ଭାଜପାର ପଞ୍ଚୁପଡ଼ା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛାନୁଆ ଠାରେ ପଞ୍ଚୁପଡ଼ା ମଣ୍ଡଳ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ସାଂଗଠନିକ ଦକ୍ଷତା ଅଭିବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ମଣ୍ଡଳ ସଭାପତି ବିଜୟ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାରଙ୍କ ନବମ ବର୍ଷ ପର୍ତ୍ତି ଅବସରରେ ଆରମ୍ଭ ହୋଇଥିବା ‘ମହା ଜନସମ୍ପର୍କ ଅଭିଯାନ’କୁ ଆଗେଇ ନେବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, କୁପୋଷଣ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବେରୋଜଗାରୀ, କେନ୍ଦ୍ରୀୟ ଯୋଜନା ବାଟମାରଣା ପ୍ରଭୃତି ପ୍ରସଙ୍ଗ ସମ୍ପର୍କରେ ଦଳୀୟ କର୍ମକର୍ତ୍ତାମାନେ ଲୋକଙ୍କୁ ଅବଗତ କରିବେ । ମେ ୨୯ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ମୋଦି ସରକାରଙ୍କ ସୁଶାସନ ଓ ବିଜେଡିର କୁଶାସନ ସମ୍ପର୍କରେ ଲୋକଙ୍କୁ ଜଣାଇବେ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଞ୍ଚୁୁପଡ଼ା ମଣ୍ଡଳର ପତ୍ୟେକ ବୁଥରେ ୨୦୦ରୁ ୨୫୦ ଲୋକଙ୍କ ପାଖକୁ ଭାଜପା କାର୍ଯ୍ୟକର୍ତ୍ତା ଯିବେ । ଏହି ମାଧ୍ୟମରେ ବୁଥରୁ ନେଇ ଶକ୍ତିକେନ୍ଦ୍ର, ମଣ୍ଡଳ, ବିଧାନସଭା ଓ ସଂସଦୀୟ କ୍ଷେତ୍ର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ ପାଇଁ ଶ୍ରୀ ଦତ୍ତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ମଣ୍ଡଳ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ମନ୍ତ୍ରୀ ଓ ଝାଡେଶ୍ୱର ସେଠୀ, ସରପଂଚ ଜୟନ୍ତୀ ଆଦିକ, ସସ୍ମିତା ଦାସ, ରାମନାରାୟଣ ଦ୍ୱିବେଦୀ, ସମିତି ସଭ୍ୟା ପ୍ରିୟଙ୍କା ଜେନା, ହାରାମଣୀ ବେହେରା, ରବୀନ୍ଦ୍ର ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ୱାର୍ଡ ସଦସ୍ୟ, ମଣ୍ଡଳ ପଦାଧିକାରୀ, ମୋର୍ଚ୍ଚା ପ୍ରମୁଖ, ବୁଥ ସଭାପତି ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଉପସ୍ଥିତ ଥିଲେ ।