ବ୍ୟବସାୟୀଙ୍କ ଉପରେ ଲଗାମ ନାହିଁ,ସ୍ଥିତି ସଙ୍ଗୀନ ହେବା ଆଶଙ୍କା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ପାଖାପାଖି ନଅମାସ ଅତିକ୍ରାନ୍ତ ହେଲାଣି କରୋନା ମହାମାରୀ କେତେ ଭୟଙ୍କର ତାହା ସରକାରୀ ତଥ୍ୟରୁ ଜଣାପଡିଛି । ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବା ସହ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ବିପର୍ଯ୍ୟୟର ଦୃଢ଼ ମୁକାବିଲା ଦିଗରେ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ବହୁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରି କରୋନା ସଂକ୍ରମଣ କୁ ଆୟତ୍ତ କରିବାରେ ନିରନ୍ତର ପ୍ରଚେଷ୍ଟା ଚଳାଇ ଛନ୍ତି। ରାଜ୍ୟରେ କୋଭିଡ ଔଷଧ ଉପଲବ୍ଧ ନ ହେବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ, ସାମାଜିକ ଦୂରତା ଏବଂ ପଞ୍ଚସୁତ୍ରୀ ନିୟମ ପାଳନ କରି ସ୍ଵାଭାବିକ ଭାବେ ଜୀବନ ଯାପନ କରିବାକୁ ଜିଲ୍ଲା ପ୍ରଶାସନ ନିଶ୍ଚିତ କରିଛି । କିନ୍ତୁ ସ୍ଥାନୀୟ ପୋୖରାଞ୍ଚଳର ମୁଖ୍ୟ ବଜାରର ଉଭୟ ପାର୍ଶ୍ଵରେ ଅବସ୍ଥିତ ଥିବା ବହୁ ବ୍ୟବସାୟିକ ପ୍ରତିଷ୍ଠାନ, ଛୋଟ ବଡ ହୋଟେଲ, ବହି ଦୋକାନ ,ତେଜରାତି ଦୋକାନ ଓ ଗ୍ରାହକ ସେବା କେନ୍ଦ୍ର ଗୁଡ଼ିକରେ ସାମାଜିକ ଦୁରତାକୁ ଅବମାନନା କରି ବିନା ମାସ୍କରେ ପ୍ରବଳ ଜନ ଗହଳି ହେଉଥିବା ଦେଖାଯାଇଛି ।ସକାଳୁ ସକାଳୁ ସହରର ମୋହନ ମାର୍ଗ, ପାଟଣା ସାହି ସମେତ ବହୁ ସ୍ଥାନରେ ଛତୁ ଫୁଟିଲା ଭଳି ବହୁ ବେଆଇନ କୋଚିଂ ସେଣ୍ଟରରେ ଶହ ଶହ ଶିକ୍ଷାର୍ଥୀଙ୍କ ଉପସ୍ଥିତି କରୋନା ସଂକ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି।ଗୋଟିଏ ପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାନବିକ ଦୃଷ୍ଟିଭଙ୍ଗୀ ଅନୁଯାୟୀ କରୋନା କଟକଣା ପ୍ରତି ଜନସାଧାରଣ ଙ୍କ ସହଯୋଗ ଲୋଡୁଥିଲା ବେଳେ ଅନ୍ୟ ପକ୍ଷରେ ପ୍ରଶାସନକୁ ଅଣଦେଖା କରି ବ୍ୟବସାୟ ଚଳାଇଛନ୍ତି ବେଫିକର ବ୍ୟବସାୟୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ନିମନ୍ତେ ପଞ୍ଚସୁତ୍ରୀ ନିୟମ ପାଳନର ବାଧ୍ୟତାମୂଳକ ନିର୍ଦ୍ଦେଶ ରହିଛି ତାହା ସତେ ଯେପରି ଏଠାରୁ ଉଭାନ ହୋଇଯାଇଛି । ପ୍ରଶାସନର ଏଭଳି ଗୁରୁତ୍ୱପୂର୍ଣ ନିର୍ଦ୍ଦେଶକୁ ବାଏଁବାଏଁ ଉଡାଇ ଦେଇ ନିର୍ବିଘ୍ନରେ ବ୍ୟବସାୟ ପ୍ରତିଷ୍ଠାନ ଚାଲୁ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଶାସନ ଡାଳେଡାଳେ ଗଲାବେଳେ ସ୍ଥାନୀୟ ବ୍ୟବସାୟୀ ପଞ୍ଚସୁତ୍ରୀ ନିୟମକୁ ପତ୍ରରେ ପତ୍ରରେ ନେଇ ବେଧଡକ ଭାବେ କରୋନା ନିୟମକୁ ଫୁ କରି ସଂକ୍ରମଣ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି । ଦୋକାନ ସମ୍ମୁଖରେ ମାସ୍କ ଓ ସାମାଜିକ ଦୂରତା ନାହିଁ ତ ଜିନିଷ ନାହିଁ ସୂଚନା ଫଳକ ରଖିବା ସହ ପଞ୍ଚସୁତ୍ରୀ ନିୟମ ପାଳନ କରିବା ପାଇଁ ବ୍ୟବସାୟୀଙ୍କୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାକୁ ତଦାରଖ କରିବା ପାଇଁ ପ୍ରଶାସନର ଗୁରୁ ଦାୟିତ୍ୱ ରହିଛି।ଯଦି ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନିୟମିତ ଚଢ଼ଉ ଜାରୀ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ସହରରେ ଦ୍ଵିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ପୂର୍ବ ସ୍ଥିତି ଠାରୁ ଅତି ସଙ୍ଗୀନ ହେବା ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ବେଳ ଥାଉ ଥାଉ ଏଥିପ୍ରତି ଧ୍ୟାନ ଦେବା ନିମନ୍ତେ ସହରର ସଚେତନ ନାଗରିକ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।


