ମଇ ଦିବସ ସମାବେଶରେ କ୍ଷୁଧା-ବ୍ୟାଧିମୁକ୍ତ ବିଶ୍ୱଯୁଦ୍ଧ ଆହ୍ୱାନ

କେନ୍ଦୁଝର (ମାୟାଧର ନାୟକ) ବିଶ୍ୱ ଶ୍ରମିକ ଦିବସ ସମାବେଶରେ ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ କ୍ଷୁଧାମୁକ୍ତ, ବ୍ୟାଧିମୁକ୍ତ, କ୍ରୋଧମୁକ୍ତ ବିଶ୍ୱଗଠନ ପାଇଁ ମହାଯୁଦ୍ଧର ଆହ୍ୱାନ ଦେଇଛନ୍ତି । କେନ୍ଦୁଝର ମାଇନ୍ସ ଫିଲ୍ଡ ୱାର୍କର୍ସ ୟୁନିୟନ ଉଦ୍ୟୋଗରେ ସଭାପତି ପ୍ରଭାତ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧ ତାରିଖ ସକାଳବେଳା ଶୁଆକାଠି ଖଣି ଅଂଚଳରେ ଦିନ ୧୦ଟା ବେଳେ ଯୋଡାର ଜୁରୁଡିଠାରେ ହଜାରହଜାର ଖଣି ଶ୍ରମିକଙ୍କ ସମାବେଶରେ ମୁଖ୍ୟବକ୍ତା ଏବଂ ୟୁନିୟନର ମୁଖ୍ୟ ଉପଦେଷ୍ଟା ଶ୍ରୀ ନାୟକ ଉଦ୍ବୋଧନ ଦେଇ କହିଲେ – ବିଶ୍ୱ ଶ୍ରମିକ ଦିବସର ୧୩୩ବର୍ଷରେ ପୃଥିବୀରେ କେତେ ନଦୀରେ କେତେ ଜଳ ବହିଗଲାଣି । ଦେଶେଦେଶେ କେତେ ଯେ ମୌସୁମୀ ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେ ଯେ ତ୍ୟାଗପୂତ ଲଢେଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି, ତା’ର ପଟାନ୍ତର ନାହିଁ । ଆଜି ମଧ୍ୟ ଏପାରିସେପାରି ପୁଞ୍ଜିପତି ଶ୍ରେଣୀଙ୍କ ଯଜ୍ଞବେଦୀରେ ଲକ୍ଷଲକ୍ଷ ଶ୍ରମିକ, କୃଷକ, ଖଟିଖିଆ ମଣିଷ ବଳିପଡୁଛନ୍ତି । ଏଇ ଶୋଷଣ ବିରୁଦ୍ଧରେ ଅଗଣିତ ମୁକ୍ତିପିପାଷୁ ଶ୍ରମିଜୀବୀ ମଣିଷ ଘୋଷଣାକରିଛି ମରଣପଣ ରକ୍ତକ୍ଷୟୀ ସଂଗ୍ରାମ । ସାରା ବିଶ୍ୱରେ ୧୮୮୬ ମସିହାରେ ରକ୍ତରଞ୍ଜିତ ମଇ ପହିଲା କୋଟିକୋଟି ନିପୀଡିତ ନିଷ୍ପେସିତ ଜନଗଣଙ୍କୁ ଆଲୋକର ସନ୍ଧାନ ଦେଇଆସିଛି । ଶ୍ରମିକମାନେ ୮ଘଂଟା ଶ୍ରମଦିବସ ଘୋଷଣା ପାଇଁ ଦିନେ ରକ୍ତର ନଈ ବୁହେଇଦେଇଥିଲେ । ଆଜି କିନ୍ତୁ ପ୍ରତିଦିନ ରକ୍ତନଦୀ ବୋହିଗଲେ ମଧ୍ୟ ସାମାନ୍ୟତମ ଦାବୀପୂରଣ ଅସମ୍ଭବ ହୋଇପଡିଛି । ମଣିଷ ବଦଳରେ ମେସିନ୍ କାମକରୁଛି । ଯାହାଫଳରେ ଶ୍ରମିକମାନେ ବେକାର, ଭୋକଉପାସ, ରୋଗବୈରାଗରେ ଛଟପଟ ହେଉଛନ୍ତି । କ୍ଷୁଧା, ବ୍ୟାଧି ମଣିଷ ଜୀବନକୁ କଲବଲକରି ମାରୁଛି । ସରକାର, ମାଲିକଶ୍ରେଣୀ, ଠିକାଦାର, ପୋଲିସ୍, ଗୁଣ୍ଡାବାହିନୀମାନେ ମେହନତୀ ମଣିଷକୁ ସମସ୍ତପ୍ରକାର ଶୋଷଣ, କଷଣ, ଜୁଲୁମ୍ ଅତ୍ୟାଚାର ଚଳେଇଛନ୍ତି । ଏଇ କଂସେଇମାନଙ୍କ ନାଗଫାଶ କବଳରୁ ମୁକ୍ତିପାଇବା ପାଇଁ ଶ୍ରମିକଶ୍ରେଶୀ ଐକ୍ୟବଦ୍ଧ ହେବା ଏକାନ୍ତ ଆବଶ୍ୟକ । ହେ ମୋର ପ୍ରିୟ ଶ୍ରମିକ ଭାଇଭଉଣୀଏ, ଆଉ ମୁଣ୍ଡରେ ହାତଦେଇ ବସିବାର ବେଳନୁହେଁ – ଅଧିକାର ଛିଣ୍ଡେଇ ଆଣିବାର ସମୟ ଆସିଯାଇଛି – କଷ୍ଟ ଓ ମୃତ୍ୟୁକୁ ଭୟ କରନା । ସଚ୍ଚା ନେତୃତ୍ୱ ଓ ସଠିକ୍ ମାର୍ଗରେ ପ୍ରାଣମୁର୍ଛା ଲଢେଇ କର । ଜୟ ସୁନିଶ୍ଚିତ ।ଏଇ ଦୁଇ ସମାବେଶରେ ବିଶୁଷ୍ଟ ଶିକ୍ଷାବିତ୍ ଡ. ପ୍ରଭାତ ମଲ୍ଲିକ୍, ୟୁନିୟନର ସାଧାରଣ ସଂପାଦକ ହରେକୃଷ୍ଣ ବେହେରା, ଉପସଭାପତି ଚିତ ମିଶ୍ର, ଲକ୍ଷ୍ମୀଧର ପୃଷ୍ଟି, ପ୍ରଦୀପ ବେହେରା, ରାଜେନ୍ଦ୍ର ବାରିକ୍, ଶୁକଦେବ ତନ୍ତି, ହାଡିବନ୍ଧୁ ପାତ୍ର, ସୁବଳ ମହାକୁଡ, କରୁଣାକର ମହାକୁଡ, ସୁରେଶ ସେନାପତି, ରୋହିତ ରଞ୍ଜନ ବାରିକ୍ ପ୍ରମୂଖ ଉଦ୍ବୋଧନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ