ମରଣଯନ୍ତା ପାଲଟିଛି ପୂର୍ତ ବିଭାଗର ବାଲିଭଉଁରୀ-ଶିଖରଘାଟ ରାସ୍ତା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ପୂର୍ତ ବିଭାଗର ବାଲିଭଉଁରୀ-ଶିଖରଘାଟ ରାସ୍ତା ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଳକ ଦେଇ ଶିଖରଘାଟକୁ ସଂଯୋଗ ହୋଇଛି । ରାସ୍ତାଟି ବ୍ଳକର ମୁଖ୍ୟ ସଂଯୋଗକାରୀ ରାସ୍ତା ହୋଇଥିବା ବେଳେ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଜିଲ୍ଲା ସମେତ ପାରାଦୀପ ଅସ୍ତରଙ୍ଗ ଆଦି ସ୍ଥାନକୁ ମୁଖ୍ୟତଃ ଏହି ରାସ୍ତା ଦେଇ ଯାନବାହନ ଯିବା ଆସିବା କରିଥାନ୍ତି । ଉକ୍ତ ରାସ୍ତାଟିର ଗୁରୁତ୍ୱ ରହିଥିବା ବେଳେ ବ୍ଳକଛକ, ମୁଗେଇ, ନାଉଗାଁ ବଜାର ଆଦି ସ୍ଥାନରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଖଇରା ଠାରୁ କୋକିଢିହ ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ପୂର୍ଣ୍ଣ ହୋଇଥିବାରୁ ବିଭାଗ ପକ୍ଷରୁ ଏକ ମାସ ପୂର୍ବରୁ ପିଚୁ ରାସ୍ତାକୁ ଖୋଳି ଢଳେଇ ପକାଯାଇ ତାଳି ପକା କାର୍ଯ୍ୟ କରାଯାଇଥିଲା । କିନ୍ତୁ କିଛି ଦିନ ପରେ ରାସ୍ତାରୁ ପୁନର୍ବାର ପିଚୁ ସହ ଢଳେଇ ଉଠିଯିବାରୁ ଗୋଡି ଉଠିବା ଦେଖାଦେଇଛି । ରାସ୍ତା ସାରା ଖାଲ ହୋଇଥିବାରୁ ଲଘୁଚାପଜନିତ ବର୍ଷା ହେଲେ ଖାଲରେ ପାଣି ଜମି ରହୁଛି । ଯାହାଫଳରେ ବାଇକ, ସାଇକେଲ ଆରୋହୀ ଖାଲ ଜାଣି ନ ପାରିବାରୁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରାସ୍ତାରୁ ଗୋଡି ଉଠିବା ଦ୍ୱାରା ଯାନବାହାନ ଯିବା ସମୟରେ ଗୋଡି ଛିଟିକି ନିକଟସ୍ଥ ଦୋକାନ କିମ୍ବା ଜନସାଧାରଣଙ୍କ ଦେହରେ ମାଡ ହେଉଛି । ଯାହାଫଳରେ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି । ତେଣୁ ଉକ୍ତ ରାସ୍ତାକୁ ଯଥା ଶୀଘ୍ର ମରାମତି କରିବା ପାଇଁ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ବିଭାଗୀୟ ଯନ୍ତ୍ରୀ ବଳରାମ ସ୍ୱାଇଁଙ୍କୁ ପଚାରିବାରେ ରାସ୍ତା ଖୁବ ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ