ମନ୍ଥର ଗତୀରେ ଚାଲିଛି ବିଦ୍ୟୁତ ମରାମତି କାମ ଅନ୍ଧାରରେ ନାଉଗାଁ ବ୍ଲକ
ନାଉଗାଁ : ବାତ୍ୟା ‘ଫନି’ ପ୍ରଭାବରେ ନାଉଗାଁ ବ୍ଳକରେ ବିଦ୍ୟୁତ ତାର ଓ ଖୁଂଟ ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ନାଉଗାଁ ଅଂଚଳକୁ ଚାରି ଦିନ ହେଲା ବିୁଦ୍ୟତ ସରବରାହ ବନ୍ଦ ରହିଛି । ଫଳରେ ଲୋକମାନେ ଅନ୍ଧାରରେ ରହିଥିବା ବେଳେ ମୋବାଇଲ ଚାର୍ଜ, ପାନୀୟ ଜଳ ସଂଗ୍ରହ କରିବା ଭଳି ଅତ୍ୟାବଶ୍ୟକ କାର୍ଯ୍ୟ କରିପାରୁନାହାଁନ୍ତି ।ଏପରିକି ନାଉଗାଁ ମେଡିକାଲ, ଥାନା, ବ୍ଲକ, ତହସିଲ ଓ ବ୍ୟାଙ୍କ ଭଳି ଅତ୍ୟାବଶ୍ୟକ ସ୍ଥାନ ଗୁଡିକୁ ମଧ୍ୟ ବିଦ୍ୟୁତ ଯୋଗାଣ କରାଯାଇ ପାରିନାହିଁ । ଯାହାକୁ ନେଇ ଏ ସବୁ ସ୍ଥାନରେ ଜେନେରେଟର ସାହାର୍ଯ୍ୟରେ ବିଦ୍ୟୁତ ବ୍ୟବହାର କରାଯାଇଛି । ଅଧିକ ସମୟ ଜେନେରେଟର ବ୍ୟବହାର ସମ୍ଭବ ହେଉ ନଥିବାରୁ ମେଡିକାଲରେ ରହିଥିବା ଜରୁରୀ ଔଷଧ ପତ୍ର ନଷ୍ଟ ହେବା ଆଶଙ୍କା ଉପୁଜୁଛି । ବାତ୍ୟା ପ୍ରଭାବରେ ଅଂଚଳକୁ ବିଦ୍ୟୁତ ଯୋଗାଣ ବିଛିନ୍ନ ହେବା ଯୋଗୁଁ ପ୍ରତି ପଂଚାୟତରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡିକରୁ ଜଳ ଯୋଗାଣ ବନ୍ଦ ସମ୍ଭବ ହୋଇପାରୁନାହିଁ । ବିଭାଗ ପକ୍ଷରୁ ଅଧିକ ଖର୍ଚ୍ଚାନ୍ତ ହୋଇ ଜେନେରେଟର ସାହାର୍ଯ୍ୟରେ ପ୍ରତି ପ୍ରକଳ୍ପରୁ ଅଧ ଘଂଟା ଲେଖାଏ କିଛି ପଂଚାୟତରେ ପାଣି ଯୋଗାଇ ଦିଆଯାଉଛି । ଆଉ ଯେଉଁ ପଂଚାୟତରେ ସମ୍ଭବ ହେଉନାହିଁ ସେଠାରେ ଜଳ କଷ୍ଟ ପରି ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ବିଦ୍ୟୁତ ଯୋଗଇବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଦିନ ତମାମ ମରାମତି କାର୍ଯ୍ୟ କରାଯାଉଥିଲେ ମଧ୍ୟ ଆବଶ୍ୟକ ଠାରୁ କମ ପରିମାଣର କର୍ମଚାରୀ ଥିବାରୁ କାର୍ଯ୍ୟ ଗୁଡିକ ମନ୍ଥର ଗତୀରେ ଚାଲୁଛି । ଏହି କାର୍ଯ୍ୟରେ ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କ ସହିତ ୩ ଠିକାଦାର ସଂସ୍ଥାର କର୍ମଚାରୀଙ୍କୁ ମିଶାଇ ୨୨ଜଣ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଯାହାଫଳରେ ଅଦ୍ୟାବଧି ନାଉଗାଁ ଷ୍ଟ୍ରକଚରକୁ ସଂଯୋଗ ୩୩ କେଭି ଲାଇନ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନଥିବା ଜଣାଯାଇଛି । ଅନ୍ୟପକ୍ଷରେ ନାଉଗାଁ ଷ୍ଟ୍ରକଚରରୁ ୧୬ଟି ପଂଚାୟତର ୯୦ରୁ ଉର୍ଦ୍ଧ ଗ୍ରାମକୁ ୧୧ କେଭି ଲାଇନ ସଂଯୋଗ ପାଇଁ ୪ଟି ଫଡିର ରହିଛି । ଏହି ସମସ୍ତ ଫିଡ ଅଧିନରେ ବିଭିନ୍ନ ସ୍ଥାନକୁ ସଂଯୋଗ ହୋଇଥିବା ୧୧କେଭି ଲାଇନର ୧୫୦ରୁ ଉର୍ଦ୍ଧ ପୋଲ ନଷ୍ଟ ହୋଇଥିବା ବେଳେ ଏଲଟି ଲାଇନରେ ୪୫୦ରୁ ଉର୍ଦ୍ଧ ବିଦ୍ୟୁତ ଖୁଂଟ ଭାଙ୍ଗି ପଡିଛି । ଏହାମଧ୍ୟରେ ୭ଟି ଡିପି(ସବଷ୍ଟେସନ) ମଧ୍ୟ ନଷ୍ଟ ହୋଇଛି ।ଏହି ଅଂଚଳରେ ଅଧିକ ପରିମାଣରେ କ୍ଷୟକ୍ଷତି ଘଟିଥିବାରୁ କେବେ ବିଦ୍ୟୁତ ଯୋଗାଇ ଦିଆଯିବ ତାହା ଜଣାପଡୁନାହିଁ । ଏପରିକି ଅନେକ ସ୍ଥାନରେ ବିଦ୍ୟୁତ ଖୁଂଟ ଓ ତାର ଉପରେ ଗଛର ଡାଳ ଓହଳି ରହିଛି । ଯାହାକୁ ବି ବିଭାଗ ପକ୍ଷରୁ ସଫା କରାଯାଉ ନଥିବା ମଧ୍ୟ ଦେଖିବାକୁ ମିଳୁଛି । ଏ ସଂର୍ପକରେ ବିଭାଗୀୟ ଏସଡିଓ ଦେବଦତ ଉପାଧ୍ୟାୟଙ୍କୁ ପଚାରିବାରୁ ଅଂଚଳକୁ ତୁରନ୍ତ ବିଦ୍ୟୁତ ଯୋଗାଣ କରାଯିବା ପାଇଁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ କର୍ମଚାରୀ ନିୟୋଜିତ କରି ତୁରନ୍ତ କାର୍ଯ୍ୟ ସାରିବାକୁ ଅଂଚଳବାସୀ ଦାବି କରିଛନ୍ତି ।