ଭଣ୍ଡାରିପୋଖରୀ ଅଂଚଳରେ ଗୋ ମଡ଼କ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ପଶୁ ସଂପଦ ବିଭାଗ ଏବେ କିଛି ଦିନ ହେବ ଗୋ ସେବାରୁ ଦୂରେଇ ଯାଇଥିବା ଭଳି ମନେ ହୁଏ । ନାଁ କୁ ମାତ୍ର ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ଅଧିକାରୀ ମାନେ ଧର୍ମକୁ ଆଖିଠାର ଭଳି କେବଳ କିଛିଟା ସରକାରୀ ନୀତିନିୟମରେ କାର୍ଯ୍ୟ କରୁଛନ୍ତି ସତ ହେଲେ ପ୍ରକୃତ ସମସ୍ୟା ପ୍ରତି ସତେ ଯେମିତି ଆଖି ବୁଜି ଦେଇଛନ୍ତି । ଏପରିକି ବ୍ଲକ ଅଧିନ ବିଭିନ୍ନ ପଶୁ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବେ ଭୂତକୋଠିରେ ପରିଣତ ହୋଇଥିବା ବେଳେ ସେଠାକୁ କୌଣସି କର୍ମଚାରୀ ଯାଉନଥିବା ଅଭିଯୋଗ ହୋଇଛି । ସମ୍ପ୍ରତି କରୋନା ମହାମାରୀ ମଣିଷ ସମାଜକୁ କବଳିତ କରିଥିବା ବେଳେ ଗୋ ସମ୍ପଦ ମଧ୍ୟ ବିପଦରେ ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ । ପରିବର୍ତ୍ତିତ ପାଣିପାଗ ଯୋଗୁ ଅଦିନିଆ ବର୍ଷା ହୋଇଥିବା ବେଳେ ବିଲ ବାଡ଼ିରେ ପାଣି ଜମି ଯାଇଛି । ତେଣୁ ଚାରଣ ପାଇଁ ଗାଈଗୋରୁ ଏବେ ଆଉ ଆଗଭଳି ସବୁଜଘାସ ପାଉନାହାନ୍ତି । ଖାଦ୍ୟ ଅଭାବ ସହିତ କଅଁଳିଆ ବାଛୁରୀ ଠାରୁ ଆରମ୍ଭ କରି ବଡ ଗୋରୁ ଗାଈ ବିଗତ କିଛି ଦିନ ହେବ ଥଣ୍ଡା, କାଶ ଓ ଜ୍ବରରେ ପୀଡିତ ହେଉଥିବା ଦେଖାଯାଉଛି। ଅନ୍ୟାନ୍ୟ ଅଜଣା ରୋଗ ମଧ୍ୟ ଗୋ ବଂଶକୁ ମାଡି ଆସୁଥିବା ବେଳେ ବ୍ଲକର କେତେକ ଅଂଚଳରେ ଅଳ୍ପ ବୟସ୍କ ଗୋରୁ ଗାଈ ଓ କଅଁଳ ବାଛୁରୀ ଛୁଆ ପ୍ରାଣତ୍ୟାଗ କରୁଛନ୍ତି । ସରକାରୀ ହିସାବ ଅନୁସାରେ ବ୍ଲକ ଅଂଚଳରେ ପ୍ରାୟ ୧୮ହଜାର ଗୋ ସମ୍ପଦ ଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ କେତେ ଗୋରୁ ଗାଈ ଅଜଣା ରୋଗରେ ମୃତ୍ୟୁ ବରଣ କଲେଣି ତାହାର ହିସାବ କାହାପାଖରେ ନାହିଁ । ଭ୍ରାମ୍ୟମାଣ ଗୋ ସେବା ଆଉ ଗାଁ ଗଣ୍ଡାରେ ଦେଖାଯାଉନାହିଁ । କେବଳ ରିହାତି ଗାଈ ଋଣ ଓ ଗୁହାଳ ନିର୍ମାଣ କାଗଜପତ୍ର କାମରେ ଅଧିକାରୀ ବ୍ୟସ୍ତ ରହୁଥିବା ବେଳେ କାଁ ଭାଁ କୌଣସି କର୍ମଚାରୀ କେତେବେଳେ କେମିତି କିଛି ଖବର ପାଇ ଗାଁ କୁ ଯାଇ ସୌଜନ୍ୟତା ଦୃଷ୍ଟି ରୁ ଗୋରୁଙ୍କୁ ସେବା ଯୋଗାଉଥିବା ଜଣାପଡିଛି । ବର୍ତ୍ତମାନ ସରସଦା, ରହଣିଆ, ମାଳଦା ଠାରୁ ଆରମ୍ଭ କରି ପାଟୁଳି, ବିଷ୍ଣୁପୁର, ନଗୁଆଁ, ମଞ୍ଜୁରୀରୋଡ଼ ଯାଏଁ ଗାଈ ଗୋରୁଙ୍କ ଉପରେ ଅଜଣା ରୋଗ ମାଡିଯାଇ ଅନେକ ଜୀବନ ହାନି କରୁଥିବା ବେଳେ ଏହା ଉପରେ ବିଭାଗ ଦୃଷ୍ଟି ନଦେବା ପରିତାପର ବିଷୟ ପାଲଟିଛି ।