ମନ ଓ ଶରୀରକୁ ରୋଗାକ୍ରାନ୍ତ କରୁଛି ମୋବାଇଲ୍‌

ଆଗକୁ ଯିବା ଦୌଡ଼ରେ ଆମ ଜୀବନରୁ ଶାନ୍ତିକୁ ଆମେ ପଛକୁ ଠେଲି ଦେଉଛୁ। ବଳକା ଥିବା ଶାନ୍ତିକୁ ଟେକ୍ନୋଲୋଜି ଦୂରେଇ ଦେଉଛି। ଭାରତୀୟ ଯୁବପିଢ଼ିଙ୍କଠାରେ ବିଶେଷକରି ମୋବାଇଲ୍‌ ପ୍ରତି ପ୍ରେମ ଅଧିକ ଦେଖିବାକୁ ମିଳୁଛି। ଏପରି ପରିସ୍ଥିତି ସୃଷ୍ଟି ହେଉଛି, ଯଦି କେହି ତାଙ୍କର ମୋବାଇଲ୍‌ ଚାର୍ଜିଂରୁ ବାହାର କରି ଦେଉଛି କିମ୍ବା ଅଚାନକ ୱାଇ-ଫାଇ ନେଟ୍‌ୱର୍କ ଚାଲି ଯାଉଛି, ତେବେ ଯୁବପିଢ଼ି ରାଗରେ ଲାଲ୍‌ ହୋଇଯାଉଥିବା ଦେଖିବାକୁ ମିଳୁଛି।
ପ୍ରତ୍ୟେକ ସମୟରେ ନିଜକୁ ପ୍ରମାଣିତ କରିବାର ଚାପ : ମୋବାଇଲ୍‌ ଫୋନ୍‌ର ଆରାମ ଓ ସୋସାଲ ମିଡିଆରେ ଆକ୍ଟିଭ୍‌ ରହିବାର ଅଭ୍ୟାସ ଫଳରେ ଯୁବପିଢ଼ି କାମ ଓ ପରିବାର ସହିତ ରହୁଥିଲେ ମଧ୍ୟ ଏକରକମ ରହୁ ନାହାନ୍ତି। କାରଣ ସେମାନଙ୍କ ପୂରା ଧ୍ୟାନ ନିଜ ମୋବାଇଲ୍‌ ଫୋନ୍‌ ଉପରେ ରହିଥାଏ। ଏହାଫଳରେ ସେମାନଙ୍କଠାରେ ଭାବନାତ୍ମକ ଦୁର୍ବଳତା ବଢ଼ିଯାଏ।
କାମର ଚାପ: ବର୍ତ୍ତମାନ ସମୟରେ କାମର ଚାପ ଏତେ ଅଧିକ ହୋଇଗଲାଣି ଯେ ଅଫିସ୍‌ରୁ ବାହାରିବା ପରେ ମଧ୍ୟ କାମର ଚାପ ପିଛା ଛାଡ଼ୁନି। ଏହାର ଏକ ବଡ଼ କାରଣ ମୋବାଇଲ୍‌ ଫୋନ୍‌। ଅଫିସ୍‌ରୁ ବାହାରିବା ପରେ ମଧ୍ୟ କଲ୍‌, ମେସେଜ୍‌, ଚାଟ୍‌ ଜରିଆରେ ଅଫିସ୍‌ ସହିତ ଯୋଡ଼ି ହୋଇ ରହିବାକୁ ପଡ଼ୁଛି।
ମାନସିକ ରୂପରେ ରୋଗୀ ଯୁବପିଢ଼ି: ମୋବାଇଲ୍‌ ଫୋନ୍‌ ଓ ସୋସାଲ ମିଡିଆର ଉପଯୋଗକୁ ନେଇ ବିଶ୍ବର ଭିନ୍ନ ଭିନ୍ନ ଅଂଶରେ ଅନେକ ଗବେଷଣା ହୋଇଛି। ଏହାର ପରିଣାମ ଚିନ୍ତାରେ ପକାଇବା ଭଳି ବାହାରିଛି। ଗବେଷଣାରୁ ଜଣାପଡ଼ିଛି ଯେ ଟିନ୍‌ଏଜର୍ସ ଓ ଯୁବପିଢ଼ିଙ୍କଠାରେ ମୋବାଇଲ୍‌ ଫୋନ୍‌ ପ୍ରେମ କାରଣରୁ ସେମାନେ ମାନସିକ ଭାବେ ରୋଗୀ ହେବାରେ ଲାଗିଛନ୍ତି। ସେମାନଙ୍କୁ ନିଜ ଇମୋସନ୍ସକୁ ଠିକ୍‌ ରୂପରେ ବ୍ୟକ୍ତ କରିବାରେ ସମସ୍ୟା ହେଉଛି ଓ ସେମାନେ ଚିଡ଼ଚିଡ଼ା ହୋଇଯାଉଛନ୍ତି।
୮୨ ପ୍ରତିଶତ ଯୁବପିଢ଼ି ଚାପର ଶିକାର : ଯଦି କେବଳ ଭାରତ ବିଷୟରେ ଆଲୋଚନା କରାଯାଏ, ତେବେ ଏକ ପ୍ରାଇଭେଟ୍‌ ଫାର୍ମ ଦ୍ବାରା କରାଯାଇଥିବା ଏକ ସର୍ଭେରେ ପ୍ରମାଣିତ ହୋଇଛି ଯେ ଅନ୍ୟ ବିକାଶଶୀଳ ଦେଶ ତୁଳନାରେ ୮୨ ପ୍ରତିଶତ ଭାରତୀୟ ଯୁବପିଢ଼ି କୌଣସି ନା କୌଣସି ପ୍ରକାରର ଚାପର ଶିକାର ହୋଇଥାନ୍ତି।
ଶାରୀରିକ ଭାବେ ରୋଗର ଶିକାର : ମୋବାଇଲ୍‌ ଫୋନ୍‌ ପାଇଁ କେବଳ ମାନସିକ ଚାପ ବଢ଼ୁନାହିଁ। ମୋଟାପଣ, ହୃଦ୍‌ରୋଗ, ଆସ୍ଥମା, ହଜମ ସମସ୍ୟା ଭଳି ରୋଗ ମଧ୍ୟ ମୋବାଇଲ୍‌ ବ୍ୟବହାର ପାଇଁ ହୋଇଥାଏ।
ଚାପରେ ପରିପୂର୍ଣ୍ଣ କାର୍ଯ୍ୟସ୍ଥଳୀ : ଭିନ୍ନ ଭିନ୍ନ ଫାର୍ମସ୍‌ ଦ୍ବାରା କରାଯାଇଥିବା ଗବେଷଣାରେ ପ୍ରମାଣିତ ହୋଇଛି ଯେ ଅନ୍ୟ ଦେଶ ତୁଳନାରେ ଭାରତରେ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳୀରେ ଚାପର ସାମ୍ନା କରିବାକୁ ପଡ଼ିଥାଏ। ମୋବାଇଲ୍‌ ଫୋନ୍‌ର ଅଧିକ ବ୍ୟବହାର ଚାପ ବୃଦ୍ଧିର କାମ କରୁଛି।
ୱାଇ-ଫାଇ ନ ରହିଲେ ରାଗ ବଢ଼ୁଛି : ଗବେଷଣାରେ ସାମିଲ୍‌ କରାଯାଇଥିବା ଲୋକଙ୍କ ମଧ୍ୟରେ ୬୮ ପ୍ରତିଶତ ଲୋକ ସ୍ବୀକାର କରିଥିଲେ ଯେ ଅଚାନକ ୱାଇ-ଫାଇ କନେକ୍ସନ୍‌ ଚାଲିଗଲେ, ସେମାନଙ୍କ ରାଗ ବଢ଼ିଯାଏ। ଏପରିସ୍ଥଳେ ସେମାନେ ନିଜ ପରିବାର, ବନ୍ଧୁ କିମ୍ବା ଯେ କୌଣସି ପ୍ରିୟଜନଙ୍କ ଉପରେ ଛୋଟ ଛୋଟ କଥା ଚିଡ଼ିବାରେ ଲାଗନ୍ତି। ସେହିପରି ଗବେଷଣାରେ ସାମିଲ୍‌ ହୋଇଥିବା ୬୩ ପ୍ରତିଶତ ଲୋକଙ୍କ କହିବା କଥା ଥିଲା ଚାର୍ଜିଂରେ ରଖାଯାଇଥିବା ସେମାନଙ୍କ ଫୋନ୍‌ ବ୍ୟାଟେରୀ ପୂରା ଚାର୍ଜ ହେବା ପୂର୍ବରୁ ଯଦି କେହି ସେମାନଙ୍କୁ ନ ପଚାରି ବାହାର କରନ୍ତି, ତେବେ ସେମାନେ ରାଗରେ ଲାଲ୍‌ ପଡ଼ି ଯାଆନ୍ତି। ଏପରିକି ଝଗଡ଼ା କରିବାକୁ ମଧ୍ୟ ପଛାନ୍ତି ନାହିଁ।
ଏପରି ବଞ୍ଚନ୍ତୁ : ଯୁବପିଢ଼ିଙ୍କଠାରେ ବଢ଼ୁଥିବା ଚାପ ଉପରେ ମନୋଚିକିତ୍ସକଙ୍କ କହିବା କଥା ହେଲା ଶରୀର ଉପରେ ଚାପର ଅଲଗା ଅଲଗା ପ୍ରଭାବ ପଡ଼ିଥାଏ। ହଜମ ଶକ୍ତିରୁ ଆରମ୍ଭ କରି ମୁଡ୍‌ ସ୍ବିଙ୍ଗ ପର୍ଯ୍ୟନ୍ତ ଅନେକ ପ୍ରକାରର ସମସ୍ୟା ଯୁବପିଢ଼ିଙ୍କୁ ଘେରି ନେଇଥାଏ। ତେଣୁ ଦିନରେ ଶାରୀରିକ କାର୍ଯ୍ୟକଳାପ କରିବା ସହିତ କିଛି ସମୟ ମୋବାଇଲ୍‌ଠାରୁ ବ୍ରେକ୍‌ ନେବା ଉଚିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ