ମହାଦୁର୍ନୀତିର ମାୟାଜାଲରେ ଓଡିଶା ମାଧ୍ୟମିକ ଶିକ୍ଷାଯୋଜନା

l ୨ ।

‘ସରକାରଙ୍କ ଦ୍ୱାରା ଅନୁମୋଦିତ’ ତଥା ‘ଭାଷା-ସାହିତ୍ୟ-ସଂସ୍କୃତି’ ବିଭାଗ ଦ୍ୱାରା ‘ପ୍ରସ୍ତାବିତ’ ଏବଂ ଅନୁସଚିବଙ୍କ ଦ୍ୱାରା ଉପସ୍ଥାପିତ ଏହି ଆନୁପାତିକତାଶୂନ୍ୟ ପୁସ୍ତକ ତାଲିକାରେ ପ୍ରଥମରୁ କୌଣସିପ୍ରକାର ବିବେକସମ୍ମତ ନିରପେକ୍ଷ ନୀତି ଅବଲମ୍ବିତ ହୋଇନାହିଁ । ଆଠ ହଜାରରୁ ଊଦ୍ଧ୍ୱର୍ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ପାଠାଗାର ପୁସ୍ତକ କ୍ରୟ କ୍ଷେତ୍ରରେ ମାତ୍ର ଆଠ/ନଅ ଜଣ ପ୍ରକାଶକଙ୍କ ବ୍ୟବସାୟିକ ସ୍ୱାର୍ଥକୁ ଅଗ୍ରାଧିକାର ମିଳିଥିବାର ଗରମାଗରମ ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡଗଡଉଥିବାବେଳକୁ ମୁଣ୍ଡ ଟେକିଲାଣି ପୁଣି ଆଉଗୋଟାଏ ବିବଦମାନ ତାଲିକାକୁ ନେଇ ତୁମୁଳ ବିତର୍କ! ସାରା ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ଦ୍ରୁତପ୍ରସାରିତ ଦ୍ୱିତୀୟ ତାଲିକା ପ୍ରତି ଆଖି ବୁଜି ନଦେଇ କେବଳ ଗୋଟାଏ ମାତ୍ର ପଲକ ପକାଇଦେଲେହିଁ ଓଡିଶା ପାଇଁ ଆରମ୍ଭ ହେବାକୁ ଯାଉଥିବା କୋଟିକୋଟି ଟଙ୍କାର ମାଧ୍ୟମିକ ଶିକ୍ଷାଯୋଜନା କିପରି କ୍ରମେ ଏକ ସୁପରିକଳ୍ପିତ ସାଂଘାତିକ ମହାଦୁର୍ନୀତିର ଶିକାର ହୋଇସାରିଛି, ତାହା ଅତି ଅନାୟାସରେ ଯିଏ ବି କେହି ଅନୁମାନ କରିନେଇପାରିବେ!

ଏହି ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇଦିଆଯାଇଥିôବା ସାନିତାଲିକାଟିକୁ ଏଥର ପ୍ରସ୍ତୁତ କରିଛନ୍ତି ଓଡିଶା ସାହିତ୍ୟ ଏକାଡେମୀର ସଚିବ ଏବଂ ପୂର୍ବ ତାଲିକାର ଆଠ/ନଅଟି ପ୍ରକାଶନ ପ୍ରତିଷ୍ଠାନ ମଧ୍ୟରୁ ଚାରୋଟି ପ୍ରତିଷ୍ଠାନ ଉପରେ ଏଥିରେ ଢାଳି ଦିଆଯାଇଛି ମାତ୍ରାଧିକ ଦରଦ! ଦୁଇଟି ପ୍ରକାଶନ ସଂସ୍ଥା ଏହି ଦ୍ୱିତୀୟ ତାଲିକାର ମୁଖ୍ୟ ଆକର୍ଷଣ – ଯେଉଁ ଦୁଇଟି ପୁଣି କେବଳ ପାରିବାରିକ ସୂତ୍ର ନୁହେଁ, ବ୍ୟବସାୟିକ ସୂତ୍ରରୁ ମଧ୍ୟ ପରସ୍ପରର ଘନିଷ୍ଠତମ ସହଯୋଗୀ ସଂସ୍ଥା । ପ୍ରଥମ ସଂସ୍ଥାର ୧୬ ଖଣ୍ଡ ପୁସ୍ତକ ପୂର୍ବ ତାଲିକାରେ ମନୋନୀତ ହୋଇସାରିଥିବାବେଳେ ପରବର୍ତୀ ତାଲିକାରେ ପୁନଃସଂଯୋଜିତ ହୋଇଛି ୫୧ଖଣ୍ଡ ପୁସ୍ତକ – ଅର୍ଥାତ୍ ପୂର୍ବାପେକ୍ଷା ତିନିଗୁଣରୁ ତିନିଖଣ୍ଡ ଅଧିକ! ମାତ୍ର ଆହୁରି ଆଶ୍ଚର୍ଯ୍ୟଜନକ ବ୍ୟାପାର ହେଉଛି, ପ୍ରଥମଟିର ଘନିଷ୍ଠତମ ସହଯୋଗୀ ଦ୍ୱିତୀୟ ସଂସ୍ଥାର ପୂର୍ବ ତାଲିକାରେ ପ୍ରଥମେ ଖଣ୍ଡିଏ ପୁସ୍ତକ ଥିଲେହେଁ ପରବର୍ତୀ ତାଲିକାରେ ମନୋନୀତ କରାଯାଇଛି ୨୩ ଖଣ୍ଡ ପୁସ୍ତକ – ଅର୍ଥାତ୍ ପୁର୍ବାପେକ୍ଷା କୋଡିଏଗୁଣରୁ ତିନିଖଣ୍ଡ ଅଧିକ! ଏହି ଭାଇଆଳୀ/ଭାଗୁଆଳୀ ପ୍ରକାଶନ ସଂସ୍ଥା ଦୁଇଟି ସାଙ୍ଗକୁ ଚୟନକର୍ତା/ ଚୟନକର୍ତ୍ରୀ ପୁଣି ନାହିଁନଥିବା କରୁଣାବାରିର ସୁନାକଳସ ଅଜାଡି ଦେଇଛନ୍ତି ଆହୁରି ଯୋଡିଏ ପ୍ରକାଶନ ପ୍ରତିଷ୍ଠାନ ଉପରେ – ଯେଉଁ ଯୋଡିକଯାକର ପୂର୍ବ ତାଲିକାରେ ପ୍ରଥମେ ୬ ଓ ୩ ଖଣ୍ଡ ଲେଖାଏଁ ପୁସ୍ତକ ସ୍ଥାନ ପାଇଥିବା ସ୍ଥଳେ ପରବର୍ତୀ ତାଲିକାରେ ଆଶାତିରିକ୍ତ ସଂଖ୍ୟାବୃଦ୍ଧି ଘଟି ଯଥାକ୍ରମେ ହୋଇଛି ୨୧ ଓ ୧୭ ଖଣ୍ଡ! ସରକାରୀ ମୋହରର ମୁଖା ତଳେ ସତକୁସତ ଦାପ୍ତରିକ ଦସ୍ତଖତଗୁଡାକ ଯେକୌଣସି ଯୋଜନାର ଆଦର୍ଶକୁ ମୂଳରୁ ହିଁ ମାରିଦେବାରେ ତଂଟିକଟା ଅଂଟିଛୁରୀ ଠାରୁ ବି କିଛି କମ୍ ମାରାତ୍ମକ ମନେହେଉନାହିଁ ।

ଏହି ପରବର୍ତୀ ତାଲିକା ଦେଖିଲେ ଯାହା ମନେହେଉଛି, ପୂର୍ବ ତାଲିକା ପ୍ରସ୍ତୁତିବେଳର ଦୁରଭିସନ୍ଧି ଏଥିରେ କେବଳ କାହିଁ କେତେଗୁଣ ଯେ ବଢିଯାଇଛି ତାହା ନୁହେଁ – ବରଂ କ୍ଷୋଭର ସହିତ ମାନିନେବାକୁ ପଡୁଛି ଯେ ସାମାନ୍ୟତମ ସଂକୋଚ ବା ଲବେମାତ୍ର ଲୋକଲଜ୍ଜାକୁ ସୁଦ୍ଧା ଖାତିର୍ ନକରି ନୀତିନୈତିକତାର ମାପକାଠିଟାକୁ ଛଅଣା ଦି’ପଇସାର ନିଲାମୀବଜାର ଆଡକୁ ଫିଙ୍ଗିଦିଆଯାଇଛି ।

ନଦେଖିବା ଲୋକେ ଏବେ ଦେଖିନିଅନ୍ତୁ ଯେ ‘କଇଁଛ କାଢିଛି ବେକ’ ଭଳି କୋଟିକୋଟି ଟଙ୍କାର ଏ ମାଧ୍ୟମିକ ଶିକ୍ଷାଯୋଜନା ଅନ୍ତରାଳରୁ କି ଦୁର୍ବିସହ ମହାଦୁର୍ନୀତି ତା’ର ସର୍ବଗ୍ରାସୀ ଅସ୍ତିତ୍ୱ ପ୍ରକଟ କଲାଣି ଆରମ୍ଭରୁ! ଏବେ ଯାହା ମନେହେଉଛି – ଏ ପୂର୍ବବର୍ତୀ ଓ ପରବର୍ତୀ ତାଲିକା କୌଣସି ଶୀତତାପନିୟନ୍ତ୍ରିତ ମନ୍ତ୍ରଣାକକ୍ଷରେ ଆୟୋଜିତ ଗୋଟିଏ ପୂର୍ବପରିକଳ୍ପିତ ଗୁପ୍ତବୈଠକୀର ଦୁଇଟି ଚାତୁର୍ଯ୍ୟପୂର୍ଣ୍ଣ ଖସଡା ମାତ୍ର! ଏ ଦୁଇଟିଯାକକୁ ଏକାଠି ତନଖି କଲେ କ’ଣ ଆଉ ଅବୁଝା ରହୁଛି ଯେ ଆମର ଶିକ୍ଷାମିଶନ୍–ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ–ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କର୍ମକର୍ତାମାନଙ୍କ ଠାରୁ ଆରମ୍ଭକରି ଓଡିଶା ସାହିତ୍ୟ ଏକାଡେମୀର ଭାରପ୍ରାପ୍ତ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଏକା ହାଣ୍ଡିର ଭାତ ଖାଉନାହାଁନ୍ତି ବୋଲି? ଗୋଟିଏ ମିଳିତ ଚକ୍ର ଦ୍ୱାରା ଏକ ଅକ୍ଷମଣୀୟ ଅକାର୍ଯ୍ୟକୁ ଯେ ବେଶ୍ ସୁରୁଖୁରୁରେ ଏକପ୍ରକାର ସରକାରୀ ମରାମତିମୂଳକ କାର୍ଯ୍ୟରେ ପରିଣତ କରାଯାଇଛି – ଏଥିରେ କ’ଣ ଏବେ ବି ଆଉ ସନ୍ଦେହ କରିବାର ଅଛି? ୩୦ ଜିଲ୍ଲାପାଳଙ୍କ ଅଧୀନସ୍ଥ ୩୦ ଜିଲ୍ଲାର ଶିକ୍ଷା ଅଧିକାରୀ ନିଶ୍ଚୟ ବାରକଥା ବୁଝୁଥିବେ – ହେଲେ ସେଇ ବାରକଥା ମଧ୍ୟରେ ଏପରି ଦୁଇଟି ଅସଂଗତିପୂର୍ଣ୍ଣ ତାଲିକାକୁ କେହି କିପରି ବିନା ପ୍ରଶ୍ନରେ ଗ୍ରହଣ କରିପାରୁଛନ୍ତି? ଶିକ୍ଷାମନ୍ତ୍ରୀ, ସଂସ୍କୃତିମନ୍ତ୍ରୀ, ସଂପୃକ୍ତ ବିଭାଗୀୟ ପ୍ରମୁଖ ଶାସନସଚିବ, ନିର୍ଦ୍ଦେଶକ, ଅତିରିକ୍ତ ଶାସନସଚିବ କି ଉଚ୍ଚ ଅଧିକାରୀମାନଙ୍କ ଗୋଚରକୁ ଏ ତ୍ରୁଟିବିଚ୍ୟୁତିବହୁଳ ତାଲିକାର ନିନ୍ଦନୀୟତାକୁ ନଆଣି କିପରି ସମସ୍ତେ ନିରୁପାୟ ନୀରବ ଦର୍ଶକ ଭୂମିକାରେ ମୂକଅଭିନୟ କରିବାକୁ ପସନ୍ଦ କରିପାରୁଛନ୍ତି? ସରକାର ଯଦି ମାସମାସ ଧରି ନିଜ ଦରମା ଗଣିନେଉଥିବା ତାଙ୍କ କର୍ମକର୍ତ୍ତାମାନଙ୍କ ଦ୍ୱାରା ବର୍ଷବର୍ଷ ଧରି ବଜାୟ ରହିଥିବା ଦୁର୍ନୀତି ଗଣିବାକୁ ସଜାଗ ନହେବେ, ସାରା ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବାକୁ ଥିବା ଯୋଜନାଗୁଡିକ, ତା’ହେଲେ ଖତଗଦାରେ ଯାଇ ଖତମ୍ ହେବ ଶେଷକୁ – ଏ ସତ୍ୟକୁ କ’ଣ ଡାକବାଜି ଯନ୍ତ୍ର ଲଗାଇ ପ୍ରଚାର କରିବା ଦରକାର?

ଆମେ ବର୍ତମାନ ବ୍ୟବଚ୍ଛେଦର ଶେଷପର୍ଯ୍ୟାୟକୁ ଆସିବା । ଦୁଇଟି ଭିନ୍ନ ତାରିଖ ପକାଯାଇ ଯେଉଁ ଦୁଇଟି ପୁସ୍ତକ ତାଲିକା ତିଆରି କରାଯାଇଛି, ପୂର୍ବାପର ତାରିଖ ମିଳାଇ ଦେଖିଲେ ‘ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ପୁସ୍ତକ ତାଲିକା’ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଜନୈକ ଅନୁସଚିବଙ୍କ ଦ୍ୱାରା ଉପସ୍ଥାପିତ ହେଲାବେଳେ ତାଙ୍କ ଦସ୍ତଖତ ତଳେ ତାରିଖ ପଡିଛି ୧୯/୧୧/୧୮ । ଏହା ପ୍ରଥମ ପୁସ୍ତକ ତାଲିକା – ଯାହା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ତା-୧୫/୧୧/୧୯ରିଖ ସ୍ୱାକ୍ଷରିତ ଚିଠି ସହିତ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅବଗତି ଉଦ୍ଦେଶ୍ୟରେ ସଂଲଗ୍ନ । ପ୍ରଥମ ତାଲିକା (୧୯/୧୧/୧୮ ତାରିଖରେ ଦାଖଲ ହୋଇଥିବା ଜନୈକ ଅନୁସଚିବଙ୍କ ପତ୍ରରୁ ଯାହା ଜଣାପଡେ)ର ୧୦ଦିନ ପରେ ଦ୍ୱିତୀୟ ତାଲିକା (ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ଦସ୍ତଖତ ତଳେ ପଡିଥିବା ତା-୨୯/୧୧/୧୮ରିଖ ଅନୁଯାୟୀ) ତରବରରେ ତିଆରି କରାଯାଇ ଓଡିଶା ମାଧ୍ୟମିକ ଶିକ୍ଷାମିଶନକୁ ପଠାଇଦିଆଯାଇଛି । ଅସଂଗତିରେ ଆମୂଳଚୂଳ ଭରପୂର ଏହି ଦ୍ୱିତୀୟ ତାଲିକାଟି ପ୍ରଥମ ତାଲିକାର ମାତ୍ର ୧୦ଦିନ ପରେ ପ୍ରସ୍ତୁତ ହୋଇ ଯଦି ୨୯/୧୧/୧୮ରେ ଶିକ୍ଷାମିଶନକୁ ହସ୍ତାନ୍ତରିତ ହେଲା, ତା’ହେଲେ ସମସ୍ତ ଜିଲ୍ଲା ଅଧିକାରୀଙ୍କ ପ୍ରତି ଉଦ୍ଦିଷ୍ଟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ୱାକ୍ଷରିତ ତା-୧୫/୦୩/୨୦୧୯ରିଖର ଚିଠିରେ ତାହାକୁ ସଂଲଗ୍ନ କରାଯାଇପାରିଲାନାହିଁ କାହିଁକି? ଏହାର ଅର୍ଥ ପ୍ରତ୍ୟେକ ତାଲିକା ପ୍ରସ୍ତୁତିର ପର୍ଯ୍ୟାୟ କୌଣସି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ହାତବାରିସୀ ସାଜିଥିବା କିଛି ସରକାରୀ ପଦାଧିକାରୀଙ୍କ କଳା କାରସାଦି ଦୃଷ୍ଟିରୁ କେବଳ ‘ସନ୍ଦିଗ୍ଧ’ ନୁହେଁ, ବରଂ ପିଛିଲା ତାରିଖ ପକାଯାଇ ସରକାରୀ ମୋହର ବଳରେ ସମସ୍ତ ଜିଲ୍ଲାର ଶିକ୍ଷାଅଧିକାରୀଙ୍କ ଆଖିକୁ ଧୂଳି ଫିଙ୍ଗି ମାଧ୍ୟମିକ ବିଦ୍ୟାଳୟ ପାଠାଗାର ପାଇଁ ପୁସ୍ତକ କ୍ରୟ ଯୋଜନା ଆଳରେ କୋତୋଟି ଧୁଆମୂଳା ସାଙ୍ଗରେ ଗୁଡାଏ ଅଧୁଆମୂଳାକୁ ବେଶ୍ ଚତୁରତାର ସହିତ ଭର୍ତି କରିଦେଇଥିବା ଦୃଷ୍ଟିରୁ ମଧ୍ୟ ଆଇନ୍ତଃ ‘ଅଭିଯୁକ୍ତ’ ହେବା ଉପରେ । ଏପରିକି ଅଧିକାଂଶ ଜିଲ୍ଲା ଶିକ୍ଷା ଅଧିକାରୀ ଏଭଳି ଦୁଇଟି ଦୁରଭିସନ୍ଧିପୂର୍ଣ୍ଣ ପୁସ୍ତକ ତାଲିକା ଦେଖିବା ପରେ ଘୋର ଅସନ୍ତୋଷ ପ୍ରକଟ କରୁଥିବା ଶୁଣାଯାଉଛି । ହେଲେ ସରକାରୀ ମୋହରର ମଖମଲି ମୁଖା ସେମାନଙ୍କୁ ମୁହଁରେ ତୁଣ୍ଡି ବାନ୍ଧି ତୁନି ରହିବା ଦୁରବସ୍ଥାକୁ ନେଇଆସିଛି! ଏଣେ କିନ୍ତୁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ବହୁ କୋଟି ଟଙ୍କାର ମାଧ୍ୟମିକ ଶିକ୍ଷାଯୋଜନା ଯେ ଅଳ୍ପ କେତେଜଣ ଦୁର୍ନୀତିଖୋର ସରକାରୀ ଅଫିସରଙ୍କ ମିଳିତଚକ୍ର ଯୋଗୁଁ ପ୍ରଥମରୁ ବିଘ୍ନର ଶିକାର ହେଲାଣି – ସଂପୃକ୍ତ ଦପ୍ତରର ଅଧସ୍ତନଙ୍କ ମହଲରେ ସୁଦ୍ଧା ଏ ଚର୍ଚ୍ଚା ଏବେ ଫଣା ଟେକିଲାଣି । ଏହି ଦୃଷ୍ଟିରୁ କେହିକେହି ଯଦି ଲାଂଚ ରିସପତ୍ ନିଆଯାଇ ଅସଲି ମୋହର ମରାଇ ଏଭଳି ନକଲି କାର୍ଯ୍ୟ କରାଯାଉଛି ବୋଲି ଅଫିସ୍ କ୍ୟାଂଟିନ୍ ବା ପାଖ ଚା’ ଦୋକାନରେ ଆଳାପ-ଆଲୋଚନା କରୁଛନ୍ତି, ସେଥିରେ ବିନ୍ଦୁମାତ୍ର ବିସ୍ମିତ ହେବାର ନାହିଁ ।

ମାୟାଧର ନାୟକ

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ