ଭୁତକୋଠି ପାଲଟିଲାଣି ତହସିଲ ରିଲିଫ୍ ଗୋଦାମ ଗୃହ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ ) : ଦିଗପହଣ୍ଡି ତହସିଲ କାର୍ୟ୍ୟାଳୟ ପରିସରରେ ଥିବା ତହସିଲ ରିଲିଫ୍ ନୂତନ ଗୋଦାମଟିକୁ କାର୍ଯ୍ୟକାରୀ କରାନଯିବାରୁ ଗୋଦାମଟି ଭୁତକୋଠି ପାଲଟିଛି । ରକ୍ଷଣା ବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ଭାଙ୍ଗିରୁଜି ଯାଇଥିବା ବେଳେ କେବେହେଲେ ଫାଟକରୁ ତାଲା ଫିଟୁନଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ରିଲିଫ୍ ସାମଗ୍ରୀ ସବୁକୁ ମହଜୁଦ କରି ରଖିବା ଏବଂ ଆବଶ୍ୟକ ପଡିଲେ ସୁରକ୍ଷା ନେଇ କର୍ମଚାରୀ ତଥା ଲୋକଙ୍କୁ ସେଠାରେ ରଖିବା ପାଇଁ ବନ୍ଦୋବସ୍ଥ କରାଯିବା ଉଦ୍ଦେଶ୍ୟ ରଖି ରିଲିଫ୍ ଗୋଦାମ ଗୃହଟିକୁ ନିର୍ମାଣ କରାଯାଇଥିଲା । ୨୦୧୨ ମସିହା ନଭେମ୍ବର ୧୮ରେ ଉଦ୍ଘାଟନ କରିିବା ସହ ଏହି କୋଠାକୁ ୧୪ ଲକ୍ଷ ୭୭ ହଜାର ଟଙ୍କା ବ୍ୟୟ ବରାଦରେ ନିର୍ମିତ ହୋଇଥିଲା ।ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର ବିପର୍ୟ୍ୟୟ ମନ୍ତ୍ରୀ ରହିଥିବା ସମୟରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ କରକମଳରେ ଏହାକୁ ଉଦ୍ଘାଟନ କରାଯାଇଥିଲା । ତେବେ ଉଦ୍ଘାଟନ ପରଠାରୁ କିଞ୍ଚିତ ମାତ୍ରାରେ ଏହାର ବ୍ୟବହାର କରାଯାଇଥିବା ବେଳେ ଦୀର୍ଘ ଦିନ ହେଲା ଅବ୍ୟବହୃତ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି । ଏହାର ରକ୍ଷଣା ବେକ୍ଷଣ ଏବେ ନିତାନ୍ତ ହୋଇଯାଇଥିବା ବେଳେ ଉଚ୍ଚବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ରକ୍ଷଣା ବେକ୍ଷଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି । ଏନେଇ ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁଙ୍କୁ ପଚରାଯିବାରେ କହିଛନ୍ତି ଯେ, ସମସ୍ୟା ପ୍ରତି ଅବଗତି ଅଛନ୍ତି ନିର୍ବାଚନ କାର୍ୟ୍ୟ ସବୁ ଶେଷ ହୋଇଯିବା ପରେ ସେଥିନେଇ ପଦକ୍ଷେପ ଗ୍ରହଣ କରିବେ ।