ଭଗ୍ନ ଅବସ୍ଥାରେ ମାଳତୀପାଟପୁର ବସ୍ଷ୍ଟାଣ୍ଡ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ଜୁଲାଇ ୪ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏହି ଯାତ୍ରାକୁ ରାଜ୍ୟ ସମେତ ଦେଶବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଫଳରେ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପାଲଟିଯାଏ ଲୋକାରଣ୍ୟ । ଏକ ଦିନରେ ଏତେ ସଂଖ୍ୟକ ଲୋକଙ୍କୁ ସୁରକ୍ଷା ଯୋଗାଇବା ସହ ସେମାନଙ୍କୁ ମୌଳିକ ସୁବିଧା ଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ନେଇ ପୁଲିସ ପକ୍ଷରୁ ଡ୍ୟୁଟିରେ ଥିବା ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଇଛି । ବିଶେଷକରି ରାଜ୍ୟ ବାହାର ପର୍ଯ୍ୟଟକଙ୍କ ପାଇଁ ମାଳତୀପାଟପୁରଠାରେ ନିର୍ମିତ ଉନ୍ନତମାନର ବସ୍ଷ୍ଟାଣ୍ଡ ଏବେ ଭଗ୍ନ ଅବସ୍ଥାରେ ପଡିରହିଛି । ଏହି ବସ୍ଷ୍ଟାଣ୍ଡରେ ବାହାର ରାଜ୍ୟର ହଜାର ହଜାର ପର୍ଯ୍ୟଟନ ବସ୍ ଏଠାରେ ରହିଥାଏ । ପରେ ପର୍ଯ୍ୟଟକ ଟାଉନ୍ବସ୍ରେ ସହରକୁ ଯାଇଥାନ୍ତି । ହେଲେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି । ଗତ ମାସ ୩ ତାରିଖ ବାତ୍ୟାରେ ଧ୍ୱଂସ ହୋଇଯାଇଛି ମାଳତୀପାଟପୁର ବସ୍ଷ୍ଟାଣ୍ଡ । ଘୋଷଯାତ୍ରା ଆଉ ୧୯ ଦିନ ଥିବାବେଳେ ଆଜି ପର୍ଯ୍ୟନ୍ତ ଏହି ବସ୍ଷ୍ଟାଣ୍ଡର ମରାମତି କାମ ଆରମ୍ଭ ହୋଇନାହିଁ । ବାତ୍ୟାର ୪୨ ଦିନ ପରେ ବି ଏହି ବସ୍ଷ୍ଟାଣ୍ଡର ମରାମତି ଲାଗି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ତେବେ ରଥଯାତ୍ରା ସମୟରେ ପର୍ଯ୍ୟଟନ ବସ କେଉଁଠି ରହିବ ତାହା ଏବେ ଚିନ୍ତାର ବିଷୟ । ଏହା ପ୍ରଶାସନ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ । ମାତ୍ର ରଥଯାତ୍ରା ସମୟରେ ଏହି ବସ୍ଷ୍ଟାଣ୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା ବେଳେ ନାଁ ଜିଲ୍ଲା ପ୍ରଶାସନ ବା ରାଜ୍ୟପରିବହନ ବିଭାଗ କାହାର ଚିନ୍ତା ନାହିଁ । ତେବେ ପ୍ରଶାସନର ଅବହେଳା ଯୋଗୁଁ ହଜାର ହଜାର ପର୍ଯ୍ୟଟକ ହଇରାଣ ହରକତ ହେବା ସୁନିଶ୍ଚିତ ବୋଲି ଜଣାପଡିଛି । ସୂଚନଥାଉକି, ରଥଯାତ୍ରା ସମୟରେ ବିଗତ ବର୍ଷଠାରୁ ଏବେ ଭକ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଉଥିବାରୁ ଭକ୍ତ ଓ ଯାନବାହାନକୁ ସମ୍ଭାଳିବା ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ ହେଉଥିଲା । ତେଣୁ ଏହାକୁ ଏଡ଼ାଇବା ପାଇଁ ୭୦କୋଟି ଟଙ୍କା ବ୍ୟୟରେ ମାଳତୀପୁଟଠାରେ ଏକ ଉନ୍ନତମାନର ବସ୍ଷ୍ଟାଣ୍ଡ ନିର୍ମାଣ କରାଗଲା । ଏଠାରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧାସୁଯୋଗ ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଫଳରେ ଯାତ୍ରୀମାନେ ସେଠାରେ ବସ୍କୁ ରଖି ସେଠାରୁ ଟାଉନ୍ବସ୍ରେ ସହରକୁ ଆସିଥାନ୍ତି । ଫଳରେ ଟ୍ରାଫିକ୍ ବ୍ୟବସ୍ଥା ସଠିକ୍ ଭାବେ ପରିଚାଳନା ହୋଇଥିଲା । ଅନ୍ୟପକ୍ଷରେ ସେହି ବସ୍ଷ୍ଟାଣ୍ଡ ପରିସରରେ ଯାତ୍ରୀମାନେ ରହିବାସହ ବିଦ୍ୟୁତ୍, ପାନୀୟ ସମେତ ସମସ୍ତ ମୌଳିକ ସୁବିଧା ପାଇପାରୁଥିଲେ । ଫଳରେ ସେମାନେ ଖୁସିରେ ରଥଯାତ୍ରା ଦେଖି ଫେରୁଥିଲେ । ହେଲେ ଚଳିତ ବର୍ଷ ପ୍ରଶାସନ ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିବ । ସହରର ଭାଙ୍ଗିରୁଜି ଯାଇଥିବା ଭିତ୍ତିଭୂମିକୁ ଧୀରେ ଧୀରେ ସଜାଡ଼ୁଥିବାବେଳେ ରଥଯାତ୍ରା ଆଉଅଳ୍ପ ଦିନ ଥିବାବେଳେ ଏହି ବସ୍ଷ୍ଟାଣ୍ଡର ମରାମତି ନ ହେବା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା କରୁଛି ବୋଲି କହୁଥିଲା ବେଳେ ବାସ୍ତବରେ ସେମାନେ ଚଳିତବର୍ଷ କେଉଁଠି ରହିବେ ତାହା ଚିନ୍ତା ନାହିଁ । ମହାପ୍ରଭୁଙ୍କ ରଥଯାତ୍ରା ବର୍ଷା ଦିନରେ ହେଉଥିଲା ବେଳେ ଏହି ସମୟରେ ଲଗାଣ ବର୍ଷା ହୋଇଥାଏ । ଫଳରେ ସେହି ବସ୍ଷ୍ଟାଣ୍ଡ ପରିସରରେ ପର୍ଯ୍ୟଟକ କଣ ଖୋଲା ଆକାଶ ତଳେ ରହିବେ । ତାହାକୁ ନେଇ ଏବେ ସହରରେ ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ ଜିଲ୍ଲା ପରିବହନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


