ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କର ୬୬ ହଜାର ୮୧୩ ଟଙ୍କା ଉଭାନ ଘଟଣା ଜଣାପଡିବା ପରେ ଏନେଇ ଗତ ୫ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା । ଫଳରେ ସଂପୃକ୍ତ ବ୍ୟାଙ୍କ ପକ୍ଷରୁ ଖୋଳତାଡ ଆରମ୍ଭ ହେବା ସହ ବିଭିନ୍ନ ଏଟିଏମର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ପରେ ଶୁକ୍ରବାର ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ସଂପୃକ୍ତ ବ୍ୟାଙ୍କର କର୍ମଚାରୀ ଏହି ଘଟଣାରେ ଜଡିତ ଥିବାର ପ୍ରମାଣ ମିଳିବା ପରେ ଶାଖା ପରିଚାଳକ ରାମ ନାରାୟଣ ମହାନ୍ତି ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଗତ କିଛି ଦିନ ପୂର୍ବେ ବ୍ୟାଙ୍କର ବହୁତ ଏଟିଏମ୍ କାର୍ଡ ଏବଂ ପିନ୍‌(ପରସୋନାଲ ଆଇଡେଣ୍ଟିଫିକେସନ ନମ୍ବର) ଗୁଡିକ ଚୋରି ହେବା ସହ ଅନ୍ୟୁନ୍ ୪ ଲକ୍ଷ ୧୫ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଉଠାଣ ହେବା ସମ୍ପର୍କରେ ଶାଖା ପରିଚାଳକ ଜାଣିବାକୁ ପାଇଥିଲେ । ପରେ ସଂପୃକ୍ତ ଶାଖା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଷେଣ୍ଢତୀରା ଓ ବନ୍ତ ଦୁଇଟି ଏଟିଏମ୍‌ର ସିସିଟିଭି ଫୁଟେଜ ଓ ଟ୍ରାଞ୍ଜାକସନ ଡିଟେଲ୍ସକୁ ଯାଞ୍ଚ କରାଯିବା ପରେ ସଂପୃକ୍ତ ବ୍ୟାଙ୍କର କର୍ମଚାରୀ ତଥା ବାଙ୍ଗୋରପଦୀ ଗ୍ରାମର ଶେଷଦେବ ଜେନା ଚୋରି ହୋଇଥିବା ଏଟିଏମ୍ ସହାୟତାରେ ଟଙ୍କା ଉଠାଇଥିବା ପ୍ରମାଣ ମିଳିଥିଲା । ଏଥିସହ ତଦନ୍ତ ବେଳେ ସଂପୃକ୍ତ କର୍ମଚାରୀ ଟଙ୍କା ଉଠାଇଥିବା ନେଇ ସ୍ୱୀକାର କରିଥିଲେ । ଶାଖା ପରିଚାଳକଙ୍କ ଅଭିଯୋଗ ମୂଳେ ପୋଲିସ କେସ ନଂ-୧୨୯/୧୯ରେ ମାମଲା ରୁଜ୍ଜୁ କରି ସଂପୃକ୍ତ କର୍ମଚାରୀଙ୍କୁ ଗିରଫ କରିଛି । ଉଲ୍ଲେଖ ଯେ, ପୂର୍ବରୁ ଏକାଉଣ୍ଟ ହୋଲଡରଙ୍କ ନାମରେ ଉକ୍ତ ବ୍ୟାଙ୍କକୁ ଏଟିଏମ୍ କାର୍ଡ ଓ ପିନ୍ ନମ୍ବର ଆସୁଥିଲା । ଗ୍ରାହକ ମାନେ ବ୍ୟାଙ୍କରୁ ଏସବୁ ଆଣୁଥିଲେ । ବହୁ ଗ୍ରାହକ ସେମାନଙ୍କର ଏଟିଏମ୍ କାର୍ଡ ନେଇ ନଥିବା ବେଳେ ସଂପୃକ୍ତ ବ୍ୟାଙ୍କ କର୍ମଚାରୀ ସେସବୁ ଚୋରାଇ ଟଙ୍କା ଉଠାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ