ବଢ଼ିବ ଦେଶର ଉତ୍ପାଦନ କ୍ଷମତା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ ଆଜି ଦୁଇ ଲକ୍ଷ କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌କୁ ମଞ୍ଜୁରି ଦିଆଯାଇଛି। ଦେଶର ୧୦ଟି ପ୍ରମୁଖ ମାନୁଫାକ୍‌ଚରିଂ କ୍ଷେତ୍ରକୁ ନଜରରେ ରଖି ଏହି ସ୍କିମ୍ ପ୍ରସ୍ତୁତ କରାଯାଇଛି। ସେହି କ୍ଷେତ୍ରଗୁଡ଼ିକ ହେଉଛି ଅଟୋମୋବାଇଲ୍‌ ଓ ଅଟୋ ଯନ୍ତ୍ରାଂଶ, ଫାର୍ମାସ୍ୟୁଟିକାଲ୍ ଔଷଧ, ସ୍ପେସିଆଲିଟି ଷ୍ଟିଲ୍‌, କ୍ୟାପିଟାଲ୍‌ ଗୁଡସ୍‌, ପ୍ରଯୁକ୍ତି ଉତ୍ପାଦ, ଏସି ଓ ଏଲ୍‌ଇଡି ଭଳି ହ୍ବାଇଟ୍‌ ଗୁଡସ୍‌, ଟେଲିକମ୍ ଓ ନେଟ୍‌ୱର୍କିଂ ଉତ୍ପାଦ, ବୟନ, ଉଚ୍ଚ କ୍ଷମତା ସମ୍ପନ୍ନ ସୋଲାର ପିଭି ମଡ୍ୟୁଲ୍‌ ଓ ଉନ୍ନତ ବ୍ୟାଟେରି ସେଲ୍। ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପିଏଲ୍‌ଆଇ ସ୍କିମ୍ ପାଇଁ ନିତି ଆୟୋଗ ପକ୍ଷରୁ ୧୦ ପ୍ରମୁଖ କ୍ଷେତ୍ର ଚୟନ କରାଯାଇଛି। ଏହା ଦ୍ବାରା ଭାରତୀୟ ଉତ୍ପାଦନକାରୀମାନେ ବିଶ୍ବ ସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ, ପୁଞ୍ଜିନିବେଶ ହାତେଇ ପାରିବେ ଏବଂ ନିଜର ରପ୍ତାନି ବୃଦ୍ଧି କରିପାରିବେ। ଏହି ସ୍କିମ୍ ଜରିଆରେ ଉଦୀୟମାନ କ୍ଷେତ୍ରଗୁଡ଼ିକ ଆବଶ୍ୟକ ସରକାରୀ ସହାୟତା ପାଇବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହି ସ୍କିମ୍ ପାଇଁ ଚୟନ କରାଯାଇଥିବା ପ୍ରତିଟି କ୍ଷେତ୍ରର ଚୂଡ଼ାନ୍ତ ପ୍ରସ୍ତାବକୁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଅର୍ଥ କମିଟି ଏବଂ କ୍ୟାବିନେଟ୍‌ ମଞ୍ଜୁର କରିବ। ଏହି କ୍ଷେତ୍ରଗୁଡ଼ିକ ସହ ସଂପୃକ୍ତ ଥିବା ମନ୍ତ୍ରାଳୟ ପକ୍ଷରୁ ତୁରନ୍ତ ସ୍କିମ୍‌କୁ କାର୍ଯ୍ୟକାରୀ କରାଯିବ। ଏହି ସ୍କିମ୍‌ର ଲାଭ ହାସଲ କରିବା ଲାଗି କଂପାନିଗୁଡ଼ିକ ସଂଖ୍ୟାର କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ