ଭାରତଛାଡ଼ ଆନ୍ଦୋଳନ : ୧୯୪୨

ବିପିନ ବିହାରୀ ମହାନ୍ତି

୧୯୩୯ ମସିହାରେ ଦ୍ୱିତୀୟ ମହାସମର ଆରମ୍ଭ ହେଲା । ଇଂରେଜମାନେ ଭାରତବାସୀଙ୍କ ମତ ନନେଇ ଭାରତକୁ ତାଙ୍କ ସହିତ ଯୋଡ଼ିଲେ, ସେମାନେ ଭଲକି ଜାଣିଥାନ୍ତି ଯେ ଜାପାନ ସହିତ ଲଢ଼ିବା ପାଇଁ ଭାରତର ପୂର୍ଣ୍ଣ ସହଯୋଗ ତାଙ୍କ ପାଇଁ ଲୋଡ଼ା । ତେବେ ଭାରତୀୟମାନଙ୍କ ସ୍ୱାଧୀନତା ଦାବୀ ନେଇ କୌଣସି ପ୍ରକାରେ ସେମାନଙ୍କୁ ବୁଝାଶୁଝା କରି ବୋଧ ନକଲେ ଭାରତୀୟମାନେ ତାଙ୍କୁ ପୂର୍ଣ୍ଣପ୍ରାଣରେ ସାହାଯ୍ୟ କରିବେ ନାହିଁ । ଅନ୍ୟପକ୍ଷରେ ସେତେବେଳକୁ ପ୍ରାୟ ସେମାନେ ସବୁ ଯାଗାରେ ହାରୁଥା’ନ୍ତି । ଏବେ ଭାରତ ସାହାଯ୍ୟ ନକଲେ, ସେମାନେ ବି ଜାପାନଠାରୁ ହାରିବେ । ଏଣୁ ଭାରତୀୟମାନଙ୍କୁ ବୋଧ କରିବାରେ ସାର ଷ୍ଟାଫୋର୍ଡ଼ କ୍ରିପସଙ୍କ ନେତୃତ୍ୱରେ ଏକ କ୍ୟାବିନେଟ୍ ମିଶନ ଇଂଲଣ୍ଡରୁ ଭାରତକୁ ଆସିଲେ । ସେମାନେ କଂଗ୍ରେସ ନେତାମାନଙ୍କ ସହିତ ଭବିଷ୍ୟତ ଶାସନ ଖସଡ଼ା ସଂପର୍କରେ ଆଲୋଚନା କଲେ । ଯୁଦ୍ଧ ସମୟରେ ଭାରତକୁ ସ୍ୱାଧୀନତା ଦେବାକୁ ସେମାନେ ଆଦୌ ଚାହୁଁ ନଥିଲେ; କିନ୍ତୁ ଯୁଦ୍ଧପରେ ସମ୍ଭାବନା କଥାକୁ ଦର୍ଶାଇଥାଆନ୍ତି । ଯୁଦ୍ଧପରେ କ୍ଷମତା ହସ୍ତାନ୍ତରକୁ ଗାନ୍ଧିଜୀ ଆଦୌ ଗ୍ରହଣ କରୁନଥା’ନ୍ତି । ତାଙ୍କ ଭାଷାରେ : ତୁମେ ତ ଆମ ଦେଶକୁ ରକ୍ଷା କରି ପାରିବ ନାହିଁ, ଆମ ଦେଶ ଛାଡ଼ି ଚାଲିଯା’ ।
ସେତେବେଳକୁ ଜାପାନୀମାନେ ଆସି ଭାରତ ସୀମାରେ । ତାଙ୍କ ସୈନ୍ୟବାହିନୀ ବଙ୍ଗୋପସାଗରରେ ଭେଳା ପକାଇଥାନ୍ତି । ସମୁଦ୍ର ପାଖରେ ବୋମାମାଡ଼ ଚାଲିଥାଏ ।
ଇଂରେଜମାନଙ୍କ ପ୍ରସ୍ତାବରେ କଂଗ୍ରେସ ରାଜି ହେଲା ନାହିଁ । କ୍ରିପସ୍ ମିଶନ ଫେରିଗଲେ । ଇଂରେଜର ଏହି ସଂକଟଜନକ ସ୍ଥିତିରେ ତାଙ୍କ ବିରୁଦ୍ଧରେ ଆନ୍ଦୋଳନ କରି ବିଦା ନକଲେ, ଭାରତର ସ୍ୱାଧୀନତାର ସ୍ୱପ୍ନ ଧୂଳିସାତ୍ ହୋଇଯିବ । ଅନ୍ୟପକ୍ଷରେ ଜାପାନ ଜିତିଲେ ଭାରତ କଥା ତା’ ହାତକୁ ଚାଲିଯିବ । ଗାନ୍ଧି ବୁଝାଇଦେଲେ ଯେ ଜାପାନ ସହିତ ଭାରତର ଶତ୍ରୁତା ନାହିଁ । ଜାପାନ ଭାରତ ଆକ୍ରମଣର ମୂଳ କାରଣ ହେଉଛି ଇଂରେଜ ।
ସେତିକିବେଳେ ଲାଗିପଡ଼ି ଇଂରେଜକୁ ବିଦାକଲେ, ଦେଶ ସ୍ୱାଧୀନ ହୋଇଯିବ ଏବଂ ଜାପାନ ଅପସରି ଯିବ । ଏହାଥିଲା ଗାନ୍ଧିଙ୍କର ଦୃଢ଼ମତ । ସେଥିପାଇଁ ମଧ୍ୟ ସେ ଦେଶକୁ ପ୍ରସ୍ତୁତ କରୁଥା’ନ୍ତି ଏବଂ ଦେଶବାସୀ ତଥା କଂଗ୍ରେସ ଉଦ୍ଦେଶ୍ୟରେ ଘୋଷଣା କଲେ ଯେ : ଦେଶ ମୁକ୍ତି ସଂଗ୍ରାମ ପାଇଁ ଏବେ ପ୍ରସ୍ତୁତ ହୋଇଗଲାଣି । ଆଉ ବିଳମ୍ବ କରିହେବନାହିଁ । ଯଦି କଂଗ୍ରେସ ତାଙ୍କ ସହିତ ନଆସେ, ତେବେ ସେ ନିଜେ ଏକାକୀ ଦେଶକୁ ଶେଷ ମୁକ୍ତି ସଂଗ୍ରାମରେ ଝାସ ଦେବାକୁ ପ୍ରସ୍ତୁତ କରିବେ ।
ଯଦିଓ ନେହେରୁ, ଶ୍ରୀରାଜ ଗୋପାଳଚାରୀ ଓ ଆଜାଦ୍ ସେ ସମୟରେ ପରିସ୍ଥିତିରେ ସରକାରଙ୍କ ବିରୁଦ୍ଧରେ ଯିବାକୁ ଚାହୁଁନଥିଲେ, ଗାନ୍ଧିଙ୍କର ଏ ପ୍ରକାର ଘୋଷଣାରେ ସମସ୍ତେ ରାଜିହୋଇଗଲେ । ଏକଥା ମଧ୍ୟ ତାଙ୍କ ହରିଜନ, ପତ୍ରିକାରେ ପ୍ରକାଶ କରାଇ ସଂଗ୍ରାମ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଇ ଦେଲେ ।
୧୯୪୨ ମସିହା ଅଗଷ୍ଟ ୭ ତାରିଖରେ ମହାତ୍ମାଗାନ୍ଧି ବମ୍ବେଠାରେ ନିଖିଳ ଭାରତ କଂଗ୍ରେସ କମିଟି ଆଗରେ ନିଜର ଭାରତ ଛାଡ଼, ପ୍ରସ୍ତାବ ଉପସ୍ଥାପନ କଲେ ଏବଂ ଆହ୍ୱାନ ଦେଇ କହିଲେ : ବ୍ରିଟିଶ ଶକ୍ତିର ପ୍ରତ୍ୟାହାର ପାଇଁ ପ୍ରସ୍ତୁତ କ୍ରୋଧ ମଧ୍ୟରୁ ଉତ୍ପନ ହୋଇନାହିଁ । ବର୍ତ୍ତମାନର ସଂକଟପୂର୍ଣ୍ଣ ସନ୍ଧିକ୍ଷଣରେ ଭାରତକୁ ନିଜର ଯଥାଯଥ ଭୂମିକା ଗ୍ରହଣ କରିବାକୁ ସୁଯୋଗ ଦେବାପାଇଁ ଏ ପ୍ରସ୍ତାବ ଆସିଛି । … ଯେ ପର୍ଯ୍ୟନ୍ତ ଆମେ ଏ ଯୁଦ୍ଧକୁ ନିଜର ବୋଲି ନ ଭାବିବୁ, ଯେ ପର୍ଯ୍ୟନ୍ତ ଆମେ ସ୍ୱାଧୀନ ନହୋଇଛୁ, ସେ ପର୍ଯ୍ୟନ୍ତ ଆମେ ତ୍ୟାଗ ଓ ବୀରତ୍ୱର ମନୋଭାବ ଜାଗ୍ରତ କରିପାରିବୁ ନାହିଁ ।
ଅଗଷ୍ଟ ୮, ୧୯୪୨ ମସିହାରେ ଏ ପ୍ରସ୍ତାବଟି କଂଗ୍ରେସ ଦ୍ୱାରା ଅନୁମୋଦନ ହେଲା । ସଭ୍ୟମାନେ ମୁକ୍ତି ମଶାଲ ଧରି ନିଜ ନିଜ ଅଂଚଳକୁ ଚାଲିଲେ । ଏ ପ୍ରସ୍ତାବର ନିଷ୍ପତ୍ତିକୁ ବଡ଼ଲାଟଙ୍କ ଅବଗତି ନିମନ୍ତେ ମଧ୍ୟ ଜଣାଇ ଦିଆଗଲା । ଏହାର କେଇ ଘଣ୍ଟା ପରେ ଅଗଷ୍ଟ ୯ ପ୍ରତ୍ୟୁଷରେ ହଠାତ୍ ସରକାର ଗାନ୍ଧିଜୀଙ୍କ ସହ କଂଗ୍ରେସର ଅନ୍ୟାନ୍ୟ ତୁଙ୍ଗ ନେତାମାନଙ୍କୁ ଗିରଫ କରିନେଲେ । ଜାତୀୟ କଂଗ୍ରେସକୁ ବେଆଇନ ଘୋଷଣା କରି ଦିଆଗଲା । ଗାନ୍ଧୀଙ୍କୁ ପୁନାଠାରେ ଅବସ୍ଥିତ ଆଗା ଖାଁ ପ୍ରାସାଦରେ ଓ ଅନ୍ୟମାନଙ୍କୁ ଅହମଦନଗର ଦୁର୍ଗ ମଧ୍ୟରେ ବନ୍ଦୀ କରାଗଲା । ଦେଶର ଅନ୍ୟାନ୍ୟ ପ୍ରାନ୍ତର କାର୍ଯ୍ୟକାରୀ ସଭ୍ୟମାନଙ୍କୁ ଗିରଫ କରି ନିଆଗଲା । ପରିସ୍ଥିତି ଏମିତି ହେଲା ଯେ ‘ଭାରତଛାଡ଼’ ଆନ୍ଦୋଳନ ଚଳାଇବା ପାଇଁ କେହି ନେତାଟିଏ ରହିଲେ ନାହିଁ ।
ଏହାଥିଲା ଏକ ନେତୃତ୍ୱ ବିହୀନ କ୍ରାନ୍ତିକାରୀ ବିପ୍ଲବ । ଏହି ବାର୍ତ୍ତା ତ୍ୱରିତ ବେଗରେ ଦେଶସାରା ବ୍ୟାପିଗଲା । ବମ୍ବେ ସହିତ ବିିଭିନ୍ନ ଯାଗାରେ ହଜାର ହଜାର ଲୋକ ଜମି ଯାଉଥାନ୍ତି । ଆନ୍ଦୋଳନକୁ ଦବାଇବା ପାଇଁ ସରକାରଙ୍କ ତରଫରୁ ଲାଠି, ଲୁହବୁହା ଗ୍ୟାସ ଏବଂ ଆଖି ବୁଜା ଗୁଳିଚାଳନା ଆରମ୍ଭ ହୋଇଗଲା । ଶ୍ରୀମତୀ ମୁଦୁଳା ସରାଭାଇ ଗାନ୍ଧିଜୀଙ୍କ ଠାରୁ ‘କର ବା ମର’ ବାର୍ତ୍ତାଟି ଆଣି ବାହାରେ ପ୍ରଚାର କରିଦେଲେ । ଏତିକିରେ ସରକାରଙ୍କ ବିରୁଦ୍ଧରେ ଚାଲିଲା ଖୋଲା ବିଦ୍ରୋହ ।
ଏହି ସମୟରେ ଯୁଦ୍ଧଯୋଗୁଁ ଦେଶର ଅର୍ଥନୈତିକ ଦୁର୍ଗତିର ବ୍ୟବସ୍ଥା, ଜନସାଧାରଣଙ୍କ ଉପରେ ଚାପ ପକାଉଥାଏ । ଖାଦ୍ୟ ଦ୍ରବ୍ୟର ଉତ୍କଟ, ଅଭାବ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମାତ୍ରାଧିକ ମୂଲ୍ୟ , କଣ୍ଟ୍ରୋଲ ଓ କଳାବଜାରି ଗାଁର ସାମାଜିକ ସ୍ଥିତିକୁ ଅତିମାତ୍ରାରେ ବିପନ୍ନ କରିପକାଇଥାଏ । ଏହାର ପ୍ରତିକାର ପାଇଁ ଲୋକେ ସୁଯୋଗକୁ ଅପେକ୍ଷା କରିଥାଆନ୍ତି । ସେମାନେ ଭାବୁଥାନ୍ତି : ଯେ ଯାଏଁ ଇଂରେଜ ଏ ଦେଶରୁ ନ ହଟିଛି, ଯୁଦ୍ଧର ଦାଉ ଏ ଦେଶରୁ କମିବ ନାହିଁ କି ଯୁଦ୍ଧକାଳୀନ ବିପଦରୁ ଏ ଦେଶ ମୁକ୍ତି ପାଇପାରିବ ନାହିଁ । ଭାରତ ଛାଡ଼ ଆନ୍ଦୋଳନ ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଏମୁକ୍ତି ସଂଗ୍ରାମ ସହିତ ସାମିଲ ହେବାର ସୁଯୋଗ ଯୋଗାଇଲା । ଏଣୁ ହଡ଼ା ମାତିଲେ ଗୁହାଳ ମାତିଲାପରି ନେତାଙ୍କଠାରୁ ଆରମ୍ଭ କରି ଗାଁ ଗହଳିର ସାଧାରଣ ପ୍ରଜା ଯାଏଁ ସମସ୍ତେ ମାତିଲେ ଆନ୍ଦୋଳନରେ । ଏହାକୁ ଦବାଇବାବା ପାଇଁ ଇଂରେଜ ସରକାର ଦମନଲୀଳା ନୀତି ପ୍ରୟୋଗ କଲେ । ପ୍ରଥମରୁ କଂଗ୍ରେସ ଗାନ୍ଧିଙ୍କ ନିର୍ଦ୍ଦେଶାନୁଯାୟୀ ନିରସ୍ତ୍ର ଆନ୍ଦୋଳନ କରିବାକୁ ସ୍ଥିର କରିଥିଲେ ହେଁ, ନେତାମାନଙ୍କ ଗିରଫଦାରୀ ତଥା ନେତୃତ୍ୱ ବିହୀନ ସଂଗ୍ରାମ, ଅପର ପକ୍ଷରେ ସରକାରଙ୍କର ଦମନଲୀଳା ଯୋଗୁଁ ସଂଗ୍ରାମୀମାନେ ହିଂସାକୁ ବି ଗ୍ରହଣ କରିନେଲେ । ସେମାନେ ଥାନା ଓ ଡାକଘର ପୋଡ଼ିଲେ । ରେଳ ରାସ୍ତା ଉଠାଇଦେଲେ, ଏଣେ ସରକାର ଦମନଲୀଳାରେ ହଜାରହଜାର ଗିରଫ ହେଲେ, ଗୁଳି ଖାଇ ମଲେ, ଫାଶୀ ପାଇଲେ… ଇତ୍ୟାଦି । ଏଥିରେ ଓଡ଼ିଶାର କୋରାପୁଟର, ଲକ୍ଷଣ ନାହକ ଫାଶୀ ପାଇଲେ । ବାସ୍ତବିକ ଏହି ଆନ୍ଦୋଳନରେ କେତେ ଲୋକ କି ପ୍ରକାର ଶିକାର ହେଲେ ତାର ହିସାବ ଦେବା ଅସମ୍ଭବ । ତେବେ ସରକାରୀ ହିସାବ ଠାରୁ ଏହା ଅନେକ ଗୁଣରେ ବେଶୀ ବୋଲି ଧରିବାକୁ ହେବ ।
ନେହୁରୁଙ୍କ ମତରେ : କେବଳ ଅନୁମାନ କରି କୁହାଯାଏ ପାରେଯେ ଏ ସଂଗ୍ରାମରେ ସହିଦ ହୋଇଥିବା ସଂଖ୍ୟା ୪୦୦୦ରୁ ୧୦,୦୦୦ ମଧ୍ୟରେ ହୋଇପାରେ; ୧୯୪୨ ଶେଷଯାଏଁ ବନ୍ଦୀମାନଙ୍କ ସଂଖ୍ୟା ୬୦,୦୦୦ । ଦୋଷାଭିଯୁକ୍ତ ୨୬,୦୦୦ । ଅଟକମାନଙ୍କ ସଂଖ୍ୟା ୧୮,୦୦୦ ଏବଂ ସରକାରୀ ଭାବେ କ୍ଷତିର ପରିମାଣ ଟଙ୍କା ୧୦,୦୦୦,୦୦୦ ।
ଓଡ଼ିଶାର କୋରାପୁଟ ସହିତ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲା ଏହାର ଅଂଶୀଦାର ଥିଲେ । ବାଲେଶ୍ୱର ଜିଲ୍ଲାର ଏହି ଆନ୍ଦୋଳନରେ ସର୍ବାଧିକ ଅଂଶଗ୍ରହଣ କରିଥିଲେ । କେବଳ ଇରମ ଓ ଲୁଣିଆ (ସହିଦ ନଗର) ଅଞ୍ଚଳରେ ଘଟଣା ସ୍ଥଳରେ ୨୬ମୃତ ଓ ୫୫ଜଣ ଆହତ ହୋଇଥିଲେ ।
‘ଭାରତ ଛାଡ଼ ଆନ୍ଦୋଳନ – ୧୯୪୨’ ଅହିଂସାରୁ ହିଂସାକୁ ଆଶ୍ରୟ କରିମଧ୍ୟ କୃତକାର୍ଯ୍ୟ ହୋଇପାରିଲା ନାହିଁ । ଏହି ଆନ୍ଦୋଳନର ସମାପ୍ତି ଘଟିଲା ୧୯୪୪ ମସିହା ମଇମାସ ୬ତାରିଖରେ ଗାନ୍ଧିଙ୍କ ମୁକ୍ତିରେ । ଏ ଆନ୍ଦୋଳନ କୃତକାର୍ଯ୍ୟ ନ ହେବାର କାରଣ ହେଲା : ବିନା ନେତୃତ୍ୱ ଏବଂ ବିନା ଯୋଜନାରେ ଯୁଦ୍ଧ, କର୍ମୀମାନଙ୍କର ହିଂସାଚରଣ ଯାହାକି ଗାନ୍ଧି ଓ କଂଗ୍ରେସ ନୀତିର ବିରୁଦ୍ଧଚରଣ ଥିଲା । ନେତାମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଅଭାବ ଏବଂ ଗାନ୍ଧିଙ୍କ କଥାଥିଲା ଯେ ସଂଗ୍ରାମ ଅ।।ରମ୍ଭ ହେଲାମାତ୍ରେ ଭାରତବାସୀ ନିଜକୁ ସ୍ୱାଧୀନ ଭାରତର ଲୋକବୋଲି ମନେ କରିବେ ଓ ସରକାରଙ୍କ ଠାରୁ ସମସ୍ତ ସଂପର୍କ ତୁଟାଇ ଦେଶକୁ ବିଭିନ୍ନ ଅଞ୍ଚଳରେ ଭାଗଭାଗ କରି ପ୍ରତ୍ୟେକ ଅଞ୍ଚଳରେ ପଞ୍ଚାୟତ ଗଠନ କରି ତା’ ଜରିଆରେ ଶାସନର ସମସ୍ତ କାର୍ଯ୍ୟ ନିର୍ବାହ କରିବେ ଅଥଚ ଯେଉଁ ଅଞ୍ଚଳରେ ସେମାନେ କଛି କିଛି କୃତକାର୍ଯ୍ୟ ହେଲେ, ନେତାମାନଙ୍କ ପରାମର୍ଶ ବିନା କିପରି ଏହା ଆରମ୍ଭ କରିବେ, ଜାଣିପାରିଲେ ନାହିଁ ।
ଏ ଆନ୍ଦୋଳନ ଅକୃତକାର୍ଯ୍ୟ ସତ୍ତ୍ୱେ ଅନ୍ତତଃ ଏତିକି ସୂଚାଇ ଦେଲା ଯେ ଅଖଣ୍ଡ ଭାରତର ଆବାଳବୃଦ୍ଧ ବନିତା ସ୍ୱାଧୀନ ପ୍ରାପ୍ତିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ । ଅନ୍ୟପକ୍ଷରେ ବ୍ରିଟିଶ ସରକାର ଅନୁଭବ କଲେ ଯେ ତାଙ୍କ ପାଇଁ ଭାରତରେ ଆଉ ଅନୁରକ୍ତି ବା ପ୍ରଭାବ ନାହିଁ । ସେମାନେ ତାଙ୍କୁ ମାଲିକ ବୋଲି ଗ୍ରହଣ କରିବାରେ ବାଧ୍ୟ ନୁହଁନ୍ତି । ଅର୍ଥାତ୍ ବ୍ରିିଟିଶ ସରକାର ଜାଣିଲେ ଯେ ଖୁବ୍ ଶୀଘ୍ର ତାଙ୍କୁ ଭାରତ ଛାଡ଼ିବାକୁ ହେବ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ