ଭଗବତ ଗୀତା ଭଗବାନ ଶ୍ରୀ କୃଷ୍ଣଙ୍କ ମୁଖ ନିସୃତ ବାଣୀ
ସନ୍ତୋଷ କୁମାର ଦାଶ
ପୁରାଣ ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରେ ଭଗବାନ ଶ୍ରୀକୃଷ୍ଣ ମାନବ ରୂପରେ ଜନ୍ମ ନେଇ ଥିଲେ। ତାଙ୍କ ଜନ୍ମଦିବସ କୁ ସାରା ଦେଶରେ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଇଛି। ହିନ୍ଦୁମାନଙ୍କର ଏହା ଏକ ମୁଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗର ଶେଷ ଭାଗ ରେ ଧରା ଧାମ ରେ ଅବତୀର୍ଣ୍ଣ ହୋଇ ଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ ପ୍ରଭୁ ଶ୍ରୀ କୃଷ୍ଣ ଙ୍କର ଲୀଳା ଶେଷ ହେଲା ସେଦିନ ଠାରୁ କଳି ଯୁଗ ଆରମ୍ଭ ହେଇଛି ଏବଂ ବର୍ତ୍ତମାନ କଳିଭୋଗାବ୍ଦ ୫୧୧୮ ଚାଲିଛି । ତେଣୁ ଆଜକୁ ୫୨୪୩ ବର୍ଷ ପୂର୍ବେ ଲୀଳାଧାରୀ ଶ୍ରୀ ପୁରୁଷୋତ୍ତମ ଏହି ଧରାଧାମ ରେ ଅବତରଣ କରି ଥିଲେ।ଗବେଷକ ମାନଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା ।ଅବତାର ର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତ ମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ପାଇଁ ଓ ବିଶ୍ୱ ରେ ସତ୍ୟ, ଧର୍ମ ର ସଂସ୍ଥାପନ ପାଇଁ ରାଜ କନ୍ୟା ଦେବକୀ ଙ୍କ ଗର୍ଭରୁ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ସ୍ଵରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ଵଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରି ଥିଲେ । ବ୍ରହ୍ମା, ଶଙ୍କର , ମୂନି ଋଷି ଙ୍କର ପୂଜ୍ୟ ହୋଇ ମଧ୍ୟ ସାଧାରଣ ବାଳକ ପରି ଲୀଳା ଖେଳା କରି ଥିଲେ । ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକା ରେ ଅବତୀର୍ଣ୍ଣ ହେଇ ଲୀଳା କରି ଥିଲେ । ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ।ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀ ହୋଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭ ରେ ନିଜର ଜ୍ଞାତି କୁଟୁମ୍ବ ମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନା କରିଦେଇ ଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହୋଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବା ଲାଗି ତାଙ୍କୁ ମନେଇବାରେ ସକ୍ଷମ ହୋଇଥିଲେ।କୂଟନୀତି ପ୍ରୟୋଗ କରି ପାଣ୍ଡବ ମାନଙ୍କୁ ମହାଭାରତ ଯୁଦ୍ଧରେ ବିଜୟୀ କରାଇଥିଲେ । ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ର ମାନ୍ୟତା ଦିଆଯାଏ । ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତ ମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟ ଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି, ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି । ଏହା ଭଗବତ ଗୀତା ନାମରେ ବିଶ୍ଵ ବିଖ୍ୟାତ। ଭଗବତ ଗୀତା ବିଶ୍ଵ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି। ଏଥିରେ ରଚିତ ହୋଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ । ଓଡ଼ିଶାର ପୁରପଲ୍ଲୀ ରେ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ରାତ୍ରି ୧୨ ଘଟିକା କୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହି ଦିନ ଗାଁର ଭାଗବତ ଟୁଙ୍ଗୀ ମାନଙ୍କ ରେ ,ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢାଯାଇ ଥାଏ। ପୁରୀ ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ ମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ। ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଲୋକମାନେ ଘରେ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି । ଭଗବାନ ଶ୍ରୀ କୃଷ୍ଣ ଙ୍କ ମୁଖ ନିସ୍ରୁତ
ବାଣୀ ଭଗବତ ଗୀତା ମନୁଷ୍ୟ କୁ
କର୍ମ ଯୋଗ, ଜ୍ଞାନ ଯୋଗ ଓ ଭକ୍ତି ଯୋଗ ର ଶିକ୍ଷା ପ୍ରଦାନ କରି ଏହି ମୋହ ମାୟା ସଂସାର ରୁ ମୁକ୍ତି ବା ନିର୍ବାଣ ପ୍ରଦାନ କରିଥାଏ। ଆମ ଓଡ଼ିଆ ରେ ଏକ ଢେଗ ରହିଛି
ଯେ, ରୁଚୁ ନ ରୁଚୁ ଖା ପିତା.. ବୁଖ ନ ବୁଝ ପଢ଼ ଗୀତା। ଜୟ ଶ୍ରୀ କୃଷ୍ଣ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮