ଭିକାରିମାନଙ୍କ ବଦାନ୍ୟତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭିକାରିମାନଙ୍କ ବଦାନ୍ୟତା! ପବିତ୍ର କାର୍ତ୍ତିକ ମାସ ଶେଷଦିନ କାର୍ତ୍ତିକ ପୂର୍ଣ୍ଣିମାରେ ଦିନଯାକର ମିଳିଥିବା ଭିକ୍ଷାକୁ ଅର୍ଥକୁ ଏକାଠି କରି ମନ୍ଦିର ଉନ୍ନତି ପାଇଁ ଦାନ କରି ପୁଣ୍ୟ ଅର୍ଜନ କରିଛନ୍ତି । ଏ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ । କାର୍ତ୍ତିକ ପୂର୍ଣ୍ଣିମା ଯୋଗୁଁ ଶୈବପୀଠ ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା । ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଅଧିକ ଭିକ୍ଷା ଆଶାରେ ମନ୍ଦିର ବାହାରେ ପ୍ରାୟ ସହରର ଅଧିକାଂଶ ଭିକାରିଙ୍କ ଭିଡ଼ ମଧ୍ୟ ଜମିଥିଲା । ଭକ୍ତମାନେ ନିଜ ନିଜ ସମ୍ବଳ ଅନୁସାରେ ଭିକାରିଙ୍କୁ ଚାଉଳ ଓ ଟଙ୍କା ପଇସା ଦେଇ ନିଜ ପାଇଁ ପୁଣ୍ୟ ଅର୍ଜୁଥିଲେ । ଅପରାହ୍ନରେ ମନ୍ଦିରରେ ଭକ୍ତଙ୍କ ଭିଡ଼ କମିବା ପରେ ବାହାରେ ବସି ଭିକ୍ଷା ମାଗୁଥିବା ଭିନ୍ନକ୍ଷମ ପୁରୁଷ ମହିଳା ଭିକାରି ମାନେ ଏକତ୍ରିତ ହୋଇ ନିଜ ନିଜ ଭିତରେ ଆଲୋଚନା କଲେ । ମନ୍ଦିର ଉନ୍ନତି ପାଇଁ କିଛି ଦାନ କରି ସେମାନେ ମଧ୍ୟ ପୁଣ୍ୟ ଅର୍ଜିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପ୍ରତ୍ୟେକେ ଭିକ୍ଷା ବୃତ୍ତିରୁ ପାଇଥିବା ଅର୍ଥ ଏକତ୍ରିତ କରିଥିଲେ । ଜଣେ ଭିନ୍ନକ୍ଷମ ଭିକ୍ଷୁକ ପ୍ରତିନିଧି ଭାବେ ଯାଇ ମନ୍ଦିର ହୁଣ୍ଡିରେ ଟଙ୍କା ଦାନ କରିଥିଲେ । ଏହି ଦୃଶ୍ୟ ଉପସ୍ଥିତ ସମସ୍ତ ଭକ୍ତ, ସେବାୟତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅନ୍ୟକୁ ହାତ ପାତି ଆହାର ମୁଠାଏ ପାଉଥିବା ଲୋକ ମନ୍ଦିରକୁ ଦାନ କରି ନିଜ ନିଜ ବଦାନ୍ୟତା ଦେଖାଇବା ଆଜିର ସମାଜ ପାଇଁ ଏକ ଉଦାହରଣ ବୋଲି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ