ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ନାଉଗାଁ,(ଯୁଗାବ୍ଦ ନ୍ୟୁଜ): ନାଉଗାଁ ବ୍ଲକ ଜାମୁଦଣ୍ଡାସ୍ଥିତ ପଂଚାୟତ ବିଣାପୀଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଏକ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ଯୋଗ ଦେଇ ଆନୁଷ୍ଠନିକ ଭାବେ ଶୁଭାରମ୍ଭ କରିଥିଲେ । ମଣ୍ଡଳ ଶିକ୍ଷାଧିକାରୀ ମଙ୍ଗୁଳି ଚରଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ଦାସଙ୍କ ସହିତ ମୁଖ୍ୟବକ୍ତା ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଅକ୍ଷୟ ବେହୁରା, ନାଉଗାଁ ମଣ୍ଡଳ ବୈଷୟିକ ପରାମର୍ଶଦାତା ପୁନମ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ସଂର୍ପକରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିବା ସହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ୯ଟି କ୍ଲଷ୍ଟରରୁ ୩୬୦ଜଣ ଛାତଛାତ୍ରୀ ଅଂଶ ଗ୍ରହଣ କରି ପ୍ରତିଭା ପ୍ରଦର୍ଶନ କରିଥିଲେ । ତନ୍ମଧ୍ୟରୁ ବରିଷ୍ଠ ଓ କନିଷ୍ଠ ବର୍ଗର ପ୍ରବନ୍ଧ, ତର୍କ, ବକ୍ତୃତା, ଶ୍ରୁତଲିଖନ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ଲଘୁ ସଂଗୀତ, କୁଇଜ୍, ମଧ୍ୟାହ୍ନ ଭୋଜନ ସଂର୍ପକିତ ଚିତ୍ରକଳା ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୮ଜଣ କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉନ୍ନିତ ହୋଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ନାଉଗାଁ ବ୍ଲକର ସିଆରସିସି ସାରଦା ପ୍ରସନ୍ନ ଓଝା, ସହଦେବ ସେଠୀ, କମଳ ଲୋଚନ ନାୟକ, ରଶ୍ମୀ ରଂଜନ ମଲ୍ଲିକ, ଶରତ ରାଉତ, ପ୍ରଦିପ୍ତ ସ୍ୱାଇଁ ପ୍ରମୁଖ ପରିଚାଳନା କରୁଥିବା ବେଳେ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଧିର ବିଶ୍ୱାଳ ଓ ବସନ୍ତ କୁମାର ଦାସ ମଂଚ ପରିଚାଳନା କରିଥିଲେ ।