରେ ଚାଷୀମାନେ ଅଖିମୁଠି ଅନୁକୂଳ କରିଥିବାର ଦେଖାଯାଇଥିଲା ।


