ଭାରତ ବନ୍ଦ ସଫଳତାରେ ବିଳିବିଳେଇ ହେଉଥିବା ଦଳିତ ଆଦିବାସୀଦ୍ରୋହୀ ନେତୃବୃନ୍ଦଙ୍କୁ ଏହି ସମାଜ କ୍ଷମା ଦେବ ନାହିଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ୨୧ ଅଗଷ୍ଟରେ ଭାରତ ବନ୍ଦ ଡାକରାକୁ ରାଜ୍ୟବାସୀ ବିପୁଳ ସମର୍ଥନ ଜଣାଇ ଏହାକୁ ସଫଳ କରିଥିବାରୁ ଏସ୍‌ସି, ଏସ୍‌ଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ଓ ସମସ୍ତ ସହଭାଗୀ ରାଜନୈତିକ ଦଳ ତଥା ଗଣ ସଂଗଠନଗୁଡ଼ିକୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏଥିସହିତ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସଦସ୍ୟ ଥିବା ଏବଂ ଏସ୍‌ସିଏସ୍‌ଟି ସ୍ଥାନ ସଂରକ୍ଷଣର ସୁବିଧା ନେଇ ବ୍ୟକ୍ତିଗତ ଓ ପାରିବାରିକ ସ୍ୱାର୍ଥ ସାଧନ କରିଥିବା କିଛି ଜାତିଦ୍ରୋହୀ ବ୍ୟକ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିବା ସହିତ ଭାରତ ବନ୍ଦ ବିଫଳ ହେବା ଭଳି ହାସ୍ୟାସ୍ପଦ ମନ୍ତବ୍ୟକୁ ଜଏଣ୍ଟ ଆକ୍ସ କମିଟି ତୀବ୍ର ନିନ୍ଦା କରିବା ସହିତ ଏଭଳି ଗୃହ ଶତୃମାନଙ୍କୁ ଏସ୍‌ସିଏସ୍‌ଟି ସମାଜ ଆଗାମୀ ଦିନରେ ସଠିକ ଜବାବ ଦେବ ବୋଲି ଚେତାଇ ଦେଇଛି ।ଉଲ୍ଲେଖଯୋଗ୍ୟ ଯେ, ଭାରତ ବନ୍ଦ ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳରୋକ, ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରାଯିବା, ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ ଆଦି ସମ୍ମୁଖରେ ପିକେଟିଂ କରାଯିବା ସହିତ ଶୋଭାଯାତ୍ରା କରି ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ସମଗ୍ର ରାଜ୍ୟରେ ରାଜଧାନୀ ସମେତ ୩୦ଗୋଟି ଜିଲ୍ଲାର ମୁଖ୍ୟାଳୟ ଓ ୩୧୪ ବ୍ଲକ ମଧ୍ୟରୁ ୨୯୦ଟି ବ୍ଲକରେ ଭିନ୍ନ ଭିନ୍ନ ତରିକାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏସ୍‌ସିଏସ୍‌ଟି ଜଏଣ୍ଟ ଆକ୍ସନ କମିଟିର ଆହ୍ୱାନକ୍ରମେ ରାଜ୍ୟର ବିଭିନ୍ନ ଗଣସଂଗଠନ ଓ ବହୁଜନ ସମାଜପାର୍ଟିର୍, ଆଜାଦ ସମାଜପାର୍ଟି, ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ସିପିଆ (ଏମ୍‌ଏଲ୍‌) ଲିବରେସନ, ସିପିଆଇ ଏମ୍‌ଏଲ୍ (ରେଡ଼ଫ୍ଲାଗ) ସମାଜବାଦୀ ପାର୍ଟି ଆଦି ରାଜନୈତିକ ଦଳଗୁଡ଼ିକ ଏହି ବନ୍ଦକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଥିଲେ ।ଅପରପକ୍ଷରେ ଅଗଷ୍ଟ ୯ ତାରିଖରେ ଏହି ବିଷୟକୁ ନେଇ ବିଜେପି ଦଳର ୭୦ଜଣ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କ୍ରିମିଲେୟାର ପଦ୍ଧତି ଗ୍ରହଣ କରାନଯିବା ସମ୍ପର୍କରେ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ବୋଲି ମିଡ଼ିଆ ସମ୍ମୁଖରେ ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ସଂସ୍ଥା ପ୍ରେସ୍ ଇନଫରମେଶନ ବ୍ୟୁରୋ (ପିଆଇବି) ୱେବସାଇଟରେ କେନ୍ଦ୍ର କ୍ୟାବିନେଟ ବୈଠକ ସମ୍ପର୍କିତ ପ୍ରେସ୍ ରିଲିଜ୍ ସ୍ଥାନିତ ହୋଇଥାଏ । ଆଶ୍ଚର୍ଯ୍ୟଜନକ ଭାବରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ଦିନ, ୨୦୨୪ ଅଗଷ୍ଟ ୧ ତାରିଖ ଠାରୁ ଏପର୍ଯ୍ୟନ୍ତ ପିଆଇବି ୱେବସାଇଟ୍‌ରେ ୩ଟି କ୍ୟାବିନେଟ ବୈଠକରେ ନିଆଯାଇଥିବା ୧୦ଗୋଟି ନିଷ୍ପତ୍ତି ସମ୍ପର୍କରେ ପ୍ରେସ୍ ରିଲିଜ୍ ରହିଥିଲା ବେଳେ କ୍ରିମିଲେୟାର ସମ୍ପର୍କିତ ନିଷ୍ପତ୍ତିର କୌଣସି ପ୍ରେସ୍ ରିଲିଜ୍ ନାହିଁ । ଶ୍ରୀ ବୈଷ୍ଣବଙ୍କ ବିବୃତ୍ତି, ଏସ୍‌ସିଏସ୍‌ଟି ସମାଜକୁ ଭ୍ରମିତ କରିବାକୁ କେନ୍ଦ୍ର ସରକାରଙ୍କ ଏକ ହୀନ ପ୍ରୟାସ ଥିଲା ବୋଲି ସ୍ପଷ୍ଟ ପ୍ରତିଭାତ ହେଉଛି । ଯଦି ଏଭଳି କୌଣସି କ୍ୟାବିନେଟ ନିଷ୍ପତ୍ତି ହୋଇଛି ତାହାକୁ ନୋଟିଫିକେଶନ ମାଧ୍ୟମରେ ପ୍ରକାଶ କରିବାକୁ ଜଏଣ୍ଟ ଆକ୍ସନ କମିଟି ଦାବି କରୁଛି ।ପୁନଶ୍ଚ ଉଲ୍ଲେଖନୀୟ ଯେ, ଏହି ଦଳର ସଦସ୍ୟ ଥିବା ଓ ସ୍ଥାନ ସଂରକ୍ଷଣ ସୁବିଧା ନେଇ ବିଭିନ୍ନ ପଦ ପଦବୀରେ ଆସୀନ କିଛି ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରି ଭାରତ ବନ୍ଦ ବିଫଳ ହେଲା ବୋଲି ସର୍ବସାଧାରଣରେ କହିଛନ୍ତି । ବିଜେପି ଦଳର ଏସ୍‌ସି ସେଲ୍‌ର ଅଧ୍ୟକ୍ଷ ତଥା ସାଂସଦ ବିଭୁପ୍ରସାଦ ତରାଇଙ୍କ ବାର୍ତ୍ତା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏସ୍‌ସି-ଏସ୍‌ଟି ସମାଜ ସ୍ୱତଃ ବନ୍ଦ ପାଳନ କରିଥିଲା ବେଳେ ଏହା ଇଣ୍ଡଆ ମେଣ୍ଟର ଷଡ଼ଯନ୍ତ୍ର ବୋଲି କହିବା ଏହି ବର୍ଗ ପ୍ରତି ଅପମାନ ଓ ବିଜେପିର ଏସ୍‌ସ-ଏସ୍‌ଟି ବିରୋଧୀ ଆଭିମୁଖ୍ୟ ଶ୍ରୀ ତରାଇଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି । ତାଙ୍କର ଏଭଳି ଆଚରଣ ପାର୍ଟିର ସ୍ୱାର୍ଥ ସାଧନ ନିମନ୍ତେ ଜାତିକୁ ବଳି ପକାଇବା ସଦୃଶ । ଏସ୍‌ସିଏସ୍‌ଟି ସମାଜ ସ୍ୱତଃ ବନ୍ଦ ପାଳନ କରିଥିଲା ବେଳେ ଏହା ଇଣ୍ଡିଆ ମେଣ୍ଟର ଷଡ଼ଯନ୍ତ୍ର ବୋଲି କହିବା ଏହି ବର୍ଗ ପ୍ରତି ଅପମାନ ଓ ବିଜେପିର ଏସ୍‌ସି-ଏସ୍‌ଟି ବିରୋଧୀ ଆଭିମୁଖ୍ୟ ଶ୍ରୀ ତରାଇଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି । ଏଭଳି ସମସ୍ତ ଜାତିଦ୍ରୋହୀ ବ୍ୟକ୍ତିଙ୍କୁ ଜଏଣ୍ଟ ଆକ୍ସନ କମିଟି ତୀବ୍ର ନିନ୍ଦା କରୁଛି ଓ ସେହିସବୁ ବ୍ୟକ୍ତିମାନେ ସର୍ବ ସମ୍ମୁଖରେ କ୍ଷମା ମାଗିଲେ ଏସ୍‌ସିଏସ୍‌ଟି ସମାଜ ଉପଯୁକ୍ତ ଜବାବ ଦେବେ ବୋଲି ଚେତେଇ ଦେଉଛି । ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ସଞ୍ଜୟ ହାବଡ଼ା, ସଂଗ୍ରାମ ମଲିକ, ଅଭିରାମ ମଲ୍ଲିକ, ନାରାୟଣ ସେଠି, ଲିଟୁ ଦାସ, ଗଙ୍ଗାଧର ସେଠି, ଅନିଲ କୁମାର ମଲ୍ଲିକ, ରବୀନ୍ଦ୍ର ସେଠି ପ୍ରମୁଖ ଏକ ପ୍ରେସ୍‌ବାର୍ତ୍ତା ଯୋଗେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ