ଭିତରଗଡ ପଂଚାୟତ ସରପଂଚଙ୍କୁ ଦେବଦୂତ ସମ୍ମାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାର ରାଜନଗର ବ୍ଲକଟି ଅନ୍ତରାଜ୍ୟ ଓ ଅନ୍ତରାଷ୍ଟ୍ରୀୟ ପ୍ରବାସୀ ଶ୍ରମିକଙ୍କ ପାଇଁ ବେଶ ପରିଚିତ । କରୋନା ମହାମାରୀ ପ୍ରକୋପରେ ସେମାନଙ୍କ କର୍ମ ସଂସ୍ଥାନ ପ୍ରଭାବିତ ହେବାରୁ ଅଧିକାଂଶ ଗ୍ରାମକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଏହି ବ୍ଲକର ହଜାର ହଜାର ପ୍ରବାସୀଙ୍କୁ କରୋନା କଟକଣା ନିୟମ ପାଳନ କରି ଗାଁକୁ ଆସିବା ପରେ ସଙ୍ଗରୋଧକେନ୍ଦ୍ରରେ ଶୃଙ୍ଖଳିତ ଭାବେ ରଖାଯିବା ଏକ ବଡ ଆହ୍ୱାନ ଥିଲା । ଭିତରଗଡ ଗ୍ରାମପଂଚାୟତ ନବଗଠିତ ପଂଚାୟତ ହୋଇଥିଲେ ମଧ୍ୟ ସରପଂଚ ସଂଗୀତା ବଳ ନିଜର ନିଷ୍ଠା ଓ ଧର୍ଯ୍ୟ ପ୍ରଦର୍ଶନ ପୂର୍ବକ ଦକ୍ଷ ନେତୃତ୍ୱ ବଳରେ ଏହି ସମସ୍ୟାକୁ ଅତି ସୁନ୍ଦର ଭାବରେ ପରିଚାଳନା କରିବାରେ ସଫଳ ହୋଇଛନ୍ତି । ପ୍ରବାସୀମାନଙ୍କୁ ମନରେଗା ଯୋଜନାରେ କାମଧନ୍ଦା ଯୋଗାଇ ଦେଇ ସେମାନଙ୍କ ପ୍ରସଂଶା ଭାଜନ ହୋଇଛନ୍ତି । କରୋନା ଯୋଦ୍ଧା ଭାବେ ସଂଗୀତା ବଳଙ୍କୁ ଏହି କୃତିତ୍ୱ ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କଲ୍ୟାଣୀ ମଲଟି ପରପୋଜ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଦେବଦୂତ ସମ୍ମାନ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କରୋନା କଟକଣା ନିୟମ ପାଳନ ପୂର୍ବକ ସ୍ଥାନୀୟ ଶିକ୍ଷାବୀତ ରଙ୍ଗାଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଟ୍ରଷ୍ଟର ସଭାପତି ସନ୍ତୋଷ କୁମାର ପୋଥାଳ, ଉପଦେଷ୍ଟା ଅମରବର ବିଶ୍ୱାଳ, ସଂଯୋଜକ ତ୍ରିଲୋଚନ ବେହେରା ପ୍ରମୁଖ ଉତ୍ତରୀୟ, ପୁଷ୍ପଗୁଛ ଓ ପ୍ରଶସ୍ତିପତ୍ର ପ୍ରଦାନକରି ସରପଂଚ ଶ୍ରୀମତୀ ବଳଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ପଂଚାୟତର ବହୁ ରାସ୍ତାଘାଟ,କୃଷି ପାଇଁ କେନାଲ ଖନନ ଓ ବ୍ୟାପକ ବୃକ୍ଷ ରୋପଣ ସହ ପରିବେଶ ଓ ପରିଛନ୍ନତା କ୍ଷେତ୍ରରେ ସାରା ଜିଲ୍ଲାରେ ସୁନାମ ଆଣିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଏ ଅବସରରେ ଚାନ୍ଦିବାଉଁଶମୂଳ ଗ୍ରାମପଂଚାୟତର ପୂର୍ବତନ ସରପଂଚ ମୋହନ କୁମାର ଦାସ,କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦର ପ୍ରତିଷ୍ଠାତା ସୁଶ୍ରିକାନ୍ତ ପରିଡାଙ୍କୁ ମଧ୍ୟ କରୋନା କାର୍ଯ୍ୟକ୍ରମ ନିମନ୍ତେ ସମ୍ମାନୀତ କରାଯାଇଛି । ଶେଷରେ ଟ୍ରଷ୍ଟର ସଂଯୋଜକ ତ୍ରିଲୋଚନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


