ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରାଇ ଦାମୋଦର ବେଶ
ନିମାପଡ଼ା, (ସନ୍ତୋଷ ଦାଶ):ବର୍ଷକ ବାର ମାସ ମଧ୍ୟରୁ କାର୍ତ୍ତିକ ମାସ ସର୍ବଶ୍ରେଷ୍ଠ ପୂଣ୍ୟ ମାସ ବୋଲି ବିବେଚନା କରାଯାଏ। ଏହି ମାସ ରେ ଭଗବାନ ବିଷ୍ଣୁ ଙ୍କୁ ଆରାଧନା କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଦିକବି ଶାରଳା ଦାସ ଙ୍କ ମହାଭାରତ ଓ ପଦ୍ମ ପୁରାଣ ରେ ବର୍ଣ୍ଣିତ ହୋଇଛି ଯେ, କାର୍ତ୍ତିକ ମାସ ହିଁ ଭଗବତ ଆରାଧନା, ଉପାସନା ଓ ଆଧ୍ୟାତ୍ମିକତା ଦୃଷ୍ଟି ରୁ ଶ୍ରେଷ୍ଠ ମାସ। କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥି ଠାରୁ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ସାରା ରାଜ୍ୟ ରେ ବ୍ରତ ଓଷା ରଖିଥିବା ଧର୍ମ ପରାୟଣ ବ୍ୟକ୍ତି, ବିଧବା ମହିଳା ମାନେ ରାଇ ଦାମୋଦର ପୂଜା କରିଥାଆନ୍ତି। ଏହି ସମୟ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ତେବେ ମହାପ୍ରଭୂ ଶ୍ରୀ ଜଗନ୍ନାଥ କାହିଁକି ଦାମୋଦର ବେଶ ହୋଇଥାଆନ୍ତି ଓ ଶ୍ରଦ୍ଧାଳୁ ଭକ୍ତମାନେ କାହିଁକି ରାଇ ଦାମୋଦର ପୂଜା କରିଥାଆନ୍ତି ସେ ସମ୍ପର୍କ ରେ ଏକ କାହାଣୀ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ବଡପଣ୍ଡା ଠାକୁରଙ୍କର ବଡ ସେବକ। ନୈଷ୍ଠିକ ବ୍ରାହ୍ମଣ ସେ। ତାଙ୍କ ଚଳୁରେ ଜଗନ୍ନାଥ ଦେଖାଯାଆନ୍ତି ବୋଲି କୁହାଯାଏ। ତେବେ ଯାଇ ଭୋଗ ଲାଗେ। ବଡ ପଣ୍ଡା କ୍ରମେ ବୟସ ଭାରରେ ନଇଁ ପଡିଲେ। ବଡ ଦେଉଳକୁ ଯିବା ଆସିବା କଷ୍ଟକର ହେଲା।ଦିନକର କଥା। ବଡପଣ୍ଡା ବଡ କଷ୍ଟରେ ବଡଦେଉଳରେ ସେବାପୂଜା ସାରି ମନ୍ଦିରରେ ବସିଲେ। କେହି ନଥାନ୍ତି। ବଡପଣ୍ଡା କରୁଣ ଭାବରେ କାନ୍ଦି କାନ୍ଦି ହାତଯୋଡି କହିଲେ,“ହେ ଚକାଡୋଳା ! ମୋର ମୃତ୍ୟୁ ଆସନ୍ନ। ମୋର ଶରୀର ଆପଣଙ୍କ ସେବା କରିବାକୁ ଅସମର୍ଥ। ମୁଁ ଆଉ କାଲିଠାରୁ ବଡଦେଉଳକୁ ଆସି ପାରିବିନି ପ୍ରଭୁ। ମୋତେ କ୍ଷମା ଦିଅନ୍ତୁ ମହାବାହୁ।”ଭକ୍ତର ଆକୁଳ ଡାକରେ ପ୍ରଭୁ ବିଚଳିତ ହୋଇ ବଡପଣ୍ଡାଙ୍କ ଆଗରେ ଆବିର୍ଭୂତ ହେଲେ। ବଡପଣ୍ଡାଙ୍କ ଆଖିରୁ ଶ୍ରାବଣର ଧାରା ଝରିଲା।ସାଷ୍ଟାଙ୍ଗ ପ୍ରଣିପାତ କରି ପଣ୍ଡାଏ ନିଜକୁ ଭୁଲିଗଲେ। ମହାପ୍ରଭୁ ମହାଭକ୍ତଙ୍କୁ ବର ଯାଚିଲେ। ବଡପଣ୍ଡା କାନ୍ଦିକାନ୍ଦି କହିଲେ,“ଜୀବନର ଶେଷ ବେଳରେ ଆପଣଙ୍କ ଦେବଦୁର୍ଲଭ ଦର୍ଶନ ପାଇଲି ପ୍ରଭୁ। ଆଉ କିଛି କାମନା ନାହିଁ। କିନ୍ତୁ ଜଗନ୍ନାଥ କହିଲେ,“ମାଗ ଭକ୍ତ,କିଛି ତ ହେଲେ ମାଗ।” ବଡ଼ପଣ୍ଡା କହିଲେ,“ତେବେ ପ୍ରଭୁ ମୋର ଏକମାତ୍ର ଝିଅ ରାଈ ପାଇଁ କିଛି ମାଗିବି। ସେ ପିଲାଦିନୁ କୃଷ୍ଣଭକ୍ତ। ତାର ଏକମାତ୍ର ଇଚ୍ଛା ଆପଣଙ୍କ ଦର୍ଶନ କରିବ। ତାର ସେଇ ଇଚ୍ଛାଟିକୁ ପୂରଣ କରନ୍ତୁ ମହାପ୍ରଭୁ ,ଆଉ କିଛି ମୋର ଲୋଡା ନାହିଁ।”ଜଗନ୍ନାଥ ତା ପରଦିନ ଦେଖା ଦେବାପାଇଁ କଥା ଦେଲେ। ବଡପଣ୍ଡା ଖୁସିରେ ଘରକୁ ଫେରି ଝିଅ ରାଇ କୁ ଖୁସି ଖବର ଦେଲେ।ପରଦିନ ରାଇ ଦିନସାରା ବଡ ନିଷ୍ଠାରେ ପୂଜାବ୍ରତ କରି ଅପେକ୍ଷା କରିଥାଏ ଠାକୁର ଘରେ। ରାତି ହେଲା। ମହମହ ବାସି ଉଠିଲା ପୂଜାଘର। ଅଦ୍ଭୂତ ଆଲୋକରେ ଉଦ୍ଭାସିତ ହେଲା ଘରର ଅଭ୍ୟନ୍ତର।ଶ୍ରୀକୃଷ୍ଣଙ୍କର ମନମୋହନ ରୂପରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ। ଲୁହ କୋହରେ ଅନ୍ଧୁଣୀ ପ୍ରାୟ ହୋଇଗଲେ ବ୍ରାହ୍ମଣ କନ୍ୟା ରାଈ। ପ୍ରଭୁ ତାଙ୍କୁ ସ୍ପର୍ଶ କଲେ। ଚେତନା ଫେରି ଆସିଲା। ପ୍ରଭୁ କହିଲେ,“ମନଇଚ୍ଛା ବର ମାଗିନିଅ ରାଇ”। ରାଈ କହିଲା,“ମୋତେ ବିବାହ କରନ୍ତୁ ପ୍ରଭୁ। ମୁଁ ଆପଣଙ୍କୁ ସ୍ବାମୀ ରୂପରେ ଚାହେଁ।” ଅଡୁଆରେ ପଡିଗଲେ ଦୀନବନ୍ଧୁ। କହିଲେ,“କଥା ଦେଇଛି ; ବିବାହ କରିବି ; କିନ୍ତୁ ଗୋପନରେ। ଲକ୍ଷ୍ମୀ ଜାଣିଲେ ରାଗିବେ। ରାତାରାତି ପଣ୍ଡା ବିବାହ ବିଧି ସାରିଦେଲେ। ରାତି ନ ପାହୁଣୁ ହଟିଆ ନାଗର ପ୍ରଭୁ ବଡ ଦେଉଳକୁ ଫେରିଗଲେ। ପ୍ରଭାତରେ ଲକ୍ଷ୍ମୀ ଠାକୁରଙ୍କୁ ଦେଖି ସନ୍ଦେହ କଲେ। ଦେହରେ ହଳଦୀ, ପାଦରେ ଅଳତା,ପ୍ରଭୁଙ୍କର ଇଏ କି ବେଶ ! ମା ମହାଲକ୍ଷ୍ମୀ ପଚାରିଲେ,“ଇଏ କଣ ଚକାଆଖି ! କଣ ପ୍ରଭୁ ଦ୍ବିତୀୟ ବିବାହ କଲେ କି ?”ଜଗନ୍ନାଥ ଚମକି ଗଲେ,“ନା, ନା, ମୁଁ ସ୍ବର୍ଗକୁ ଇନ୍ଦ୍ର ବାହାଘରକୁ ଯାଇଥିଲି ; ସେଇଠି ଏ ଦଶା ହୋଇଛି।”ଲକ୍ଷ୍ମୀ ସାଆନ୍ତାଣୀ ତ ସରଳ। ତେଣୁ ମହାପ୍ରଭୂ ଙ୍କ କଥା କୁ ବିଶ୍ୱାସ କରିଦେଲେ। ଗଲା କିଛିଦିନ।କଳିହା ନାରଦ ସବୁ ଜାଣନ୍ତି ; ସତ କହି କଳି ଲଗାନ୍ତି। ତାଙ୍କୁ ଭଲ ପ୍ରସଙ୍ଗଟିଏ ମିଳିଗଲା। ସେ ଦିନେ ବଡପଣ୍ଡାଙ୍କ ଘରେ ଯାଇ ପହଞ୍ଚିଗଲେ। ବଡପଣ୍ଡା ଓ ଝିଅ ରାଈ ତାଙ୍କର ଆଦର ସତ୍କାର କଲେ।ନାରଦ ଝିଅ ମଥାରେ ସିନ୍ଦୁର ଦେଖି ତା ଶାଶୁଘର କଥା ପଚାରିଲେ। ବଡପଣ୍ଡା ସବୁ ସତକଥା କହି ଦେଲେ। ନାରଦ ଜାଣିଲେ ପ୍ରଭୂ ଜଗନ୍ନାଥ ଙ୍କୁ ବିବାହ କରି ରାଈ ବାପଘରେ ଅଛି। ନାରଦ ରାଈକୁ ତାଙ୍କ ଶାଶୁଘର ଶ୍ରୀ ମନ୍ଦିରକୁ ଯିବାକୁ ପରାମର୍ଶ ଦେଲେ। କହିଲେ,“ତୁମେ ବଡଦେଉଳ ଯାଇ ମାଆ ମହାଲକ୍ଷ୍ମୀଙ୍କ ସେବା କର। ସୁବିଧା ଦେଖି ମାଆ ଙ୍କୁ ସତକଥା କହିବ। ଲକ୍ଷ୍ମୀ ମାଆ ଦୟା କଲେ ତୁମେ ଶାଶୁଘରେ ରହି ପାରିବ।”ତା’ପର ଦିନଠୁ ରାଈ ଲକ୍ଷ୍ମୀଙ୍କ ପହଡ ଭାଙ୍ଗିବା ପୂର୍ବରୁ ଦେଉଳରେ ପହଞ୍ଚି ମନ୍ଦିର ପରିଷ୍କାର କରି ଓ ଅନ୍ୟକାମ ସବୁ ସାରି ଗୋପନରେ ଫେରିଆସେ। ମହାଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ ଭାବିଲେ କିଏ ? କାହିଁକି ଗୋପନରେ ମୋର ଏତେ ସେବା କରୁଛି ? ଦେଖିବାକୁ ହେବ। ଦିନେ ଲୁଚି ବସି ରାଈକୁ ଧରିଲେ ଓ ପରିଚୟ ପଚାରିଲେ। ରାଈ ସତକଥା କହିଦେଲେ। ମା ଲକ୍ଷ୍ମୀ ରାଗି ନିଆଁବାଣ। ଜଗନ୍ନାଥେ ଡରି ଛାନିଆ। ବୁଝେଇଲେ କି ଲକ୍ଷ୍ମୀ ବୁଝିବେ ? ଠିକ୍ ସମୟରେ ପହଞ୍ଚିଗଲେ କଳିହା ନାରଦ। ସବୁ କଥା ଆଉଥରେ ଶୁଣି ମାଆଙ୍କୁ ବୁଝାଇଲେ,ପ୍ରଭୁ ତ ବିବାହ କରି ସାରିଛନ୍ତି ରାଇ କୁ। ରାଇ କୁ ମହାପ୍ରଭୂ ଙ୍କ ପତ୍ନୀ ବୋଲି ସ୍ବୀକାର ନ କଲେ ବଡ଼ଦାଣ୍ଡ ରେ ନିନ୍ଦା ର ବାଜଣା ବାଜିବ। ନାରଦ ଏକ ପ୍ରସ୍ତାବ ଦେଲେ ମା ଲକ୍ଷ୍ମୀ ସାଆନ୍ତାଣୀ ଙ୍କୁ। ବର୍ଷକ ୩୬୫ ଦିନ। ସେଥିରୁ ୨୫ ଦିନ ରାଈ ମହାପ୍ରଭୂ ଙ୍କ ପାଖରେ ରୁହନ୍ତୁ। କଣ କରିବେ ବା ମା ଲକ୍ଷ୍ମୀ ସାଆନ୍ତାଣୀ ? ନାରଦ ମୁନି ଙ୍କ ପ୍ରସ୍ତାବ ରେ ରାଜି ହେଲେ ମା ଲକ୍ଷ୍ମୀ। ସେହି କାରଣ ରୁ ଆଶ୍ବୀନ ମାସ ଶୁକ୍ଳ ଦଶମୀ ଠାରୁ ୨୫ ଦିନ ଜଗନ୍ନାଥ ବଡପଣ୍ଡାଙ୍କ ଝିଅ ରାଈଙ୍କର ସ୍ବାମୀ ହୁଅନ୍ତି। ପ୍ରଭୁଙ୍କର “ରାଈ-ଦାମୋଦର” ବେଶ ଦର୍ଶନ କଲେ ଆଖି ପବିତ୍ର ହୁଏ। ମହାପାତକ ନାଶ ହୁଏ। ଲୀଳାମୟ ଯେପରି ରହସ୍ୟମୟ ସେପରି ତାଙ୍କର ବିଚିତ୍ରଲୀଳା।ଜୟ ଜଗନ୍ନାଥ।