‘ମଧୁବାବୁ ପେନସନ୍ ଯୋଜନା’ରେ ସାମିଲ ହେବେ କିନ୍ନର
ଭୁବନେଶ୍ୱର: ରାଜ୍ୟର କିନ୍ନରମାନେ ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବେ । ସେମାନେ ମାସିକ ଭତ୍ତା ପାଇବେ । ଏ ନେଇ ସାମାଜିକ ସୁରକ୍ଷା ବିଭାଗ ନିଷ୍ପତ୍ତି ନେଇଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏହାଛଡ଼ା ଭିକ୍ଷାବୃତ୍ତି କରି ଚଳୁଥିବା ଲୋକମାନଙ୍କୁ ଏ ବୃତ୍ତିରୁ ହଟାଇ କାମଧନ୍ଦା ଯୋଗାଇବାକୁ ସରକାର ସେମାନଙ୍କୁ ତାଲିମ ପ୍ରଦାନ କରାଯିବ । ପୁରୀ ଓ ଭୁବନେଶ୍ୱରରେ ଏଥିପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରାୟ ୪୫ ଲକ୍ଷ ବ୍ୟକ୍ତି ପେନସନ୍ ଯୋଜନାରେ ମାସିକ ଭତ୍ତା ପାଉଛନ୍ତି । କିନ୍ନରମାନଙ୍କୁ ଏ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ସେମାନେ ମଧ୍ୟ ମାସିକ ଭତ୍ତା ପାଇବେ । ଏ ନେଇ ସରକାର ଖୁବଶୀଘ୍ର ଚୂଡ଼ାନ୍ତ ଘୋଷଣା କରିବେ । ଏଥିପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କିନ୍ନରଙ୍କ ଗଣତି ଉପରେ ଗୁରୁତ୍ୱ ଦେଉଛି । ପ୍ରଥମ ଦଫାରେ ରାଜ୍ୟରେ ୫ ରୁ ୬ ହଜାର କିନ୍ନର ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ପୁଣି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାଛଡ଼ା ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିମାନଙ୍କୁ ସରକାର ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ପୁରୀ ଓ ଭୁବନେଶ୍ୱରରୁ ଏ ଅଭିଯାନ ଆରମ୍ଭ ହୋଇଛି । ଭିକ୍ଷା ବୃତ୍ତିଧାରୀମାନଙ୍କୁ ବିକଳ୍ପ କାମଧନ୍ଦା ଯୋଗାଇବାକୁ ରାଜଧାନୀ ଓ ପୁରୀରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ । ଏଠାରେ ବିଭିନ୍ନ ପ୍ରକାର ଧନ୍ଦାମୂଳକ ତାଲିମ ଦିଆଯିବ । ତାଲିମ ପାଇବା ପରେ ସେମାନେ ଆତ୍ମନିଯୁକ୍ତି ପାଇ ରୋଜଗାରକ୍ଷମ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।