ଭଦ୍ରକ ଜନ ଶିକ୍ଷଣ ସଂସ୍ଥାନରେ ହୋଇଥିବା ବ୍ୟାପକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭଦ୍ରକ ଜିଲ୍ଲା ଜନ ଶିକ୍ଷଣ ସଂସ୍ଥାନରେ ୨୦୧୮-୧୯ ଆର୍ଥିକ ବର୍ଷରେ ଟ୍ରେନିଂ ନେଇଥିବା ହିତାଧିକାରୀଙ୍କ ନାମକୁ ନେଇ ବ୍ୟାପକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଟକ ଜିଲ୍ଲା ସୂଚନାଧିକାର କର୍ମୀ ସଞ୍ଜୟ ସହୁ ଭ୍ରଦକ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି । ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ଯେ, ଭଦ୍ରକ ଜନଶିକ୍ଷଣ ସଂସ୍ଥାନର ୨୦୧୮-୨୦୧୯ ଆର୍ଥିକ ବର୍ଷରେ ଟେନ୍ରିଂ ନେଇଥିବା ହିତାଧିକାରୀ ମାନଙ୍କର ନାମ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ଏହି ହିତାଧିକାରୀ ମଧ୍ୟରୁ ବାସୁଦେବପୁର ବ୍ଲକ ଅଧିନ ବରଣ୍ଡୁଆ ଗ୍ରାମ ପଞ୍ଚାୟତର ମଧୁସୂଦନପୁର ଗ୍ରାମର ଯେଉଁ ବ୍ୟକ୍ତି ଟ୍ରେନିଂ ନେଇଛନ୍ତି ବୋଲି ସୂଚନା ଅଧିକାର ଆଇନ ତଥ୍ୟରେ ଉଲ୍ଲେଖ ଅଛି, ସେପରି ବ୍ୟକ୍ତି ଉକ୍ତ ଗ୍ରାମରେ କେହି ନାହାଁନ୍ତି । ଭୋଟର ତାଲିକା ଦେଖିବାରୁ ଜଣାପଡ଼ିଲା ଯେ, ସେପରି ବ୍ୟକ୍ତିଙ୍କର ନାମ ନାହିଁ, ସରପଞ୍ଚଙ୍କୁ ଉକ୍ତ ଗ୍ରାମର ହିତାଧିକାରୀଙ୍କ ନାମ ପଚାରିବାରୁ ସେମିତି କେହି ବ୍ୟକ୍ତି ନାହାଁନ୍ତି । ଯାହାକୁ ନେଇ ଭଦ୍ରକ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକଙ୍କ କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି ହେଉଛି । ସେହିପରି ସମାନ ସ୍ଥିତି ଆରୁହା ଗ୍ରାମ ପଞ୍ଚାୟତର ଆରୁହା ଗ୍ରାମ, ବାସୁଦେବପୁର ବ୍ଲକରେ ମଧ୍ୟ ଦିଆଯାଇଥିବା ହିତାଧିକାରୀଙ୍କ ମଧ୍ୟରୁ କେହି ଜଣେ ବି ସେଠାକାର ବ୍ୟକ୍ତି ନୁହଁନ୍ତି ।ଭଦ୍ରକ ଜିଲ୍ଲାରେ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକଙ୍କ ଦ୍ୱାରା ହୋଇଥିବା ମହା ଠକାମୀ ଓ ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ସାହୁ ଭଦ୍ରକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।