ମହିଳାଙ୍କ ପ୍ରତି ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କ ଅଶାଳୀନ ବ୍ୟବହାର ଅଭିିଯୋଗ
ବାଲେଶ୍ୱର, (ସରୋଜ ପଣ୍ଡା):ଋଣ କିସ୍ତି ଆଦାୟ କରିବାକୁ ଆସି ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କ ପ୍ରତି ପ୍ରାଇଭେଟ ଫାଇନାନ୍ସ କମ୍ପାନିର ରିକୋଭରି ଏଜେଣ୍ଟଙ୍କ ଅଶାଳୀନ ବ୍ୟବହାରକୁ ନେଇ ସଦର ଥାନାରେ ଏତଲା ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ପାରିକୂଳ ଗ୍ରାମର ସୁଶୀଳ ଜେନା ଏକ ଘରୋଇ ଫାଇନାନ୍ସରୁ ଟ୍ରଲି ଅଟୋ ଟିଏ ଆଣିଥିଲେ । ପ୍ରତିମାସ ଧାର୍ଯ୍ୟ ତାରିଖ ପୂର୍ବରୁ ସେ ଋଣ କିସ୍ତି ଦେଉଥିବା ବେଳେ ଦେହ ଖରାପ ରହିବା ଯୋଗୁଁ ଗତ ୨ମାସ ଧରି କିସ୍ତି ଖିଲାପ କରିଥିଲେ । ଏହାକୁ ନେଇ ଫାଇନାନ୍ସ କମ୍ପାନିର ରିକୋଭରି ଏଜେଣ୍ଟ ଗତ ୨୯ ତାରିଖରେ ସୁଶୀଳ ଜେନାଙ୍କ ଘରେ ପହଞ୍ଚିଥିଲେ । ସେତେବେଳ ଶ୍ରୀ ଜେନା ଡାକ୍ତରଖାନା ଯାଇଥିଲେ । ଏ ସମ୍ପର୍କରେ ତାଙ୍କ ପତ୍ନୀ ଶାନ୍ତିଲତା ଜେନା କିଛି ପଚାରିବା ପୂର୍ବରୁ ଏଜେଣ୍ଟ ଜଣଙ୍କ ଜାତି ଉଠାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ୨ ଦିନ ମଧ୍ୟରେ ଟଙ୍କା ନ ଦେଲେ ସୁଶୀଳ ଜେନାଙ୍କ ଠାରୁ ଅଟୋ ଛଡ଼ାଇ ନେବେ ଓ ମାଡ଼ ମାରି ବାକି ଟଙ୍କା ଆଦାୟ କରିବେ ବୋଲି ଧମକ ଦେଇଥିଲେ । ତେବେ ଏଜେଣ୍ଟଙ୍କ ବ୍ୟବହାରକୁ ନେଇ ତାଙ୍କୁ ପଡ଼ୋଶୀମାନେ ତାଙ୍କୁ ଘେରିଯିବାରୁ ସେଠାରୁ ସେ କୌଶଳ କ୍ରମେ ମିଛ କଥା କହି ଖସି ଯାଇଥିଲେ । ଏହାକୁ ନେଇ ଶ୍ରୀମତୀ ଜେନା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ସଦର ଥାନା ଅଧିକାରୀ ଜୟନ୍ତ ବେହେରାଙ୍କୁ ପଚାରିବାରୁ ସେ ବାହାରେ ଥିବାରୁ ମହିଳାଙ୍କ ଏତଲା ବାବଦରେ ସଠିକ ଉତ୍ତର ଦେଇପାରି ନଥିଲେ ।