ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) : କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାର ଉଚିତ ନ୍ୟାୟ ପ୍ରଦାନ ଓ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ ସମ୍ମୁଖରେ ସୋମବାର ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିବା ବେଳେ ବାଲେଶ୍ୱରରେ ବି ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ସଦର ବିଜେପି ପକ୍ଷରୁ ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ତଥା ସଦର ନିର୍ବାଚନମଣ୍ଡଳୀ ନେତା ମାନସ ଦତ୍ତଙ୍କ ନେତୃତ୍ୱରେ ପ୍ରତିବାଦ ସଭା ସଦର ବ୍ଳକ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବର୍ଗର ବହୁ ଦଳୀୟ କର୍ମୀ ଏଥିରେ ଯୋଗଦେଇ ମମିତା ହତ୍ୟା ମାମଲାର ତଦନ୍ତଠାରୁ ଆରମ୍ଭ କରି ଅଭିଯୁକ୍ତଙ୍କ ଗିରଫ ପର୍ଯ୍ୟନ୍ତ ପୁଲିସର ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । ନାରୀ ସୁରକ୍ଷା ନାମରେ ଡିଣ୍ଡିମ ପିଟାଯାଉଥିବା ଏହି ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣାରେ ଆଇନକୁ ତା’ବାଟରେ ଯିବାକୁ ନଦେଇ ଶାସକ ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମୌନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯୁବନେତା ଶ୍ରୀ ଦତ୍ତ ଆରୋପ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ଧ୍ରୃତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ କ୍ଷମତାର ଦମ୍ଭ ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ରାଜ୍ୟବାସୀ କେବେ ହେଲେ କ୍ଷମା ଦେବେ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ମମିତାଙ୍କ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବା ସହ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବ ବୋଲି ଦଳୀୟ କର୍ମକର୍ତ୍ତାମାନେ ଏହି ପ୍ରତିବାଦ ସଭାରେ ଚେତାବନୀ ଦେଇଥିଲେ । ଏହି ଅବସରରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଗୌରାଙ୍ଗ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ସୁଧାଂଶୁ ଶେଖର ପଣ୍ଡା, ସରପଞ୍ଚ ରଶ୍ମିତା ମଣ୍ଡଳ, ସତ୍ୟଭାମା ରାଉତ, ଅନୀତା ବେହେରା, ସୁଭେଶ ନାୟକ, ସାନିଆ ମୁର୍ମୁ, ଶ୍ରୀକାନ୍ତ ମହାପାତ୍ର, ସର୍ବେଶ୍ୱର ମହାନ୍ତି, ସମିତି ସଭ୍ୟା ଜୟନ୍ତୀ ମୁର୍ମୁ, ମଣ୍ଡଳ ସଭାପତି ବିଜୟ ଦାସ, ତପନ ଗିରି, ଅନୀଲ ପାତ୍ର, ଭୋଳାନାଥ ପାତ୍ର, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବୈଲୋଚନ ଦାଶ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବିଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ