ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପ୍ରାତଃ ସ୍ମରଣୀୟ ନବ ଉତ୍କଳର ନିର୍ମାତା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୧୩୧ ତମ ଜନ୍ମ ଜୟନ୍ତି ବଂଶଧାରା ପାଠାଗାର ଓ ପୂଜ୍ୟପୂଜା ପରିଷଦ ତରଫରୁ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସଭା ଗୃହ ଠାରେ ମଙ୍ଗଳବାର ଦିନ ଅନୁଷ୍ଠାନର ସଭାପତି ହୃଷିକେଶ ଗୌଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସଭାପତି ଜି.ତିରୁପତିରାଓ ମୁଖ୍ୟଅତିଥିଭାବେ ଯୋଗଦେଇଥିଲା । ସମ୍ମାନୀତ ଅତିଥି ଭାବେ ବିଡିଓ ଲକ୍ଷ୍ମୀ ପ୍ରସାଦ ସାହୁ, ତହସିଲଦାର ସିମାଞ୍ଚଳ ମହାନ୍ତି, ନିର୍ବାହୀ ଅଧିକାରିଣି ଡାକ୍ତର ସତ୍ୟ ସମ୍ପର୍ଣ୍ଣା ରାଉତ, ମେଡିକାଲ ଅଫିସର ଡାକ୍ତର ପାର୍ଥସାରଥି ବେହେରା, ଏନ୍ଏସି ଉପାଧ୍ୟକ୍ଷ ରଘୁରାମ ସାହୁ ପ୍ରମୁଖ ଯୋଗଦେଇ ଗଜପତିଙ୍କ ଜନ୍ମ ଜୟନ୍ତୀ ଅବସରରେ ଫଟୋ ଚିତ୍ରରେ ପୁଷ୍ପ, ଧୂପ ଦେଇ ତାଙ୍କ ଜନହିତ କାର୍ଯ୍ୟ, ସୁଶାସନ ଆଦି ବର୍ଣ୍ଣନା କରି ବକ୍ତବ୍ୟ ରଖିଥଲେ । ଏ ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୋଲିସ ଅଧିକାରୀ ଜେଭିଜି ରାଓ, ବି.କୋମଳାଙ୍ଗି, ସଫଳ ଚାଷୀ ଶ୍ରୀନୁ ଗଙ୍ଗା, ଗିତିକାର ସାବିତ୍ରୀ ସାହୁ, ଅନିମା ପଣ୍ଡା, ସ୍ୱେତାକୁମାର ସେବିକା ପାଇନିର୍କାଶ କୃତି ଶିକ୍ଷକ ସିଆର୍ସି ଗୋପାଳ ରାଓଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କ ମହାରାଜାଙ୍କ ଚିତ୍ର ଓ ଜୀବନି ରଚନା ଲେଖା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଅତିଥିମାନେ କରିଥିଲେ । କେ.ରାମାରାଓ ଧନ୍ୟବାଦ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେହିପରି ପାରଳା ରାଜଜେମା କଲ୍ୟାଣି ଗଜପତି ଇଦୁଡି ଠାରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସ୍ଥାନୀୟ ଗଜପତି ପାଠାଗାର ଠାରେ ମଧ୍ୟ ଜୟନ୍ତୀ ପାଳିତ ହୋଇଥିଲା ।