ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ସମ୍ପାଦକ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଏକ ୧୧ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଶୁକ୍ରବାର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବୁଲବୁଲ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୁରଣ ମିଳୁ,ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ ଯେଉଁମାନେ କି ବାଦ ପଡିଛନ୍ତି ସେମାନଙ୍କୁ ତୁରନ୍ତୁ କ୍ଷତିପୁରଣ ପ୍ରଦାନ କରାଯାଉ,କେନ୍ଦ୍ରାପଡାରେ ତୁରନ୍ତ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ସହିତ ଅବିଳମ୍ବେ ଡାଇଲେସିସ ବ୍ୟବସ୍ଥା କରାଯାଉ ଓ ଶ୍ୟାମଗୁଡିଆ ମେଡିକାଲର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରାଯାଉ,ସରକାର ଘୋଷଣା କରିଥିବା ନଦୀ ଭିତିକ ବନ୍ଦର ଆଖଡାଶାଳି ଠାରେ ନିର୍ମାଣ କରାଯାଉ,କେନ୍ଦ୍ରାପଡା ଜିଲ୍ଲାର ପଚୁଂପାଣ୍ଡବ ଠାରୁ ଭୁତୁମୁଣ୍ଡାଇ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଯେଉଁ ଟ୍ରକ ମାସ ମାସ ଧରି ଛିଡା ହୋଇ ରହିବା ଦ୍ୱାରା ଦୁର୍ଘଟଣାରେ ବହୁ ଧନଜୀବନ କ୍ଷତି ହେଉଛି ତାହାର ତୁରନ୍ତ ସମାଧାନ କରାଯାଉ,ଦୈନିକ ଯେତିକି ଟ୍ରକ ପାରାଦୀପରେ ଅନଲୋଡ ହେଉଛି ସେତିକି ଟ୍ରକ ଲୋଡ କରାଯାଉ,ସରକାରି ଉଦ୍ୟମରେ ତୁରନ୍ତ ଶୀତଳ ଭଣ୍ଡାର ଜିଲ୍ଲାରେ ପ୍ରତିଷ୍ଠା କରାଯାଉ,ଧାନମଣ୍ଡିରେ ଧାନ କିଣିବା ପାଇଁ ଗଠିତ କ୍ରୟ କମିଟିରେ ଚାଷୀମାନଙ୍କୁ ସାମିଲ କରାଯାଉ, ଜିଲ୍ଲାରେ ବ୍ୟାପକ ବୃକ୍ଷ ରୋପଣ ସହିତ ସମ୍ପୂର୍ଣ୍ଣ ପଲିଥିନକୁ ବନ୍ଦ କରାଯାଉ ଓ ଗୋବରୀ ନଦୀର ପୁନରୁଦ୍ଧାର ସହିତ କେନ୍ଦ୍ରାପଡା କେନାଲକୁ ପ୍ରଦ୍ୟୁଷଣ ମୁକ୍ତ କରାଯାଉ,କେନ୍ଦ୍ରାପଡାରେ କାଇଁଚ ଶିଳ୍ପ ସହିତ ଶ୍ରୀବଳଦେବଜୀଉ ପାୱାରଲୁମକୁ ସକ୍ଷମ କରି ନଡିଆକତା ଶିଳ୍ପ ,ଝୋଟ ଶିଳ୍ପ,ବାଉଁଶ ଶିଳ୍ପ ପ୍ରଭୃତି ପ୍ରତିଷ୍ଠା କରାଯାଉ,ପାରାଦୀପରେ ଥିବା ସମସ୍ତ ଶିଳ୍ପର ଉନ୍ନୟନ ପାଣ୍ଠିରୁ ଅଧିକାଂଶ କେନ୍ଦ୍ରାପଡାରେ ଖର୍ଚ୍ଚ କରାଯାଉ ବୋଲି ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସି.ପି.ଆଇ.ର ସହ ସମ୍ପାଦକ ଆଦିକନ୍ଦ ରାଉଳ,ବିକାଶ ଚନ୍ଦ୍ର ବେଉରା,ଶୁବାସିନୀ ଭଦ୍ର,କାହ୍ନୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।