ମଥାରେ ଭଷ୍ମ ଲଗାନ୍ତୁ, ଦୂର ହେବ ଖରାପ ଚିନ୍ତା

ହିନ୍ଦୁ ଧର୍ମରେ ଏପରି ବହୁତ ପ୍ରଥା ଅଛି ଯାହାର ଅର୍ଥ ବହୁ ଲୋକ ଜାଣିନାହାନ୍ତି । ଏହା ସତ୍ତେ୍ୱ ଲୋକେ ଏହାକୁ ବହୁତ ଆଗ୍ରହର ସହ ପାଳନ କରିଥାନ୍ତି । ଏହିପରି ଏକ ଧାର୍ମିକ ଭାବନା ହେଲା ମଥାରେ ବିଭୂତି କିମ୍ବା ଭଷ୍ମ ଲଗାଇବା । ପଣ୍ଡିତଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ

ବିଭୂତି ଓ ଭଷ୍ମ
ବିଭୂତି ଓ ଭଷ୍ମ

ଲଗାଇଥାନ୍ତି । କେବେ ଭାବିଛନ୍ତି ଏହାକୁ ଲଗାଇବା ପଛରେ ରହସ୍ୟ କ’ଣ ରହିଛି । ଏହାକୁ ଲଗାଇଲେ ଆମର କ’ଣ ଲାଭ ହେବ? ତେବେ ହିନ୍ଦୁ ଧର୍ମର ଅନ୍ୟ ବିଶ୍ୱାସ ପରି ଏହା ପଛରେ ମଧ୍ୟ ଏକ ବିଶ୍ୱାସ ରହିଛି । ଆସନ୍ତୁ ଜାଣିବା ଏହା ପଛର ରହସ୍ୟ ।
ମନ୍ଦିରରେ ପଣ୍ଡିତ ହୁଅନ୍ତୁ ବା ସାଧାରଣ ଲୋକେ ମଝି ୩ ଆଙ୍ଗୁଠିରେ ମଥାରେ ବିଭୂତି କିମ୍ବା ଭଷ୍ମରେ ଗାର ଟାଣିଥାନ୍ତି । ଭଗବାନ ଶିବଙ୍କ ମୁଣ୍ଡରେ ମଧ୍ୟ ଭଷ୍ମ ଲଗାଯାଇଥାଏ । ଭଷ୍ମ ଏପରି ମଥାରେ ଲଗାଇଲେ ମନରୁ ଖରାପ ଚିନ୍ତା ଦୂର ହେବା ସହ ଖରାପ ଦୃଷ୍ଟିରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏପରି ବିଶ୍ୱାସ ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି ।
ପୁରାଣରେ ବର୍ଣ୍ଣିତ କାହାଣୀ: ପୁରାଣ ଅନୁସାରେ ମହର୍ଷି ଭୃଗୁ ଜଙ୍ଗଲରେ ତପସ୍ୟାରେ ଲୀନ ଥିଲେ । ସେ କେବଳ ଫଳମୂଳ ହିଁ ଖାଉଥିଲେ । ଦିନେ ଘାସ କାଟୁଥିବାବେଳେ ତାଙ୍କର ଏକ ଆଙ୍ଗୁଠି କଟିଗଲା । ହେଲେ ତାଙ୍କ ଆଙ୍ଗୁଠିରୁ ରକ୍ତ ବାହାରିବା ପରିବର୍ତ୍ତେ ଏକ ପ୍ରକାର ରସ ବାହାରିଥିଲା । ଏହା ଦେଖି ମହର୍ଷି ଭୃଗୁ ଅତ୍ୟନ୍ତ ଖୁସି ହୋଇଯାଇଥିଲେ । ଏହା ସହ ତାଙ୍କ ମନରେ ଅହଂକାର ମଧ୍ୟ ଆସିଯାଇଥିଲା । ଏସବୁ ଘଟଣାକୁ ସ୍ୱୟଂ ମହାଦେବ ନିରୀକ୍ଷଣ କରିଥିଲେ । ସେ ଜଣେ ବୃଦ୍ଧ ବେଶରେ ଭୃଗୁଙ୍କ ପାଖକୁ ଆସି ତାଙ୍କୁ ଏତେ ଖୁସି ହେବାର କାରଣ ପଚାରିଥିଲେ । ଭୃଗୁ ତାଙ୍କୁ ଘଟଣା କହିବା ପରେ ବୃଦ୍ଧ ବେଶରେ ଥିବା ମହାଦେବ ଏହି ସାଧାରଣ ଘଟଣାରେ ଏତେ ଖୁସି ହେବାର କାରଣ କିଛି ନାହିଁ ବୋଲି କହିଥିଲେ । ଏହା କହିବା ପରେ ବୃଦ୍ଧ ଜଣଙ୍କ ତାଙ୍କର ଏକ ଆଙ୍ଗୁଠି କାଟି ଦେଇଥିଲେ । ତାଙ୍କ ଆଙ୍ଗୁଠିରୁ ଭଷ୍ମ ବାହାରିଥିଲା । ଏହା ଦେଖି ମହର୍ଷି ଭୃଗୁ ଜାଣିପାରିଥିଲେ ମହାଦେବ ବୃଦ୍ଧ ବେଶରେ ଆସିଛନ୍ତି । ଏହା ପରେ ମହର୍ଷି ଭୃଗୁଙ୍କ ମନରେ ଥିବା ଅହଂକାର ଦୂର ହୋଇଯାଇଥିଲା ଓ ସେ ନିଜ ଭୁଲ ବୁଝିପାରିଥିଲେ । ସେବେଠାରୁ ଖରାପ ନଜର ଓ ମନରୁ ନକାରାତ୍ମକ ଭାବନା ଦୂର କରିବାକୁ ମଥାରେ ବିଭୂତି ଲଗାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ