ମରୈଗାଁ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତଟି ଏବେ ଦୁର୍ନିତିର ଗନ୍ତାଘର ପାଲଟିଛି । ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ପାଇଖାନା ନିର୍ମାଣ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଅଥବା ମନରେଗା ଯୋଜନା ସବୁଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ମାନ ଆସୁଛି । ମନରେଗା ଯୋଜନାରେ ଫେକ୍ ଜବକାଡ ଧାରୀ ପ୍ରସ୍ତୁତ କରାଯାଇ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ମୋ ପୋଖରୀ, ଲ୍ୟାଣ୍ଡ ଡେଭଲପମେଣ୍ଟ ଭଳି ମନରେଗା ଯୋଜନା କାର୍ଯ୍ୟରେ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି । ଏପରିକି ଜଣେ ଜଣେ ବ୍ୟକ୍ତିଙ୍କ ନାମରେ ଦୁଇ ତିନୋଟି ଜବକାର୍ଡ ଭିନ୍ନ ଭିନ୍ନ ଗ୍ରାମରୁ କରାଯାଇ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନିଆଯାଇଛି । ପଞ୍ଚାୟତର ଜି.ଆର.ଏସ ତାଙ୍କ ଭାଇ ଓ ସମ୍ପର୍କୀୟଙ୍କ ନାମରେ ଭିନ୍ନ ଭିନ୍ନ ଗ୍ରାମରୁ ଜବକାର୍ଡ କରି ସେମାନଙ୍କ ନାମରେ ବିଭିନ୍ନ ଯୋଜନାର ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ଘର ବାସ୍ତବ କ୍ଷେତ୍ରରେ ମରୈଗାଁ ହୋଇଥିବାବେଳେ ତାଙ୍କୁ ତେନ୍ତୁଲିନଣ୍ଡା, ବେତିରା ପ୍ରଭୃତି ଗ୍ରାମର ଦର୍ଶାଯାଇ ସେହିଗ୍ରାମର ବାସିନ୍ଦା ଦର୍ଶଯାଇ ଭିନ୍ନ ଭିନ୍ନ ଆଇଡିରେ ଜବକାର୍ଡ ଖୋଲି ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ମଜୁରୀ ଅର୍ଥକୁ ହଡପ କରିନେଇଥିବା ଅଭିଯୋଗ ହୋଇଛି । ଖାଲି ତାଙ୍କ ଭାଇ କି ସମ୍ପର୍କୀୟ ନୁହନ୍ତି ଏହି ପଞ୍ଚାୟତରେ ଶହଶହ ନକଲି ଲୋକଙ୍କ ନାମରେ ଫେକ ଜବକାର୍ଡ କରାଯାଇ ମନରେଗା ଯୋଜନାର ମଜୁରୀ ଅର୍ଥକୁ ହଡପ କରାଯାଇଛି । ସେହିପରି ପଞ୍ଚାୟତକୁ ଆସିଥିବା ଏସଏଫସି ଓ ଟିଏଫସି ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ହେରଫେର କରାଯାଇଥିବା ଚର୍ଚ୍ଚା ହେଉଛି । ଏହି ଦୁଇଟି ଅନୁଦାନରେ ପଞ୍ଚାୟତକୁ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଆସୁଥିବାବେଳେ ଦୁଇବର୍ଷ ପୁର୍ବେ ପଞ୍ଚାୟତ ପାଚେରୀ ନିର୍ମାଣ ଓ ନଳକୂପ ଖନନ ନାମରେ ଅଗ୍ରୀମ ଆକରେରେ ୯ଲକ୍ଷ ୭୦ହଜାରରୁ ଉର୍ଦ୍ଧ ଟଙ୍କା ଉଠାଇ ନିଆଯାଇଛି ଯେ ନାଁ କୌଣସି କାମ ହେଉଛି ନା ପଞ୍ଚାୟତକୁ ଏହି ଟଙ୍କା ଫେରସ୍ତ ହେଉଛି । ଏ ସମ୍ପର୍କରେ କିଛି ୱାର୍ଡସଭ୍ୟସଭ୍ୟା ଅଭିଯୋଗ କରୁଥିଲେବି ସେମାନଙ୍କ ଅଭିଯୋଗକୁ ଶୁଣା ଯାଉ ନଥିବା ମଧ୍ୟ କହିଛନ୍ତି । ସେହିପରି କିଛିଦିନ ପୁର୍ବେ କାଣ୍ଡଗଡିଆ ସାହିରେ ଏକ ନଳକୂପ ବସା ଯାଇଥିବାବେଳେ ସେଥିରୁ ପାଣି ବାହାରି ନଥିଲା । ଗାଁ ଲୋକଙ୍କ ଅସନ୍ତୋଷ ପରେ ମାତ୍ର ଏକ ମାସପରେ ପୁନର୍ବାର ସେହି ସ୍ଥାନରେ ଆଉଏକ ନଳକୂପ ବସାଯାଇ ଦୁଇ ଦୁଇଥର ବିଲ କରାଯାଇଥିବା ଅଭିଯୋଗ ହେଉଛି । ସେହିପରି ୮ନଂ ୱାର୍ଡରେ ମାତ୍ର ୨୫ମିଟର କଂକ୍ରିଟ ରାସ୍ତା ମରାମତି କରାଯାଇ ୨ଲକ୍ଷ ୮୪ହଜାର ଟଙ୍କା ବିଲ କରିନିଆଯାଇଛି ବୋଲି ଅଭିଯୋଗ ହୋଇଛି । ଏପରିକି ମରୈଗାଁ ପଞ୍ଚାୟତରେ ହୋଇଥିବା ଦୁର୍ନିତିର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ବିଜେପି ନେତା ଆଲୋକ ସେଠୀ ଦାବି କରିଛନ୍ତି ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ପଞ୍ଚାୟତର ପିଇଓ ହରିହର ସେଠୀଙ୍କୁ ପଚାରିବାରେ ଅଗ୍ରୀମ ଦିଆଯାଇଥିବା ଅନୁଦାନ ଟଙ୍କାକୁ ଧିରେଧିରେ ଆଡଜଷ୍ଟସ କରାଯାଉଛି ବୋଲି କହିଛନ୍ତି । ସେହିପରି ଜିଆରଏସଙ୍କୁ ପଚାରିବାରେ ସେ ଫେକ ଜବକାର୍ଡ ସମ୍ପର୍କରେ ଜାଣି ନାହାନ୍ତି ବୋଲି କହିଛନ୍ତି । ଏଣୁ କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ପଞ୍ଚାୟତକୁ ତଦନ୍ତ ପରିସର ଭୁକ୍ତ କରାଇ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ୱାରା ତଦନ୍ତ କଲେ ବହୁ ଅନିୟମିତତାର ରହସ୍ୟ ଉନ୍ମୋଚନ ହୋଇ ପାରନ୍ତା ବୋଲି ଦାବି ହେଉଛି ।