ପରକୀୟା ପ୍ରୀତିର କାରଣ
ଲଭ୍ ମ୍ୟାରେଜ୍ ହେଉ ବା ଆରେଞ୍ଜ ମ୍ୟାରେଜ୍, ବିବାହ ବନ୍ଧନରେ ଆବଦ୍ଧ ହେବା ପରେ କୌଣସି ଅନ୍ୟ ମହିଳା ଓ ପୁରୁଷଙ୍କ ପ୍ରତି ଆକର୍ଷିତ ହେବାକୁ ଏକ୍ସଟ୍ରା ମାରିଟାଲ ଆଫେୟାର କୁହାଯାଏ। ଏହା ବ୍ୟକ୍ତିଙ୍କ ଜୀବନରେ କୌଣସି ବି ସ୍ତରରେ ଆସିପାରେ। ଚାଲନ୍ତୁ ଜାଣିବା କେଉଁ କାରଣ ପାଇଁ ପତି ପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ହେତୁ ଏହା ଏକ୍ସଟ୍ରା ମାରିଟାଲ ଆଫେୟାର୍ସ ଆଡ଼କୁ ରାସ୍ତା କଡ଼ାଇ ନେଇଥାଏ।
ବାହ୍ୟ ଚାକ୍ୟଚକ୍ୟ ପଛରେ ଯାଆନ୍ତୁନି : ବିବାହ ଭଳି ପବିତ୍ର ସମ୍ପର୍କ ମଧ୍ୟ ଭୁଲ୍ ବୁଝାମଣା କାରଣରୁ ମଧ୍ୟ ହୋଇପାରେ। ପୁଅ ଦେଖିବାକୁ ବହୁତ ଭଲ, ଝିଅ ଦେଖିବାକୁ ବହୁତ ସୁନ୍ଦର, ସେମାନଙ୍କର ଖାନଦାନ ବହୁତ ଧନୀ। ତାଙ୍କ ଜବ୍ ପ୍ରୋଫାଇଲ୍ ବହୁତ ଭଲ। ଏଭଳି ଅନେକ କାରଣ ପାଇଁ କେତେକ ଲୋକ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଆନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଦମ୍ପତିଙ୍କ ମଧ୍ୟରେ ଅସଲ ବୁଝାମଣା ନ ରହିଲେ ବାହ୍ୟ ଚାକ୍ୟଚକ୍ୟ ସବୁ ଫିକା ପଡ଼ିଯାଏ। ଏଣୁ ପରସ୍ପର ବିଷୟରେ ଭଲ ଭାବେ ଜାଣି ବିବାହ କରିବା ଉଚିତ।
ଶୀଘ୍ର ବିବାହ : କମ୍ ବୟସରେ ବିବାହ କରାଇଦେବା ଆମ ସମାଜର ଏକ ବଡ଼ ସମସ୍ୟା। ଏପରିସ୍ଥଳେ ଯେଉଁ ବ୍ୟକ୍ତିଙ୍କ ବିବାହ ୨୦ ବର୍ଷ ପାଖାପାଖି ହୋଇଯାଏ, ସେମାନେ ୩୫ରୁ ୪୦ ବର୍ଷ ବୟସରେ ପହଞ୍ଚିବା ବେଳକୁ ଅନୁଭବ କରନ୍ତି ଯେ ସେମାନେ ତାଙ୍କ ଜୀବନକୁ ଉପଭୋଗ କରିପାରି ନାହାନ୍ତି। ଫଳରେ ସେମାନଙ୍କ ଧ୍ୟାନ ଜୀବନରେ କିଛି ରୋମାଞ୍ଚ କରିବା ଆଡ଼କୁ ଢଳିବାରେ ଲାଗେ।
ପରିବର୍ତ୍ତନ ସହିତ ଡିଲ୍ ନ କରିପାରିବା : ବାହାଘର ପରେ ଜୀବନରେ ଅନେକ ଗୁଡ଼ିଏ ପରିବର୍ତ୍ତନ ହୋଇଯାଏ। ଏଥିମଧ୍ୟରେ ସାମାଜିକ ଓ ଭାବନାତ୍ମକ ପରିବର୍ତ୍ତନ ମୁଖ୍ୟ ହୋଇଥାଏ। କିଛି ସମୟ ପାଇଁ ଏପରି ଲାଗିଥାଏ ଯେପରିକି ଜୀବନ ବହୁତ ଦ୍ରୁତବେଗରେ ବଦଳିବାରେ ଲାଗିଛି ଓ ସମୟ ଦୌଡ଼ିବାରେ ଲାଗିଛି। ଏପରିସ୍ଥଳେ ଯେଉଁ ଲୋକମାନେ ଏସବୁ ସହିତ ସନ୍ତୁଳନ ରକ୍ଷା କରିପାରନ୍ତି ନାହିଁ, ସେମାନଙ୍କୁ ସମ୍ପର୍କକୁ ମ୍ୟାନେଜ୍ କରିବା କଷ୍ଟକର ହୋଇପଡ଼େ। ଏହି କାରଣରୁ ସେମାନେ ଅନ୍ୟ ଆଡ଼କୁ ଆକର୍ଷିତ ହେବାରେ ଲାଗିଥାନ୍ତି।
ଶୀଘ୍ର ସନ୍ତାନ ଜନ୍ମ ହେବା : ଯେଉଁ ଲୋକମାନେ ବିବାହର ପ୍ରଥମରୁ ନିଜ ଫ୍ୟାମିଲି ପ୍ଲାନିଂକୁ ନେଇ କୌଣସି ଚିନ୍ତା କରି ନ ଥାନ୍ତି, ସେମାନେ ଶୀଘ୍ର ମା’ ବାପା ହୋଇଯିବା କାରଣରୁ ଦାୟିତ୍ବ ବୋଝରେ ଚାପି ହୋଇଯାଆନ୍ତି ଓ ଜୀବନକୁ ଉପଭୋଗ କରିପାରନ୍ତି ନାହିଁ। ତେଣୁ ଏହା ଆଗକୁ ଯାଇ ନୂଆ ସମ୍ପର୍କ ଖୋଜିବାର କାରଣ ପାଲଟିଯାଏ।
ଶାରୀରିକ ସନ୍ତୁଷ୍ଟି ନ ମିଳିବା : ବିଶେଷଜ୍ଞଙ୍କ କହିବାନୁସାରେ ଏକ୍ସଟ୍ରା ମାରିଟାଲ ଆଫେୟାରର ଅଧିକାଂଶ ମାମଲା ଶାରୀରିକ ସନ୍ତୁଷ୍ଟି ନ ମିଳିବା କାରଣରୁ ହୋଇଥାଏ। ଏହି କାରଣରୁ ଲୋକେ ବିବାହ ବାହାରେ ଅନ୍ୟ ସମ୍ପର୍କ ଖୋଜିଥାନ୍ତି।
ଭାବନାତ୍ମକ ଦୂରତ୍ବ : କେତେକ କପଲ୍ସଙ୍କ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଇମୋସନାଲ ବଣ୍ଡିଂ ହୋଇପାରି ନ ଥାଏ। ଏପରି ସମ୍ପର୍କ କେବଳ ଦେଖିବା ଲୋକଙ୍କୁ ନର୍ମାଲ ଦେଖା ଯାଉଥିଲେ ମଧ୍ୟ ଉକ୍ତ କପଲ୍ସଙ୍କ ମଧ୍ୟରେ ଗଭୀର ଦୂରତା ରହିଥାଏ। ଏହି କାରଣ ଯୋଗୁ ଦୁହେଁ ପରସ୍ପରଙ୍କଠାରୁ ମାନସିକ ସ୍ତରରେ ଅଲଗା ହୋଇ ରହିଥାନ୍ତି ଓ ଅନ୍ୟ ଆଡ଼କୁ ଆକର୍ଷିତ ହୋଇଥାନ୍ତି।
ଭିନ୍ନ ଚିନ୍ତାଧାରା : ଜୀବନରେ ଦୁଇ ଜଣ ବ୍ୟକ୍ତିଙ୍କ ଚିନ୍ତାଧାରା ଓ ସ୍ବପ୍ନ ଅଲଗା ଅଲଗା ହୋଇଥିଲେ ଏକ ବୁଝାମଣା ରଖିବା ଲାଗି ବହୁତ କଷ୍ଟ କରିବାକୁ ପଡ଼ିଥାଏ। ଉଭୟଙ୍କୁ କିଛି ନା କିଛି କମ୍ପ୍ରମାଇଜ୍ କରିବାକୁ ପଡ଼ିଥାଏ। ଯଦି ଏପରି ହେବା ସମ୍ଭବ ନୁହେଁ, ତେବେ ଏକ୍ସଟ୍ରା ମାରିଟାଲ ଆଫେୟାର୍ସ ହେବା ଆଶଙ୍କା ବଢ଼ିଯାଏ। ସେହିପରି କେତେକ ଲୋକେ ଗୋଟିଏ ଘରେ ରହୁଥିଲେ ମଧ୍ୟ ସେମାନଙ୍କ ଭିନ୍ନ ଭିନ୍ନ ପ୍ରାଥମିକତା ରହିଥାଏ। କାହା ପାଇଁ ଟଙ୍କା ଆୟ କରିବା ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ଆଉ କାହା ପାଇଁ ମସ୍ତି ଓ ଫନ୍ ଗୁରୁତ୍ବପୂର୍ଣ୍ଣ। ଯେଉଁ ଲୋକମାନେ ଏଭଳି ସ୍ଥିତିକୁ ହ୍ୟାଣ୍ଡଲ କରି ପାରନ୍ତି ନାହିଁ, ସେମାନଙ୍କ ଜୀବନରେ ଅନ୍ୟର ଏଣ୍ଟ୍ରି ହୋଇଯାଏ। କେତେକ କପଲ ଏପରି ମଧ୍ୟ ଥାଆନ୍ତି, ଯେଉଁମାନଙ୍କ ମଧ୍ୟରେ କୌଣସି ବି କମନ୍ ଇଣ୍ଟ୍ରେଷ୍ଟ ନ ଥାଏ। ପରସ୍ପର ସହିତ କମ୍ଫର୍ଟ ଜୋନ୍ କ୍ରିଏଟ୍ କରିବା ଲାଗି ପରସ୍ପରଙ୍କ ପସନ୍ଦକୁ ମଧ୍ୟ ସମ୍ମାନ କରିବା ଉଚିତ। ଏତିକି ମ୍ୟାଚୁରିଟି ନ ରହିଲେ, ସେମାନଙ୍କ ମଧ୍ୟରେ ସମସ୍ୟା ଆସିପାରେ।
ଆର୍ଥିକ ସମସ୍ୟା : ଅନେକ ସମୟରେ ଆର୍ଥିକ ସମସ୍ୟା ଓ ପାର୍ଟନର ତାଙ୍କ ଆବଶ୍ୟକ ପୂରା ନ କରିବା କାରଣରୁ ମଧ୍ୟ ଏହା ଏକ୍ସଟ୍ରା ମାରିଟାଲ ଆଫେୟାରର କାରଣ ହୋଇପାରେ। ଏପରିସ୍ଥଳେ ଯିଏ ତାଙ୍କ ଆବଶ୍ୟକ ପୂରଣ କରିଥାଏ, ତାଙ୍କ ଆଡ଼କୁ ସେ ଢଳିବାରେ ଲାଗିଥାନ୍ତି। କେତେକ ଲୋକ କ୍ୟାରିଅରରେ ଉଚ୍ଚରେ ପହଞ୍ଚିବା ଲାଗି ଏଭଳି ସମ୍ପର୍କ ରଖିଥିବା ଦେଖିବାକୁ ମିଳିଥାଏ।


