ଭାରତରେ ୧୯,୯୮୪ ଜଣ କୋଭିଡରେ ସଂକ୍ରମିତ ଗତ ୨୪ ଘଣ୍ଟାରେ ୫୦ ମୃତ
ନୂଆଦିଲ୍ଲୀ : କୋଭିଡର ମୁକାବିଲା, ନିରାକରଣ ଓ ପ୍ରତିରୋଧ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ (ଆଇଏମଏ)ର ଡାକ୍ତର ଓ ବରିଷ୍ଠ ପ୍ରତିନିଧିମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ। କରୋନା ଭୂତାଣୁ ମୁକାବିଲା ସମୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରର ସମସ୍ତ ପେସାଦାରଙ୍କ ସୁରକ୍ଷାଜନିତ ସମସ୍ତ ଚିନ୍ତା ଦୂର କରିବା ପାଇଁ ଆଶ୍ବାସନା ଦେଇ ଗୃହ ମନ୍ତ୍ରୀ ସେମାନଙ୍କୁ କହିଥିଲେ ଯେ ସେମାନଙ୍କ ନିରାପତ୍ତା ଓ କଲ୍ୟାଣ ନିମନ୍ତେ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ସେବାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଯଥେଷ୍ଟ ନିରାପତ୍ତା ଯୋଗାଇ ଦେବାକୁ ସମସ୍ତ ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ମଧ୍ୟ କୁହାଯାଇଥିଲା ଯେ ବର୍ତ୍ତମାନର ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ଅନ୍ୟ ପେସାଦାରଙ୍କ ତୁଳନାରେ ସେମାନଙ୍କ ଦକ୍ଷତା ଓ ସେବା ସେମାନଙ୍କୁ ଏକ ଅଭିନବ ସ୍ଥାନରେ ରଖିଛି। ଅଗ୍ରଣୀ ସ୍ବାସ୍ଥ୍ୟକର୍ମୀଙ୍କୁ ଜୀବନ ବୀମା ସୁରକ୍ଷା ଯୋଗାଇ ଦେବା ସହିତ ମାନବ ସମ୍ବଳ ବିକାଶ, ସାମର୍ଥ୍ୟ ବିକାଶ ପ୍ରଶିକ୍ଷଣ, ଡାକ୍ତରୀ ସୁରକ୍ଷା, କର୍ମଚାରୀ ଗାଇଡଲାଇନ ଓ ଯଥା ସମୟରେ ପାରିଶ୍ରମିକ ପ୍ରଦାନ, ମାନସିକ ସହାୟତା, ପ୍ରଶିକ୍ଷଣ ଆଦି ସୁବିଧା ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ, ମହାମାରୀ ନିୟନ୍ତ୍ରଣ ଆଇନ,୧୮୯୭ଅନ୍ତର୍ଗତ ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଏକ ଅଧ୍ୟାଦେଶ ଜାରି କରିବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟ ସୁପାରିସ କରିଛନ୍ତି। ସମସ୍ତ ରାଜ୍ୟରେ ରାପିଡ ଆଣ୍ଟିବଡି ଟେଷ୍ଟ ଉପଯୋଗ କରିବା ପାଇଁ ଏକ ନିୟମ ଆଇସିଏମଆର ପକ୍ଷରୁ ଜାରି କରାଯାଇଛି। ଏହା ମଧ୍ୟ ଦୋହରା ଯାଇଛି ଯେ ରାପିଡ ଆଣ୍ଟି ବଡି ଟେଷ୍ଟ କେବଳ ନିରୀକ୍ଷଣ ସୁବିଧା ଭାବେ ଉପଯୋଗ କରାଯିବ। ବିଶ୍ବସ୍ତରରେ ମଧ୍ୟ ଏହି ଟେଷ୍ଟର ପ୍ରୟୋଗ ବୃଦ୍ଧି ପାଇଛି ଏବଂ ଏହାକୁ ବ୍ୟକ୍ତିଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ଠାବ କରିବା ଲାଗି ଉପଯୋଗ କରାଯାଉଛି। ପରୀକ୍ଷଣର ଫଳାଫଳ କ୍ଷେତ୍ରୀୟ ପରିସ୍ଥିତି ଉପରେ ନିର୍ଭରଶୀଳ। ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ କୋଭିଡ ସଂକ୍ରମଣ ଠାବ କରିବା ଲାଗି ଆରଟି-ପିସିଆରର ବିକଳ୍ପ ଭାବେ ଏହି ପରୀକ୍ଷଣ କରାଯାଇପାରିବ ନାହିଁ । କ୍ଷେତ୍ର ସ୍ତରରେ ଏସବୁ ରାପିଡ ଆଣ୍ଟିବଡି ଟେଷ୍ଟର ସୁଯୋଗ ଏବଂ ଉପଯୋଗୀତା ବୃଦ୍ଧିକୁ ଆକଳନ କରିବା ନିମନ୍ତେ ବିଭିନ୍ନ ରାଜ୍ୟରୁ ତଥ୍ୟ ସଂଗ୍ରହ ନିମନ୍ତେ ଆଇସିଏମଆର ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏ ଦିଗରେ ଆଇସିଏମଆର ପକ୍ଷରୁ ରାଜ୍ୟଗୁଡ଼ିକୁ ନିୟମିତ ପରାମର୍ଶ ଯୋଗାଇ ଦିଆଯିବ। ରାଜ୍ୟଗୁଡ଼ିକୁ ଆହୁରି ମଧ୍ୟ ପରାମର୍ଶ ଦିଆଯାଇଛି ଯେ ସେମାନେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏହି ଟେଷ୍ଟ କରାଇବେ ଏବଂ ଏହାକୁ କେବଳ ଏହାର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଉପଯୋଗ କରିବେ। ଭାରତ ସରକାରଙ୍କ ପକ୍ଷରୁ ଏକ ଟେଲିଫୋନ ସର୍ବକ୍ଷେଣ କରାଯିବ ଯେଉଁଠି ନାଗରିକମାନଙ୍କୁ ଏନଆଇସି ଜରିଆରେ ୧୯୨୧ ଫୋନ ନମ୍ବରରେ ଯୋଗାଯୋଗ କରାଯିବ। ଏହା ଏକ ମୌଳିକ ସର୍ବେକ୍ଷଣ। କୋଭିଡ ଲକ୍ଷଣର ଉପସ୍ଥିତି ଏବଂ ସଂକ୍ରମଣ ସଂକ୍ରାନ୍ତରେ ଉପଯୁକ୍ତ ମତାମତ ଦେବା ନିମନ୍ତେ ସମସ୍ତ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି । ସେହିପରି ଅନ୍ୟ ନକଲି ଫୋନ କଲ ଠାରୁ ସାବଧାନ ରହିବା ଲାଗି ମଧ୍ୟ ନାଗରିକମାନଙ୍କୁ କୁହାଯାଉଛି। ଗଣମାଧ୍ୟମ ଜରିଆରେ ସାଧାରଣ ଲୋକଙ୍କୁ ଏ ବିଷୟରେ ସଚେତନ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ନିର୍ଦ୍ଦେଶ ଦିଆଯାଉଛି । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଲୋକମାନଙ୍କୁ ସୂଚିତ କରିବା ଏବଂ ଅନ୍ୟ କୌଣସି ନମ୍ବରରୁ ଆସୁଥିବା ନକଲି କଲ ପ୍ରତି ସାବଧାନ ରହିବା ନିମନ୍ତେ ସଚେତନତା ସୃଷ୍ଟି ନିମନ୍ତେ କୁହାଯାଇଛି । ସର୍ବକ୍ଷେଣ ସଂକ୍ରାନ୍ତ ସୂଚନା ସେମାନେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ଅନ୍ୟ ବିଭାଗର ହୋମ ପେଜରେ ରଖିବା ଲାଗି ମଧ୍ୟ ସେମାନଙ୍କୁ କୁହାଯାଇଛି। ଭାରତରେ ଏବେ ସୁଦ୍ଧା କୋଭିଡ-୧୯ରେ ୧୯,୯୮୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇସାରିଛି। ଏମାନଙ୍କ ମଧ୍ୟରୁ ୩୮୭୦ ଜଣ ଲୋକ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇସାରିଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ୫୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।