ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାଲେଶ୍ୱର,(ସରୋଜ ପଣ୍ଡା): ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ (ବିଏମଏସ) ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ସହ ଜିଲାପାଳଙ୍କ ଦପ୍ତର ଆଗରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ବିଏମଏସର ରାଜ୍ୟ ସଭାପତି ଶ୍ରମିକ ନେତା ପୃଥୀରାଜ ପଣ୍ଡା, ରାଜ୍ୟ ସମ୍ପାଦିକା ସୁମିତା ମହାପାତ୍ର, ଜିଲା ସଭାପତି ଶକୁନ୍ତଳା ଗୋଚ୍ଛାୟତ, ଜିଲା ସମ୍ପାଦକ ପଦ୍ମୂଷଣ ରାୟ, ପ୍ରହ୍ଲାଦ ପରିଡ଼ା, କଳ୍ପଲତା ଦାସ ପ୍ରମୁଖ ଯୋଗଦେଇ ଶାସନ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରାଗତାକୁ ତୀବ୍ର ସମାଲୋଚନା କରିଥିଲେ । ଉଭୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକାରିତା ଯୋଗୁଁ ସାଧାରଣ ଜନତା ଦୈନନ୍ଦିନ ଜୀବନରେ ନାନାବିଧି ସମସ୍ୟା ଭୋଗୁଥିବା ସେମାନେ କହିଥିଲେ । ବିଶେଷ କରି ଦେଶର ବେରୋଜଗାରଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦର ସାଧାରଣ ଲୋକଙ୍କ ଜୀବନ ଧାରଣର ମାନ ହ୍ରାସ କରିଦେଇଥିବା ବକ୍ତାମାନେ କହିଥିଲେ । ୧୮ ମାସର କରୋନା କାଳରେ ଗରିବ, ମଧ୍ୟବିତ୍ତ ଓ ନିମ୍ନପ ମଧ୍ୟବିତ୍ତ ବର୍ଗଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । ଏଭଳି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ଉପଭୋକ୍ତା ଆଇନର ସାଂଶୋଧନ ଆଣିବା, ସମସ୍ତ ପେଟ୍ରୋଲିୟମ ଉତ୍ପାଦ ସହିତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା, ପେଟ୍ରୋଲିୟମ ପଦାର୍ଥକୁ ଜିଏସଟି ଅନ୍ତର୍ଭୁକ୍ତ କରବା, କୃଷକମାନଙ୍କୁ ଲାଭଯୁକ୍ତ ମୂଲ୍ୟ ପ୍ରଦାନ ସହିତ କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବା, ଖାଦ୍ୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ପାଇଁ ଖାଇବା ତେଲ, ଡାଲି ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ସରକାର ନୂତନ ଯୋଜନା ଓ ନୀତି ପ୍ରସ୍ତୁତ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ ଦୈନନ୍ଦିନ ବ୍ୟବହୃତ ଦ୍ରବ୍ୟକୁ ପୁନଃ ସାମିଲ କରିବା, ବାଲେଶ୍ୱର ଜିଲାରେ ବନ୍ଦ ଥିବା ବିର୍ଲା ଟାୟାର୍ସ ଏବଂ ବାଲେଶ୍ୱର ଆଲୋଏଜ ଶିଳ୍ପାନୁଷ୍ଠାନକୁ କାର୍ଯ୍ୟକ୍ଷମ ସହ ଶ୍ରମିକମାନଙ୍କର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, କରୋନା ସମୟରେ ନୀର୍ଭିକ ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡି, ଆଶା କର୍ମୀ ଏବଂ ଆଶା ସାଥୀମାନଙ୍କୁ ସମସ୍ତ ସରକାରୀ ସୁବିଧା ପ୍ରଦାନ କରିବା, ବିଦ୍ୟାଳୟରେ ରୋଷେଇ କରୁଥିବା ପାଚିକା ମାନଙ୍କର ବକେୟା ଅର୍ଥ ପ୍ରଦାନ କରିବା, ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ ପ୍ରଭୃତି ପାଇଁ ସଂଗଠନ ପକ୍ଷରୁ ଏହି ପ୍ରତିବାଦ ସଭାରେ ଦାବି କରାଯାଇଥିଲା । ସରକାର ତୁରନ୍ତ ଦାବି ପୂରଣ ନକଲେ ବିଏମଏସ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଜିଲାର ବିଭିନ୍ନ ଅଞ୍ଚଳରୁ ସଂଗଠନର ବହୁ ସଦସ୍ୟ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ