ଭାଉଜଙ୍କ ପାଇଁ ପ୍ରଚାର ମଇଦାନରେ ଜିଲ୍ଲା କଂଗ୍ରେସ ସଭାପତି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କ ବିଜୟ ପରାଜୟ ଆଶାଆଶଙ୍କା ସେତେ ତୀବ୍ର ହେଉଛି । ଭୋଟରଙ୍କ ନିକଟତର ହେବା ପାଇଁ ପ୍ରାର୍ଥୀ ମାନେ ଏବେ ଦିନ ରାତି ଏକ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଂଚାୟତ ଠାରେ ଆଜି କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ପୂର୍ଣପ୍ରଭା ଦାସ ,ସମିତିସଭ୍ୟ ପ୍ରାର୍ଥୀ ଗୁରୁପ୍ରସାଦ ଗିରି ଓ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ପ୍ରଭାତନଳିନୀ ପଣ୍ଡା ଆଜି ପ୍ରଚାରକୁ ଜୋରଦାର କରିଛନ୍ତି । ପଂଚାୟତ ଅଧିନ ୧୪ଗୋଟି ୱାର୍ଡକୁ ଆଜି ପ୍ରାର୍ଥୀ ମାନେ ବୁଲିବା ସହ ଲୋକଙ୍କ ନିକଟତର ହୋଇ ଭୋଟ ପାଇଁ ନିବେଦନ କରିଛନ୍ତି। ପ୍ରଚାରକୁ ଆହୁରି ସରଗରମ କରିବା ପାଇଁ ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଯୋଗଦେଇଥିଲେ । ଶ୍ରୀଦାସଙ୍କ ଭାଉଜ ସରପଞ୍ଚ ପ୍ରାର୍ଥୀନୀ ହୋଇଥିବାରୁ ତାଙ୍କର ବିଜୟ ଜିଲ୍ଲା କଂଗ୍ରେସର ସମ୍ମାନର ପ୍ରଶ୍ନ ପାଲଟିଛି । ତେଣୁ ସେ ଆଜି ପାଟୁଳି ଜୋରାଗଡ଼ିଆ ଠାରେ ନିଜ ସମର୍ଥକ ମାନଙ୍କ ସହ ପହଞ୍ଚି ସରପଞ୍ଚ ପ୍ରାର୍ଥୀନୀଙ୍କ ସହିତ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ବହୁ ପରିମାଣରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଛନ୍ତି । ଉକ୍ତ ପଞ୍ଚାୟତଟି କଂଗ୍ରେସର ଗଡ଼ ଭାବେ ପରିଚିତ ଥିବା ବେଳେ ଚଳିତ ନିର୍ବାଚନ ଜିଲ୍ଲା କଂଗ୍ରେସ ସଭାପତିଙ୍କ ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି । ତେଣୁ ଗଡ଼ ବଜାୟ ରଖିବା ପାଇଁ ଶ୍ରୀ ଦାସ ବିଭିନ୍ନ ଢଙ୍ଗରେ ପ୍ରଚାରକୁ ଆଗେଇ ନେଉଥିବା ଦେଖାଯାଉଛି । ପ୍ରଚାରରେ ପଞ୍ଚାୟତ ସଭାପତି ମଧୁସୂଦନ ଦତ୍ତ, ସରପଞ୍ଚ ସୁବାଷ କାଣ୍ଡି, କଂଗ୍ରେସ ନେତା ଅଜିତ ଦାସ, ଜନାର୍ଦ୍ଦନ ଦେ, ସୁବ୍ରତ ମହାନ୍ତିଙ୍କ ସମେତ ଅନେକ ଛାମୁଆ କର୍ମୀ ସାମିଲ ହୋଇଛନ୍ତି ।