ଭାରତ ବନ୍ଦକୁ ସିପିଆଇ (ଏମ୍-ଏଲ୍) ଲିବରେସନର ସମର୍ଥନ
ଭୁବନେଶ୍ୱର, (ୱାଇଏନ୍ଏସ୍): ସଂଯୁକ୍ତ କୃଷକ ମୋର୍ଚ୍ଚା ୨୭ ସେପ୍ଟେମ୍ବରକୁ ଭାରତ ବନ୍ଦର ଡ଼ାକରା ଦେଇଛି । ଯାହାକୁ ସିପିଆଇ (ଏମ୍-ଏଲ୍) ଲିବରେସନ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରୁଛି । କେନ୍ଦ୍ରର ତିନି କଳା କୃଷି ଆଇନ୍, ବିଜୁଳି ବିଲ୍ ୨୦୨୦, ଚାରି ଶ୍ରମକୋଡ଼ ବାତିଲ୍, ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଦାବି ସହ ଦେଶର ସମସ୍ତ ମୂଲ୍ୟବାନ ସମ୍ପତ୍ତିକୁ ଆଖିବୁଜା କର୍ପୋରେଟ ସଂସ୍ଥାକୁ ଟେକି ଦେବା, ଶିକ୍ଷା ଓ ସ୍ୱାସ୍ଥ୍ୟରେ ବ୍ୟବସାୟୀକରଣ କରିବା ବିରୁଦ୍ଧରେ ଏହି ଡ଼ାକରା ଦିଆଯାଇଛି । ଏହା କେବଳ ଏତିକିରେ ସୀମିତ ନାହିଁ, ସମ୍ବିଧାନ, ଗଣତନ୍ତ୍ର, ଗଣତାନ୍ତ୍ରିକ ଅନୁଷ୍ଠାନ ଓ ବ୍ୟକ୍ତି ସ୍ୱାଧୀନତା ଆଜି ବିପନ୍ନ । କଷ୍ଟସାଧ୍ୟ ସ୍ୱାଧୀନତା ଓ ଶ୍ରମିକଙ୍କ ଅଧିକାର ସବୁ ଧୂଳିସାତ ହେବାରେ ଲାଗିଛି । ଦରଦାମ ବୃଦ୍ଧି ଓ ବେକାରୀ ସଙ୍ଗୀନ ହେବାରେ ଲାଗିଛି । ସୁପ୍ରିମକୋର୍ଟ ନେତୃତ୍ୱାଧୀନ ଚୟନ କମିଟି ଦ୍ୱାରା ଟ୍ରିବୁନାଲ ସଦସ୍ୟ ଓ ବିଭିନ୍ନ କୋର୍ଟର ବିଚାରପତି ନିଯୁକ୍ତି ମଧ୍ୟ କେନ୍ଦ୍ରର ମନମାନିରେ ଚାଲିଛି । ଏହା ଗଣତନ୍ତ୍ର ପ୍ରତି ଏକ ଶକ୍ତ ଧକ୍କା । ଦେଶରେ ଲକ୍ଷ ଲକ୍ଷ କୃଷକଙ୍କ ଆନ୍ଦୋଳନ ପ୍ରତି ହେୟ ମନୋଭାବ ଓ ଗଣତାନ୍ତ୍ରିକ ଆନ୍ଦୋଳନକୁ ଆଖିବୁଜା ଆକ୍ରମଣ ଆଜି ସାଧାରଣ ଘଟଣାରେ ପରିଣତ ହୋଇଛି । ଏହି ଭୟଙ୍କର ପରିସ୍ଥିତିରେ ବିଜେପି, ଆରଏସ୍ଏସ୍ର ସୈରତନ୍ତ୍ର ବିରୁଦ୍ଧରେ ଦେଶକୁ ରକ୍ଷା କରିବା ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେଣୁ ଆମ ପାର୍ଟି ସମସ୍ତ ବାମପନ୍ଥୀ ଗଣତାନ୍ତ୍ରିକ ଶକ୍ତି ସହ ସମ୍ମିଳିତ ଭାବେ ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେଉଛି ।


