ଭତ୍ତା ପାଇଁ ବିଧବା ଓ ଭିନ୍ନକ୍ଷମ ପ୍ରମାଣପତ୍ର ବାଧ୍ୟତା ମୁଳକ କଲେ ବିଡିଓ
ହାଟଡ଼ିହି, (ଯୁଗାବ୍ଦ ନୁୂ୍ୟଜ୍) : ହାଟଡିହି ବ୍ଲକରେ ଅନେକ ସଧବା ମହିଳା ଜାଲ କାଗଜପତ୍ର ଦର୍ଶାଇ ବିଧବା ଭତ୍ତା ନେଉଥିବା ବେଳେ କେତେକ ଭିନ୍ନକ୍ଷମ ନହୋଇ ମଧ୍ୟ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା । ହାଟଡିହି ବ୍ଲକର ବିଡିଓ ସୁଶାନ୍ତ କୁମାର ବାରିକ ଏହାର ଅନୁଧ୍ୟାନ କରିବାପରେ ଭତ୍ତା ପାଉଥିବା ବିଧବାମାନେ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବା ବାଧ୍ୟତା ମୁଳକ କରିଛନ୍ତି । ଆସନ୍ତା ଅକ୍ଟୋବର ମାସଠାରୁ ଏହାକୁ ଲାଗୁ କରାଯିବ ବୋଲି ସୁଚନା ଦେଇଛନ୍ତି । ଯଦି କେହି ପ୍ରମାଣପତ୍ର ନଦେଇ ପାରନ୍ତି ତେବେ ଭତ୍ତାକୁ ବନ୍ଦ କରାଯିବ ବୋଲି କହିଛନ୍ତି । ସେହିପରି ଭିନ୍ନକ୍ଷମ ପ୍ରମାଣପତ୍ର ମଧ୍ୟ ଜରୁରି ବୋଲି କହିଛନ୍ତି । ଯେଉଁ ଦିବ୍ୟାଙ୍ଗମାନେ ଭତ୍ତା ପାଇବାକୁ ଆବେଦନ କରିଛନ୍ତି ଏବେ ସେମାନେ ୟୁ.ଡି.ଆଇ.ଡି ପ୍ରମାଣପତ୍ର ସଂଗ୍ରହକରି ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ପୁର୍ବରୁ ମାନୁଆଲ ସାଟିଫିକେଟ ଦେଇ ବିକଳାଙ୍ଗ ଭତ୍ତା ପାଉଥିବେ ସେମାନେ ମଧ୍ୟ ଏହି ୟୁଡିଆଇଡି ସାଟିଫିକେଟ ଦେବେ ବୋଲି କହିଛନ୍ତି । ଯାହାଦ୍ୱାରାକି ଜାଲ ଭତ୍ତାକୁ ରୋକାଯାଇ ପାରିବ ବୋଲି ବିଡିଓ ଶ୍ରୀ ବାରିକ ପ୍ରକାଶ କରିଛନ୍ତି ।