ମଧ୍ୟାନ୍ନ ଭୋଜନ ଡ଼ାଲମାରେ ବିଛା,ଭାତ ଡ଼ାଲମା ବଦଳରେ ଶିକ୍ଷାର୍ଥୀଙ୍କୁ ଦିଅଗଲା ବିସ୍କୁଟ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଶିଶୁ ମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା ମାନ ପ୍ରଣୟନ କରିଛନ୍ତି । ଶିକ୍ଷାର୍ଥୀଙ୍କୁ ମାଗଣାରେ ପୋଷାକ, ଜୋତା, ମୋଜା, ପାଣି ବୋତଲ, ବହି ଖାତା ସାଙ୍ଗକୁ ମଧ୍ୟାନ୍ନ ଭୋଜନରେ ପୃଷ୍ଟିକର ରନ୍ଧା ଖାଦ୍ୟ ପ୍ରଦାନ କରି ଆସୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ସକାଶେ ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟର ମାନ ପ୍ରତି ପୁଣି ଥରେ ଅଙ୍ଗୁଳି ଉଠିଛି । ମାନା ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ସକାଶେ ପ୍ରଦାନ କରାଯାଉଥିବା ମଧ୍ୟାନ୍ନ ଭୋଜନ ଡ଼ାଲମାରୁ ଏକ ବିଛା ବାହାରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ସୋମବାର ଗଂଜାମ ଜିଲ୍ଲା ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସାରୁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।
ପ୍ରକାଶ ଯେ, ପ୍ରତିଦିନ ପରି ସୋମବାର ମଧ୍ୟ ମାନା ଟ୍ରଷ୍ଟ ପକ୍ଷରୁ ସାରୁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟାନ୍ନ ଭୋଜନ ଯୋଗାଇ ଦିଆଯାଇଥିଲା । ଅପରାହ୍ନ ୧ ଘଂଟା ଭୋଜନ ବିରତି ସମୟରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କୁ ମଧ୍ୟାନ୍ନ ଭୋଜନ ପ୍ରଦାନ କରାଯାଇଥିଲା । ଜୈନିକ ୫ମ ଶ୍ରେଣୀ ଛାତ୍ରଙ୍କୁ ଦିଆଯାଇଥିବା ଡ଼ାଲମାରେ ଏକ ମଲା ବିଛା ପଡ଼ିଥିବା ଦେଖି ସଂପୃକ୍ତ ଛାତ୍ର ଜଣକ ଘଟଣା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରାଙ୍କୁ ଜଣାଇଥିଲେ । ଘଟଣା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିଲେ । ଖବର ପାଇ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ସାରୁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂହଚି ମାନା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିବା ମଧ୍ୟାନ୍ନ ଭୋଜନ ଖାଦ୍ୟକୁ ବିଦ୍ୟାଳୟ ପରିସରରେ ପୋତି ନଷ୍ଟ କରିଦେବା ସହ ମଧ୍ୟାନ୍ନ ଭୋଜନରେ ଶିକ୍ଷାର୍ଥୀଙ୍କୁ ବିସ୍କୁଟ ପ୍ରଦାନ କରାଯାଇଥିଲା । ଘଟଣାକୁ ଯଥାସମ୍ଭବ ଚପାଇବାକୁ ଉଦ୍ୟମ କରାଯାଇଥିଲା । ତେବେ ବିଦ୍ୟାଳୟ ଛୁଟି ପରେ ଘଟଣା ନେଇ ଛାତ୍ର, ଛାତ୍ରୀ ମାନେ ନିଜ ନିଜ ଅଭିଭାବକ ମାନଙ୍କୁ କହିଥିଲେ । ଉକ୍ତ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ମଙ୍ଗଳବାର ସକାଳେ କିଛି ଅଭିଭାବକ ଉତ୍ୟକ୍ତ ହୋଇ ବିଦ୍ୟାଳୟ ଫାଟକ ବନ୍ଦ କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଘଟଣା ନେଇ ପଚାରିଥିଲେ । ତେବେ ପ୍ରଧାନ ଶିକ୍ଷକଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତର ନ ପାଇପାରିବାରୁ କିଛି ସମୟ ପାଇଁ ବିଦ୍ୟାଳୟ ପରିସରରେ ଉତେଜନାମୂଳକ ପରିସ୍ଥିତ ଲାଗି ରହିଥିଲା । ତେବେ ଘଟଣା ନେଇ ସାରୁ ଗ୍ରାମ ପଂଚାୟତର ପୂର୍ବତନ ସରଂପଚ ସିମାଂଚଳ ମହାରଣା, ଅଭିଭାବକ ସିମାଂଚଳ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ କିଛି ଅଭିଭାବକଙ୍କ ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପଂହଚି ଘଟଣା ନେଇ ବିଇଓ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ତେବେ ମଙ୍ଗଳବାର ମାନା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିବା ରନ୍ଧା ଖାଦ୍ୟକୁ ସଂପୃକ୍ତ ବିଦ୍ୟାଳୟର ବହୁ ଶିକ୍ଷାର୍ଥୀ ଖାଇନଥିବା ଜଣାପଡ଼ିଛି । ଘଟଣା ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ କହିଲେ ଖବର ପାଇ ସୋମବାର ମଧ୍ୟାନ୍ନ ବିରତି ସମୟରେ ସଂପୃକ୍ତ ବିଦ୍ୟାଳୟରେ ପଂହଚି ମଧ୍ୟାନ୍ନ ଭୋଜନ ପରିବର୍ତେ ଶିକ୍ଷାର୍ଥୀଙ୍କୁ ବିସ୍କୁଟ ପ୍ରଦାନ କରାଯାଇଥିଲା ଏବଂ ବିଛା ବାହାରିଥିବା ଖାଦ୍ୟ ପଦାର୍ଥକୁ ତୁରନ୍ତ ନଷ୍ଟ କରି ଏକ ଖୋଲା ସ୍ଥାନରେ ମାଟି ଖୋଳି ପୋତି ଦିଆଯାଇଥିଲା । ଘଟଣା ନେଇ ମାନା ଟ୍ରଷ୍ଟ ସହ ଆଲୋଚନା କରାଯାଇଥିଲା । ମଙ୍ଗଳବାର ପୂର୍ବାହ୍ନରେ ମାନା ଟ୍ରଷ୍ଟର ପରିଚାଳକ ସୁନିଲ ବାରାକୋଡ଼ା ଓ ସହଯୋଗୀ ପଂହଚି ଘଟଣା ନେଇ ଦୁଃଖ ପ୍ରକାଶ କରିଥିଲେ । ଏ ନେଇ ମାନା ଟ୍ରଷ୍ଟର ପରିଚାଳକ ସୁନିଲଙ୍କୁ ପଚାରିବାରୁ ସେ କହିଲେ ଟ୍ରଷ୍ଟ ପରିସରରେ ଖାଦ୍ୟ ପଦାର୍ଥରେ ବିଛା ପଡ଼ିବା ସମ୍ପୂର୍ଣ୍ଣ ମିଥ୍ୟା ଖବର, ହୁଏତ ଉକ୍ତ ଘଟଣା ବିଦ୍ୟାଳୟ ପରିସର ମଧ୍ୟରେ ଘଟି ଥାଇପାରେ । ତେବେ ଉପସ୍ଥିତ ଅଭିଭାବକ ମାନେ ଏହାକୁ ବିରୋଧ କରିବାରୁ ପରବର୍ତି ମୂହୁର୍ତରେ ସ୍ୱୀକାର କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ବିଛା ପଡ଼ିଥିବା ଡ଼ାଲମା ଖାଦ୍ୟକୁ ବିଦ୍ୟାଳୟରେ ଅଧ୍ୟୟନରତ ୩ଶହରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ଭୋଜନ କରି କୌଣସି ପ୍ରକାର ଅଘଟଣ ଘଟିଥାନ୍ତା, ତେବେ ଏଥିପ୍ରତି ଦାୟୀ କିଏ ହୁଅନ୍ତା ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ପ୍ରକାଶ ଥାଉକି, ଗତ ୨୦୧୩ ମସିହାରେ ମାର୍ଚ୍ଚ ୬ ତାରିଖରେ ହିଂଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଳକ ଗୋଠଗାଁରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନନ୍ଦି ଫାଉଣ୍ଡେସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ମଧ୍ୟାନ୍ନ ଭୋଜନ ଖାଇ ୭୦ରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ଅସୁସ୍ଥ ହୋଇ ପଡ଼ିଥିବା ବେଳ ୨୦୧୫ ରେ ହିଂଜିଳିକାଟୁ ପୌରାଂଚଳ ସ୍ଥିତ ରେଗିଡ଼ି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଭାତରୁ ବିଛା ବାହାରିଥିଲା । ଘଟଣା ପରେ ମଧ୍ୟାନ୍ନ ଭୋଜନ ଯୋଗାଣ କରୁଥିବା ନନ୍ଦି ଫାଉଣ୍ଡେସନକୁ ହଟାଇ ଦିଆଯାଇଥିଲା । ଉକ୍ତ ସ୍ଥାନରେ ମାନା ଟ୍ରଷ୍ଟକୁ ମଧ୍ୟାନ୍ନ ଭୋଜନ ଯୋଗାଣ ସକାଶେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମାନା ଟ୍ରଷ୍ଟ ମଧ୍ୟାନ୍ନ ଭୋଜନ ଯୋଗାଣ କରୁଥିବା ବେଳେ ୨୦୧୬ ମସିହାରେ ପୁଣିଥରେ ହିଂଜିଳିକାଟୁ ପୌରାଂଚଳ ସ୍ଥିତ ରେଗିଡ଼ି ପ୍ରାଥମିକ ବିଦ୍ୟାଳୟରେ ପ୍ରଦାନ କରାଯାଇଥିବା ମଧ୍ୟାନ୍ନ ଭୋଜନ ଡ଼ାଲମାରୁ ବିଛା, ୨୦୧୭ ଏପ୍ରିଲ ୧୫ରେ ହିଂଜିଳି ପ୍ରାଥମିକ ବିଦ୍ୟାଳୟରେ ପ୍ରଦାନ କରାଯାଇଥିବା ମଧ୍ୟାନ୍ନ ଭୋଜନ ଡ଼ାଲମାରୁ ବିଛା ଓ ୨୦୧୮ ମସିହାରେ ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଦାନ କରାଯାଇଥିବା ମଧ୍ୟାନ୍ନ ଭୋଜନ ଡ଼ାଲମାରୁ ବିଛା, ବାହାରିଥିଲା । ବାରମ୍ବାର ମାନା ଟ୍ରଷ୍ଟ ପକ୍ଷରୁ ଯୋଗାଣ କରାଯାଉଥିବା ମଧ୍ୟାନ୍ନ ଭୋଜନ ଖାଦ୍ୟରୁ ବିଛା ବାହାୁଥିବା ବେଳେ ଖାଦ୍ୟର ଗୁଣବତାକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।


