ଭାରତୀୟ ପୋଷଣ କୃଷି କୋଷର ଶୁଭାରମ୍ଭ
ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ତଥା ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ସୋମବାର ନୂଆ ଦିଲ୍ଲୀଠାରେ ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ ଅଧ୍ୟକ୍ଷ ବିଲ ଗେଟ୍ସଙ୍କ ସହିତ ମିଶି ଭାରତୀୟ ପୋଷଣ କୃଷି କୋଷ (ବିପିକେକେ)ର ଶୁଭାରମ୍ଭ କରିଛନ୍ତି । ବିପିକେକେ ଉନ୍ନତ ପୁଷ୍ଟିସାଧନ ପରିଣାମ ପାଇଁ ଭାରତର ୧୨୮ କୃଷି-ଜଳବାୟୁ କ୍ଷେତ୍ରରେ ବିବିଧ ପ୍ରକାରର ଫସଲର ଭଣ୍ଡାର ହେବ । ଏହି ଅବସରରେ ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତସ୍ଥିତ ଦେଶୀୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ମି. ହ୍ୟାରି ମେନନଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ରବୀନ୍ଦ୍ର ପନୱାର ଉଦ୍ଦେଶ୍ୟ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଜଣାଶୁଣା କୃଷି ବୈଜ୍ଞାନିକ ଡଃ ଏମଏସ ସ୍ୱାମୀନାଥନ କହିଲେ ଯେ ଭାରତକୁ ପୁଷ୍ଟିସାଧନ କ୍ଷେତ୍ରରେ ସୁରକ୍ଷିତ କରିବା ପାଇଁ ପାଂଚ ସୂତ୍ରୀ କାର୍ଯ୍ୟ ଯୋଜନା ଲାଗୁ କରିବାକୁ ହେବ । ଏଥିରେ ରହିଛି-
– ମହିଳା, ଗର୍ଭବତୀ ତଥା ଶିଶୁଙ୍କ ପାଇଁ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଯଥେଷ୍ଟ ମାତ୍ରାରେ ଉପଲବ୍ଧ କରିବା,
– ମହିଳା ଓ ଶିଶୁଙ୍କ ମଧ୍ୟରେ ପ୍ରୋଟିନ ଅଭାବ ଦୂର କରିବା ପାଇଁ ଖାଦ୍ୟରେ ଉପଯୁକ୍ତ ମାତ୍ରାରେ ଡାଲି ଆକାରରେ ପ୍ରୋଟିନକୁ ସାମିଲ କରିବା,
– ଭିଟାମିନ ଏ, ଭିଟାମିନ ବି, ଆଇରନ ତଥା ଜିଙ୍କ ଭଳି ମାଇକ୍ରୋ ନ୍ୟୁଟ୍ରିଏଂଟ ଅଭାବ ଫଳରେ ଦେଖାଦେଉଥିବା ଖାଦ୍ୟାଭାବକୁ ଦୂର କରିବା,
– ସ୍ୱଚ୍ଛ ପିଇବା ପାଣି ଯୋଗାଣ ସୁନିଶ୍ଚିତ କରିବା ଏବଂ
– ୧୦୦ ଦିନରୁ କମ ବୟସର ଶିଶୁ ଥିବା ଗ୍ରାମରେ ମହିଳାମାନଙ୍କୁ ପୁଷ୍ଟିସାଧନ ବାବଦରେ ସଚେତନ କରାଇବା ।
ଉକ୍ତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବାଶ୍ରୀ ଚୌଧୁରୀଙ୍କ ସହିତ କୃଷି, ମାନବ ସମ୍ବଳ ବିକାଶ, ନୀତି ଆୟୋଗ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ୟୁନିସେଫ ଓ ବିଶ୍ୱ ବ୍ୟାଙ୍କର ଅନେକ ବରିଷ୍ଠ ଅଧିକାରୀ ଓ ନାଗରିକ ସମାଜର ସଦସ୍ୟ ଉପସ୍ଥିତ ଥିଲେ ।


