ମହିଳାଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ
ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନା ସାହିରେ ଜଣେ ମହିଳା ଘର ଭିତରେ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକା ଜଣଙ୍କ ହେଲେ ଥାନା ସାହିର ସ୍ୱପ୍ନା ପାଢି (୪୨) । ମୃତା ମହିଳା ଜଣଙ୍କ ପରିବାର ସହ ଦିଲ୍ଲୀରେ ରହୁଥିବା ବେଳେ ଗତ କିଛି ଦିନ ପୂର୍ବେ ଝିଆରୀର ବାହାଘର ପାଇଁ ହିଞ୍ଜିଳିକାଟୁ ଆସିଥିଲେ । ଝିଆରୀ ବାହାଘରର ୨ ଦିନ ପରେ ପରିବାର ସଦସ୍ୟ ମଙ୍ଗଳବାର ବୁଲିବାକୁ ନିକଟସ୍ଥ ଅଞ୍ଚଳକୁ ଯାଇଥିବା ବେଳେ ମହିଳା ଜଣଙ୍କ ଘରେ ଏକାକୀ ଥିଲେ । ପରିବାର ସଦସ୍ୟ ଘରକୁ ଫେରିବା ବେଳେ ମହିଳା ଜଣଙ୍କ ଘରର ସିଲିଂ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପରିବାର ସଦସ୍ୟ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବଞ୍ଚିଥିବା ଆଶା କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠରେ ଡାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୨୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ବୁଧବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଏଏସଆଇ ଅନନ୍ତ ଶବର କହିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ପୁଲିସ ପରିବାର ଲୋକଙ୍କୁ ପଚରା ଉଚୁରା କରିବା ସହ ଘଟଣାର ତଦନ୍ତ ଚଳାଇଛି ।