କେନ୍ଦ୍ରାପଡାରେ ସ୍ୱତନ୍ତ୍ର ଭୀମଭୋଇ ସାମର୍ଥ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ ୟୁଡିଆଇଡି ସାର୍ଟିଫିକେଟ ନଥିବା ଭିନ୍ନକ୍ଷମମାନେ ଆସନ୍ତା ସେପ୍ଟେମ୍ବରମାସ ୧ତାରିଖ ଠାରୁ ପୁରୁଣା ଭିନ୍ନକ୍ଷମ ସାର୍ଟିଫିକେଟରେ ଆଉ କୈାଣସି ସରକାରୀ ସୁବିଧା ପାଇପାରିବେ ନାହିଁ । ତେଣୁ ପୁରୁଣା ପ୍ରମାଣପତ୍ର ଥିବା କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଭିନ୍ନକ୍ଷମମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ଅନଲାଇନରେ ଦରଖାସ୍ତ କରି ୟୁଡିଆଇଡି ସାର୍ଟିଫିକେଟ ହାସଲ କରିବା ନିତ୍ୟାନ୍ତ ଆବଶ୍ୟକ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପୈାରପରିଷଦ ଟାଉନହଲ ପରିସରରେ ସୋମବାର ଆରମ୍ଭ ହୋଇଥିବା ଶିବିର ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବ । ଏହି ଶିବିରରେ ମାନସିକ ଭିନ୍ନକ୍ଷମ ବିଭାଗ ବ୍ୟତିତ ଅନ୍ୟ ସମସ୍ତ ବିଭାଗ ପାଇଁ ଡାକ୍ତର ଓ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ । ଶଲ୍ୟ ବିଭାଗର ଡା. ବୀରେନ୍ଦ୍ର କୁମାର ଦାସ ଓ ଡା. ଶ୍ରୀକାନ୍ତ କୁମାର ସ୍ୱାଇଁ, ଶ୍ରବଣ ବିଭାଗର ଡା. ବିଜୟ କୁମାର ଦାସ, ଚକ୍ଷୁ ବିଭାଗର ଡା. ଅଜୟ କୁମାର ସାହୁ, ଶିଶୁ ବିଭାଗର ଡା. କିଶୋର ଚନ୍ଦ୍ର ମିଶ୍ର ଏବଂ ସହାୟକ ଭାବେ ଚନ୍ଦନ ବେହେରା, ସ୍ୱପ୍ନାମଞ୍ଜରୀ ଦାସ, ସତ୍ୟବ୍ରତ ଜେନା, ହେମନ୍ତ କୁମାର ନାୟକ, ଅଧିକାରୀ ରମାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସକାଳ ୧୦ଟା ଠାରୁ ଟାଉନହଲ ପରିସରରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରପାଳିକାରୁ ଅନଲାଇନରେ ଆବେଦନ କରିଥିବା ଶ୍ରବଣ ବିଭାଗର ୬୬ଜଣ, ଚକ୍ଷୁ ବିଭାଗର ୭୪ଜଣ, ଅସ୍ଥିଶଲ୍ୟ ଓ ଅନ୍ୟାନ୍ୟ ବିଭାଗର ମୋଟ ୨୩୬ଜଣ ଭିନ୍ନକ୍ଷମଙ୍କୁ ପରୀକ୍ଷା କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲ୍ଲାର ୬ଟି ସ୍ୱତନ୍ତ୍ର ବିଦ୍ୟାଳୟର କେତେକ କର୍ମଚାରୀ ଉପସ୍ଥିତ ରହି ଭିନ୍ନକ୍ଷମଙ୍କ ପଞ୍ଜିକରଣ ଓ ଡାକ୍ତରୀ ପରୀକ୍ଷା କରାଇବା ପାଇଁ ସହଯୋଗ କରିଥିଲେ ।


