ବ୍ୟବସାୟିକ କେନ୍ଦ୍ରରେ ବ୍ୟବହାର ହେଉଛି ଘରୋଇ ଗ୍ୟାସ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ନିରନ୍ତର ଅପବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବହୁ ବ୍ୟବସାୟିକ କେନ୍ଦ୍ରରେ ଖୋଲାଖୋଲି ଭାବେ ଘରୋଇ ଗ୍ୟାସକୁ ବ୍ୟବହାର କରାଯାଉଛି । ମାତ୍ର ଏଥି ସକାଶେ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁଁ ଏବେ ବ୍ୟବସାୟରେ ଘରୋଇ ଗ୍ୟାସର ଉପଯୋଗ ବୃଦ୍ଧି ପାଇବାରେ ଲାଗିଛି । ନିଜେ ମୁନାଫାରେ ରହିବା ପାଇଁ ନିର୍ଦ୍ଧିଷ୍ଟ କିଛି ବ୍ୟବସାୟୀ ଘରୋଇ ଗ୍ୟାସକୁ ବ୍ୟବହାର କରୁଥିବା ନଜିର ରହିଛି ।
ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବହୁ ଫାଷ୍ଟପୁଡ଼ ଦୋକାନ, ହୋଟେଲ, ଚା’ ଦୋକାନ, ଚାଟ ଭଳି ବହୁ ତେଲଭାଜି ଦୋକାନ ଗୁଡ଼ିକରେ ଖୁଲମ୍ଖୁଲା ଘରୋଇ ଗ୍ୟାସ ବ୍ୟବହାର କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କିପରି ନଜର ପଡ଼ିପାରୁନାହିଁ, ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ କିଛି ଗ୍ୟାସ କମ୍ପାନୀର କର୍ମଚାରୀଙ୍କୁ ହାତବାରିସି କରି ବ୍ୟବସାୟୀ ମାନେ ସୁବିଧାରେ ନିଜ ବ୍ୟବସାୟରେ ଘରୋଇ ଗ୍ୟାସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଯଦି କେବେ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏ ନେ଼ଇ ତାଗିଦ କରେ , ତେବେ ବ୍ୟବସାୟୀ ମାନେ ବିଭିନ୍ନ ଉପାୟରେ ସଂପୃକ୍ତ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଭିତିରିଆ ଦିଆନିଆ କରି ସବୁକିଛି ସମ୍ଭବ କରିଦିଆଯାଉଛି । ପୁନଶ୍ଚ ବ୍ୟବସାୟୀ ମାନେ ନିଜ କାରବାରକୁ ସୁରୁଖୁରୁରେ ଚଲାଇ ଆସୁଥିବା ଦେଖିବାକୁ ମିଳୁଛି । ସେହିପରି କେତେକ ଛୋଟ ୱେଲଡ଼ିଂ ଦୋକାନରେ ମଧ୍ୟ ଘରୋଇ ଗ୍ୟାସର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ନିୟମ ଭଙ୍ଗ କରି ବ୍ୟବସାୟରେ ଘରୋଇ ଗ୍ୟାସ ବ୍ୟବହାର କରାଯାଉଥିବା ବେଳେ, ଅନ୍ୟପଟେ ଏହି ଗ୍ୟାସ ସିଲିଣ୍ଡର ଗୁଡ଼ିକମଧ୍ୟ ସୁରକ୍ଷିତ ଅବସ୍ଥାରେ ସେଠାରେ ରହୁନଥିବା ଦେଖିବାକୁ ମିଳୁଛି । ଯଦ୍ୱାରା କୌଣସି ଆକସ୍ମିକ ଦୂର୍ଘଟଣା ଘଟି ଧନଜୀବନ ହାନି ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ବ୍ୟବସାୟ ସ୍ଥଳରେ ଜମା ହେଉଥିବା ଜନସାଧାରଣଙ୍କ ପାଇଁ ଏହା ଆଗୁଆ ବିପଦର ସର୍ତକ ଘଂଟି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ବରୁ ସ୍ଥାନୀୟ ସହରରେ ଥରେ ଦୁଇଥର ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ଯାଂଚ କରାଯାଇ ବିଭିନ୍ନ ବ୍ୟବସାୟ କେନ୍ଦ୍ରରେ ଘରୋଇ ଗ୍ୟାସ ବ୍ୟବହାର ଉପରେ ଲଗାମ ଲଗାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନଜିର ରହିଛି । ଗତ କିଛି ବର୍ଷ ଧରି ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ପ୍ରକାର ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଯଥା ପୂବଂ, ତଥା ପରଂ ନୀତିରେ ପୁଣି ଘରୋଇ ଗ୍ୟାସ ଗୁଡ଼ିକ ବ୍ୟବସାୟରେ ଉପଯୋଗ ହେବାରେ ଲାଗିଛି । ଏହା ଉପରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ