ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ମଜବୁତ୍ କରିବାରେ ଶିକ୍ଷା ଏକ ପ୍ରମୁଖ ସ୍ତମ୍ଭ : ଧର୍ମେନ୍ଦ୍ର

ସିଡନୀ,(ଓ୍ବାଇଏନ୍ଏସ୍) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି ଏବଂ ଓ୍ୱେଷ୍ଟର୍ଣ୍ଣ ସିଡନୀ ବିଶ୍ୱବିଦ୍ୟାଳୟ (ଡବ୍ଲୁଏସୟୁ)ରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟରଙ୍କ ସହ ଅଷ୍ଟ୍ରେଲିଆ ଭାରତ ଶିକ୍ଷା ପରିଷଦ (ଏଆଇଇସି)ର ଷଷ୍ଠ ବୈଠକର ସହ-ଅଧ୍ୟକ୍ଷତା କରିଛନ୍ତି । ଦ୍ୱିପାକ୍ଷିକ ବୈଠକ ବେଳେ ଦୁଇ ମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ଉଭୟ ଦେଶର ସହଭାଗିତାକୁ ମଜବୁତ୍ କରିବା ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଛନ୍ତି । ଭାରତରେ ନିଜ କ୍ୟାମ୍ପସ ସ୍ଥାପନ କରିବା ଏବଂ ଭାରତର ଶିକ୍ଷାନୁଷ୍ଠାନ ସହ ସହଯୋଗୀ କ୍ଷେତ୍ର ଗୁଡିକର ଅନ୍ୱେଷଣ କରିବା ପାଇଁ ସେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ଅନୁଷ୍ଠାନକୁ ନିମନ୍ତ୍ରଣ କରିଛନ୍ତି । ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଉଭୟ ମନ୍ତ୍ରୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତି ଭାଗିଦାରୀ ଅଧୀନରେ ଶିକ୍ଷାକୁ ଏକ ପ୍ରମୁଖ ସ୍ତମ୍ଭ କରିବା ଦୃଷ୍ଟିକୋଣରେ ଶିକ୍ଷା, କୌଶଳ ଏବଂ ଗବେଷଣା ସହଯୋଗକୁ ସମ୍ପ୍ରସାରଣ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ କହିଛନ୍ତି ଯେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଗବେଷଣା କ୍ଷେତ୍ରରେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆଗକୁ ନେବାରେ ଏଆଇଇସି ଏକ ପ୍ରଭାବଶାଳୀ ମଞ୍ଚ । ୨୦୨୩ରେ ଭାରତରେ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ସପ୍ତମ ବୈଠକ କରିବା ପାଇଁ ସେ ଅଷ୍ଟ୍ରେଲିଆ ଟିମକୁ ପ୍ରସ୍ତାବ ଦେଇଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ଆୟୁର୍ବେଦ, ଯୋଗ ଏବଂ କୃଷି ଇତ୍ୟାଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଗବେଷଣା ସହଯୋଗ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଦକ୍ଷତା ପ୍ରମାଣପତ୍ର ଏବଂ ଖଣି, ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇତ୍ୟାଦି କ୍ଷେତ୍ରରେ ସହଯୋଗ କରିବାକୁ ସେ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଭାରତ ଡିଜିଟାଲ ବିଶ୍ୱବିଦ୍ୟାଳୟ ଏବଂ ଗତିଶକ୍ତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରୁଅଛି । ଏହି ମର୍ମରେ ଏହି ବିଶ୍ୱବିଦ୍ୟାଳୟର ପାଠ୍ୟଖସଡାକୁ ଏବଂ ଆନୁଷଙ୍ଗିକ ବ୍ୟବସ୍ଥାର ବିକଶିତ କରିବା ପାଇଁ ଅଷ୍ଟ୍ରେଲିଆ ଓ ଭାରତ ମିଳିତ ଭାବରେ କାମ କରିପାରିବେ । ଅଷ୍ଟ୍ରେଲିଆ ଯାଉଥିବା ଭାରତୀୟ ଛାତ୍ରଙ୍କ ବିଚାରଧୀନ ଥିବା ଭିସା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ଏହି ଆଧାରରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ବିଚାରଧୀନ ଭିସାକୁ ତ୍ୱରାନ୍ୱିତ କରିବାରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ମନ୍ତ୍ରୀ ଏକ ମିଳିତ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଶିକ୍ଷାନୁଷ୍ଠାନ ଭାଗିଦାରୀକୁ ସୁଦୃଢ଼ କରିବା, ଉଭୟ ଦେଶର ବିଶ୍ୱବିଦ୍ୟାଳୟ ମଧ୍ୟରେ ନୂଆ ସମ୍ଭାବନାର ନୂତନ ସୁଯୋଗ ସୃଷ୍ଟି କରିବା ଏବଂ ଏହି କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସହଭାଗୀତାରେ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଏକ ଦେଶାନ୍ତର ଶିକ୍ଷା ଉପରେ ଏକ ଓ୍ୱାର୍କିଂ ଗ୍ରୁପ ଗଠନ କରିବା ପାଇଁ ଘୋଷଣା କରାଯାଇଛି । ଏହାବ୍ୟତିତ ଶିକ୍ଷା, ଦକ୍ଷତା ଏବଂ ଗବେଷଣା କ୍ଷେତ୍ରରେ ଦୀର୍ଘ ଦିନର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍ କରିବା ଉପରେ ଦୋହରାଇଥିଲେ । ଦୁଇ ଦେଶର ଛାତ୍ରଛାତ୍ରୀଙ୍କ ମୋବିଲିଟି ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗକୁ ବୃଦ୍ଧି କରିବା ପାଇଁ ଡ଼ୁଆଲ ଡିଗ୍ରୀ ପାଠ୍ୟକ୍ରମ ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟର ସହଯୋଗ ପ୍ରତିଷ୍ଠା ଦିଗରେ ଅଷ୍ଟ୍ରେଲିଆ ସରକାରଙ୍କ ଆଗ୍ରହକୁ ପ୍ରଶଂସା କରିଛନ୍ତି । ଦୁଇ ବର୍ଷ ପୂର୍ବରୁ ଭାରତରେ ଅନୁଷ୍ଠିତ ହୋଇଥିବା ଏଆଇଇସି ବୈଠକର ଅଗ୍ରଗତି ଓ ନିଷ୍ପତି ସହ ଉଭୟ ରାଷ୍ଟ୍ର ମଧ୍ୟରେ ଗବେଷଣା କ୍ଷେତ୍ରରେ ଅଧିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଆଜିର ଆଲୋଚନା ମାର୍ଗ ପ୍ରଶସ୍ତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ ଦ୍ୱିପାକ୍ଷିକ ସହଯୋଗର ସୁଯୋଗକୁ ବ୍ୟାପକ କରିଛି । ବିଶେଷ ଭାବରେ ଶିକ୍ଷାର ଆନ୍ତର୍ଜାତିକକରଣ, ଦକ୍ଷତା ବିକାଶର କ୍ଷମତା ବୃଦ୍ଧି ଏବଂ ଦୁଇ ଦେଶର ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନର ଗତିଶୀଳତାକୁ ପ୍ରୋତ୍ସାହନ ଦେଉଅଛି ବୋଲି ସେ କହିଛନ୍ତି । ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ଅବସରରେ ଓଡ଼ିଶାର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର ଓ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ । ସେହିପରି ସିଡନୀ ଠାରେ ନ୍ୟୁ ସାଉଥ ଓ୍ୱେଲ୍ସ ସରକାରର ଶିକ୍ଷା ମନ୍ତ୍ରୀ ଦାୟିତ୍ୱରେ ଥିବା ସାରହା ମିଚେଲଙ୍କ ସହ ହୋମ୍ବୁସ ଓ୍ୱେଷ୍ଟ୍ ପବ୍ଲିକ ସ୍କୁଲ ଗସ୍ତ କରି ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଭେଟିଥିଲେ । ପରେ ସିଡନୀ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏଡ୍ ଟେକ୍ନଲୋଜି ପରିଦର୍ଶନ କରିଥିଲେ । ଏହା ଉଲ୍ଲନଗୋଙ୍ଗ୍ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରେ କୁଳପତିଙ୍କ ସହ ମଧ୍ୟ ପ୍ରଧାନ ସାକ୍ଷାତ ଆଲୋଚନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ