ଭିନ୍ନକ୍ଷମଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ଅଭିଯୋଗ ପରେବି ପ୍ରଶାସନ ନିରବ
ନାଉଗାଁ,: ସରକାର ଆର୍ଥିକ ଅନଗ୍ରସର ,ଭିନ୍ନକ୍ଷମ, ବିଧବା ଆଦି ପରିବାରଙ୍କ ପାଇଁ ପ୍ରଣୟନ କରିଛନ୍ତି ଖାଦ୍ୟ ସୁରକ୍ଷା ଆଇନ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଯୋଜନାରୁ ଗରିବ ଓ ଭିନ୍ନକ୍ଷମ ବାଦ ପଡୁଥିବା ବେଳେ ଆର୍ଥିକ ସ୍ୱଛଳ ଓ ଏକର ଏକର ସଂପତିର ମାଲିକ ହୋଇଥିଲେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଂଚାୟତର ବାଲିଗାଁ ଗ୍ରାମରେ ।\n ପ୍ରାପ୍ତ ସୂଚନା ଅନୁସାରେ ନାଉଗାଁ ବ୍ଲକ କୋରୁଅ ପଂଚାୟତର ବାଲିଗାଁରେ ନିବାସ ମହାନ୍ତି(୩୨)ଙ୍କ ଘର । ଘରେ ପତ୍ନୀଙ୍କ ସହ ଗୋଟିଏ ଛୋଟ ଝିଅକୁ ନେଇ ତାଙ୍କ ସଂସାର । ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ଦିନ ତଳେ ସେ ରାଜ୍ୟ ବାହାରକୁ ଯାଇ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ଆସୁଥିଲେ । କାର୍ଯ୍ୟ କରୁଥିବା ସମୟରେ ତାଙ୍କର ଦୁର୍ଘଟଣା ଘଟି ଡାହଣ ଗୋଡ ଆଣ୍ଠୁ ଉପରକୁ କଟିଯାଇଥିଲା । ସେହିଦିନ ଠାରୁ ସେ ଶାରୀରିକ ଅକ୍ଷମ ହୋଇଯାଇଥିଲେ । ଦୀର୍ଘଦିନ ଚିକିତ୍ସା ପରେ ଘରକୁ ଫେରିଲେ ସତ ହେଲେ ସବୁଦିନ ପାଇଁ ଶାରୀରିକ ବିକଳାଙ୍ଗ ହୋଇଗଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୨ ମସିହାରେ ନିବାସଙ୍କୁ ୭୫ ଭାଗ ଅକ୍ଷମ ହୋଇଥିବା ପ୍ରମଣାପତ୍ର ଦିଆଯାଇଥିଲା । କିନ୍ତୁ ତାଙ୍କୁ କେବଳ ବିକଳାଙ୍ଗ ଭତା ବାବଦକୁ ୫୦୦ ଟଙ୍କା ପ୍ରଦାବ କରାଯାଉଥିବା ବେଳେ ଆଉ କୌଣସି ସୁବିଧା ସୁଯୋଗ ମିଳୁ ନଥିବା ନିବାସ ଅଭିଯୋଗ କରୁଛନ୍ତି । ଅନ୍ୟପଟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅଯୋଗ୍ୟ ହିତାଧିକାରୀମାନେ ଖାଉଟି କାର୍ଡ ହାତେଇ ନେଇ ଥିବା ବେଳେ ନିବାସ ଖାଉଟି କାର୍ଡ ପାଇଁ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଡିଓଙ୍କ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିବା ସତ୍ୱେ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ ଏକ କଷ୍ଟସାଧ୍ୟ ବ୍ୟାପାର ହୋଇପଡିଛି । ୧୨ ଜୁଲାଇ ୨୦୧୯ ମସିହାରେ ଖାଉଟି କାର୍ଡ ପାଇଁ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଦୀର୍ଘ ୪ମାସ ବିତି ଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ନିବାସ କହିଛନ୍ତି । ଜଣେ ଶାରୀରିକ ଅକ୍ଷମ ହୋଇଥିବାରୁ ମୁଲ ମଜୁରି ମଧ୍ୟ ଲାଗି ପାରୁ ନାହାନ୍ତି । ଘରେ ପତ୍ନୀଙ୍କ ସହ ଛୋଟ ପିଲାଟିକୁ କିପରି ପ୍ରତିପୋଷଣ କରିବେ ଓ ତାର ଭବିଷ୍ୟତ କିପରି ଗଢିବେ ସେ ନେଇ ଚିନ୍ତା ନିବାସଙ୍କୁ ଘାରିଛି । ଦୁଇ ଓଳି ଦୁଇ ମୁଠା ଆହାର ଯୋଗାଡ କରିପାରୁନଥିବା ନିବାସ ଏକ ନଡା ଛପର ଘରେ ରହୁଛନ୍ତି । ଏପରିକି ବର୍ଷା କିମ୍ବା ବାତ୍ୟା ଆସିଲେ ଠିକ ହୋଇ ଚାଲିପାରୁ ନଥିବା ନିବାସ ପିଲା ଛୁଆଙ୍କୁ ଧରି କୁଆଡେ ଯିବେ ଚିନ୍ତାରେ ରହୁଛନ୍ତି । ସମସ୍ତେ କୋଠାଘରେ ରହୁଥିବା ବେଳେ ଏହି ପରିବାରଟି ଭାଗ୍ୟକୁ ଆଦରି ନଡା ଛପର ଘରେ ପଡିରହିଛନ୍ତି । ବର୍ଷା ଦିନେ ଘରେ ଅନାୟାସରେ ବର୍ଷା ପାଣି ଗଳୁଥିବା ବେଳେ ରାତିରେ ଉକ୍ତ ଘରେ ଜହ୍ନ ମଧ୍ୟ ଦେଖା ଯାଇଥାନ୍ତି । କିଛି କରିବାର ଉପାୟ ନଥିବା ବେଳେ ଭାଗ୍ୟକୁ ଆଦରି ସେହି ଝାଟି ମାଟି ଘରେ ପଡି ତହିଛନ୍ତି ନିବାସ ଓ ତାଙ୍କ ପରିବାର ।


