ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଲୋକ ସଂପର୍କ ଯାତ୍ରା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଲୋକ ସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରବିବାର ପୁରୀ ଜିଲ୍ଲା ବେଲଦଳ ନିକଟରୁ ଏହି ସଂପର୍କ ଯାତ୍ରା ଆରମ୍ଭ କରାଯାଇ ଅପରାହ୍ନରେ ନାଉଗାଁ ବ୍ଳକରେ ପହଂଚିଥିଲା । ସଙ୍ଗଠନର ସଦସ୍ୟମାନେ ନାଉଗାଁ ବଜାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହ ଚାଷୀମାନଙ୍କ ପାଇଁ ସରକାର କୌଣସି ପ୍ରକାର ସୁବିଧା ଓ ସହେଯାଗ କରୁ ନଥିବା ବେଳେ ଚାଷୀ ମାନଙ୍କର ସମସ୍ୟା ପ୍ରତି କର୍ଣ୍ଣପାତ କରୁ ନଥିବା କହିଥିଲେ । ଚାଷୀ ଓ ସାଧାରଣ ଜନତାର ସ୍ୱରକୁ ମଜବୁତ କରିବା ସହ ଚାଷୀର ହକ ପାଇଁ ଚାଷୀକୁ ସଶକ୍ତ କରିବା, ଜନସାଧାରଣଙ୍କ ମନରେ ଜାଗରଣ ସୃଷ୍ଟି କରିବା ଏହି ଲୋକ ସଂପର୍କ ଯାତ୍ରାର ମୂଳ ଲକ୍ଷ୍ୟ । ସେହିପରି ସଙ୍ଗଠନର କର୍ମୀମାନେ ଆମର ଦରକାର ଚାଷୀ ସରକାର ଆଦି ସ୍ଳୋଗାନ ମାନ ଦେଇଥିଲେ । ଏହି ଲୋକ ସଂପର୍କ ଯାତ୍ରା ସଙ୍ଗଠନ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ପରିଭ୍ରମଣ କରିବା ସହିତ ଆସନ୍ତା ମେ ୮ତାରିଖରେ ଭୂବନେଶ୍ୱରରେ ସମାପ୍ତ କରିବାର ଲକ୍ଷ୍ୟ ରଖା ଯାଇଥିବା ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ମତପ୍ରକାଶ କରିଛନ୍ତି । ଏହି ଯାତ୍ରାରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସହସଂଯୋଜକ ନିମାଇଁ ରାୟ, ଉମାକାନ୍ତ ଭାରତ, ରଶ୍ମୀରଂଜନ ସ୍ୱାଇଁ, ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲି, ଜିଲା ସହ ସଂଯୋଜକ ଅଶୋକ ସ୍ୱାଇଁ,ନାଉଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ନବକିଶୋର ମହାନ୍ତିଙ୍କ ସମେତ ବହୁ କର୍ମୀ ଓ ସ୍ଥାନୀୟ ଅଂଚଳର ଚାଷୀ ଯୋଗ ଦେଇଥିଲେ ।


