ମହିଳାମାନଙ୍କୁ ପଦେ
ସୁବାସ କୁମାର ତାରଣିଆଁଁ
ମୋ : ୮୩୨୮୮୪୦୨୧୪
ନାରୀ ଜନ୍ମ ଈଶ୍ୱରଙ୍କ ପ୍ରଦତ୍ତ ଏକ ଅମୂଲ୍ୟ ସୃଷ୍ଟି । ମହିଳା ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ଭଳି । ପ୍ରତ୍ୟେକ ସଫଳ ପୁୁରୁଷ ପଛରେ ଜଣେ ମହିଳାଙ୍କର ପ୍ରଚ୍ଛନ୍ନ ହାତ ରହିଥାଏ । ଜଣେ ମହିଳା କାହାର ମାଆ, କାହାର ସ୍ତ୍ରୀ, କାହାର ଭଉଣୀ, କାହାର ଝିଅ ଅଟନ୍ତି । ସାମ୍ପ୍ରତିକ ସମାଜରେ ମହିଳାମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି । ଭାରତର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ମହିଳାମାନଙ୍କର ପ୍ରଚ୍ଛନ୍ନ ଭୂମିକା ଥିଲା । ରାଣୀ ଲକ୍ଷ୍ମୀବାଈ, କସ୍ତୁରବା ଗାନ୍ଧୀ, ସରୋଜିନୀ ନାଇଡ଼ୁ, କମଳା ନେହେରୁ ପ୍ରମୁଖ ଭାରତର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶାରୁ ରମାଦେବୀ, ସରଳାଦେବୀ, ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହୋଇ ଦେଶକୁ ସ୍ୱାଧୀନ କରାଇବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ମହାନ୍ ଦେଶପ୍ରେମୀ ମହିଳାମାନେ ଆଜି ଆମ ଗହଣରେ ନାହାଁନ୍ତି, ସତ କିନ୍ତୁ ସେମାନଙ୍କର ଆଦର୍ଶ, ତ୍ୟାଗ, ବଳିଦାନ ନାରୀଜାତି ପାଇଁ ଏକ ଉଦାହରଣ ସୃଷ୍ଟି କରି ଯାଇଛନ୍ତି ।
ଦିନ ଥିଲା ମହିଳାମାନେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ରହି ନିଜର ସ୍ୱାମୀଙ୍କ କର୍ତ୍ତବ୍ୟ ସମ୍ପାଦନ କରିବା ସହିତ, ଶାଶୁ, ଶ୍ୱଶୁରଙ୍କ ସେବା, ଶୁଶ୍ରୁଷା କରୁଥିଲେ ଓ ପିଲାମାନଙ୍କ ଦାୟିତ୍ୱ ନିର୍ବାହ କରୁଥିଲେ । ସେମାନେ ଘରୁ ଗୋଡ଼ କାଢି ବାହାରକୁ ଯିବା ପାଇଁ ପସନ୍ଦ କରୁନଥିଲେ । କୌଣସି ସଭା ସମିତି ହେଉ ବା ଆନ୍ଦୋଳନ ହେଉ, ମହିଳାମାନେ ଭାଗ ନେବାକୁ ଘରର ମୁରବୀମାନେ ଅନୁମତି ଦେଉନଥିଲେ । ବହୁ ଲୋକଙ୍କ ମନରେ ଧାରଣା ଥିଲା ଯେ, ନାରୀ ଜନମ ପର ଘରକୁ, ଚୁଲି ମୁହଁକୁ ଏବଂ ନାରୀ ଜନ୍ମକୁ ନୀଚ ଦୃଷ୍ଟିରେ ଦେଖୁଥିଲେ । ସେଥିପାଇଁ ବହୁ ମହିଳା କନ୍ୟା ସନ୍ତାନ ଜନ୍ମ ଦେବାକୁ ପସନ୍ଦ କରୁନଥିଲେ । ଅନେକ କ୍ଷେତ୍ରରେ କନ୍ୟା ସନ୍ତାନଟିଏ ଜନ୍ମ ଦେଲା ପରେ ମା’ ତା ତଣ୍ଟି ଚିପି ମାରି ଦେଉଛି ତ କେଉଁଠି କନ୍ୟା ସନ୍ତାନଟିକୁ ଜନ୍ମ କରିବା ପରେ ମେଡ଼ିକାଲରେ ଛାଡ଼ିଦେଇ ଆସୁଛନ୍ତି ତ ଆଉ କେଉଁଠି କନ୍ୟା ସନ୍ତାନକୁ ନେଇ ନାଳ, ନର୍ଦ୍ଦମା ଓ ଜଙ୍ଗଲରେ ଫିଙ୍ଗି ଦେଉଛନ୍ତି । ବିଜ୍ଞାନ ଯୁଗରେ ଆଗୁଆ କନ୍ୟା ସନ୍ତାନ ଥିବା ଜାଣିପାରି ଗର୍ଭ ନଷ୍ଟ କରିଦିଆଯାଉଛି । କିନ୍ତୁ ଏ ସବୁ ଅନ୍ଧବିଶ୍ୱାସ ଓ କୁପ୍ରଥାକୁ ଭୁଲ୍ ପ୍ରମାଣିତ କରି ମହିଳାମାନେ ଆଜି ମହାକାଶରେ ପାଦ ଦେଲେଣି, ବିମାନ ଉଡ଼ାଇଲେଣି, ପର୍ବତ ଚଢିଲେଣି, ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିଲେଣି । ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କଲେଣି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଲଗାତର ଭାବେ ବିଗତ କିଛିବର୍ଷ ଧରି ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାଙ୍କର ସଫଳତା ନାରୀଜାତିକୁ ଶୀର୍ଷରେ ପହଁଞ୍ଚାଇଛି । ପୁରୁଷ ପ୍ରାଧାନ୍ୟ ଦେଶରେ ନାରୀଜାତି କୌଣସି କ୍ଷେତ୍ରରେ କମ୍ ନୁହେଁ ବୋଲି ପ୍ରମାଣିତ କରିଛି । ସେହିପରି ଚଳଚ୍ଚିତ୍ର, ସଙ୍ଗୀତ, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ନାରୀମାନଙ୍କର ଭୂମିକା ପ୍ରମାଣ କରିଦେଇଛି ଯେ, ନାରୀମାନେ ଅବଳା, ଦୁର୍ବଳା ନୁହଁନ୍ତି, ନାରୀମାନେ ବି ପୁରୁଷ ମାନଙ୍କ ସହିତ ତାଳ ଦେଇ, ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ଜଣେ ନାରୀ ବା ମହିଳା ଆଉ ଜଣେ ମହିଳାଙ୍କର ପ୍ରତିଦ୍ୱନ୍ଦୀ ସାଜିଛି, ଜଣେ ମହିଳାଙ୍କ ସଫଳତାରେ ଆଉ ଜଣେ ମହିଳା ଈର୍ଷାନ୍ୱିତ । ମହିଳାମାନଙ୍କ ପାଇଁ ଗୋଟିଏ ସୁନାର ସଂସାର ଉଜୁଡ଼ି ଯାଉଛି, ଅମୂଲ୍ୟ ଜୀବନ ଅକାଳରେ ଲିଭିଯାଉଛି ।
ଚଳଚ୍ଚିତ୍ରରେ ଦେଖିଥିଲି ସମ୍ପତ୍ତି ଲୋଭରେ ଜଣେ ମହିଳା କିପରି ନିଜ ସ୍ୱାମୀକୁ କରାୟତ କରି ଦିଅର, ନଣନ୍ଦଙ୍କୁ ନିଜର ସ୍ୱାମୀଙ୍କ ଠାରୁ ଦୂରେଇ ରଖି, ଶାଶୁ ଶଶୂରଙ୍କୁ ନିର୍ଯ୍ୟାତନା ଦେଇ ଗୋଟିଏ ହସ ଖୁସିର ସୁନାର ସଂସାରକୁ ଭାଙ୍ଗିରୁଜି ଚୁର୍ମାର କରିଦେଉଛି ଯାହା ଆଜି ବାସ୍ତବରେ ପରିଣତ ହୋଇଛି । ଯେଉଁ ମାଆ ଦଶମାସ, ଦଶଦିନ ଗର୍ଭରେ ରଖି ପୁଅଟିଏ ଜନ୍ମ ଦେବା ପରେ ସ୍ୱପ୍ନ ଦେଖିଥାଏ ଯେ, ପୁଅଟି ବିବାହଯୋଗ୍ୟ ହୋଇଗଲେ ଘରକୁ ବୋହୁଟିଏ ଆଣିବ, ଘର ହସଖୁସିରେ ପୁରି ଉଠିବ, ମାତ୍ର ପୁଅର ବିବାହ ପରେ ବୋହୁଟିଏ ଯେତେବେଳେ ଘରକୁ ଆସିଯାଏ, ସେତେବେଳେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ । ଆରମ୍ଭ ହୋଇଯାଏ ବୋହୁର ଶାଶୁ ଉପରେ ନିର୍ଯ୍ୟତନା । ବିଚରା ପୁଅଟି ନିଜ ମାଆର ସ୍ନେହ ମମତାକୁ ଭୁଲିପାରୁଛି ନା ସ୍ତ୍ରୀର ନିର୍ଦ୍ଦେଶକୁ ଫାଙ୍କିପାରୁଛି । ଜନ୍ମରୁ ମାଆ ପାଖରେ ଗୋଟିଏ ଛାତତଳେ ରହି ଆସୁଥିବା ପୁଅ ବିବାହ ପରେ ମାଆ ପାଖରୁ ଅଲଗା ହୋଇଯାଉଛି । ଯେଉଁ ମାଆ ନିଜେ ନଖାଇ ଉପବାସ ରହି, ନିଜ ପୁଅକୁ ପାଳି ପୋଷି ମଣିଷ କରିଥିଲା, ପୁଅର ଦେହ ଖରାପ ହେଲେ, ଦିନ ରାତି ଉଜାଗର ହୋଇ ସେବା ଶୁଶ୍ରୁଷା କରିଥିଲା, ସେହି ପୁଅ ବିଭାଘର ପରେ ନିଜର ବୋହୁଠାରୁ ପାଇଥାଏ ନିର୍ଯ୍ୟାତନା । ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯଦି ଜଣେ ପୁରୁଷ ତାର ସ୍ତ୍ରୀକୁ ମାନସିକ ନିର୍ଯ୍ୟତନା ହେଉ ବା ଯୌତୁକ ନିର୍ଯ୍ୟାତନା ଦେଉଛି, ତେବେ ସଙ୍ଗେ ସଙ୍ଗେ ସ୍ୱାମୀ ବିରୋଧରେ ଦଫା ଲାଗିବା ସହିତ ଶାଶୁ, ଶଶୁର, ନଣନ୍ଦ ଓ ଦିଅରକୁ ମିଛ କେସ୍ରେ ଥାନାରେ ପୁରାଇ ଦିଆଯାଉଛି । କିନ୍ତୁ ଯେତେବେଳେ ଜଣେ ମହିଳା ନିଜ ଶାଶୁ, ଶଶୁର, ନନ୍ଦଣ ଓ ଦିଅରଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଛି, ସେତେବେଳେ ମହିଳାମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି? ଯଦିବା କେଉଁଠି କ୍ୱିଚିତ ମହିଳାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା କିନ୍ତୁ ପୁରୁଷମାନଙ୍କ ଭଳି ଏତେ କଠୋର ନୁହେଁ । ଜଣେ ମହିଳା ହୋଇ ଆଉ ଜଣେ ମହିଳାଙ୍କୁ ନିର୍ଯ୍ୟତନା ଦେବା ବାସ୍ତବରେ କେତେଦୂର ଯୁକ୍ତିଯୁକ୍ତ । ନିଜକୁ ଅବଳା, ଦୁର୍ବଳା ବୋଲି ଦାବି କରୁଥିବା ଏବଂ ନାରୀ ଜାତିକୁ ସମ୍ମାନ ଦେବା ଓ ନାରୀ ସଶକ୍ତିକରଣ ଦିଗରେ ଅଣ୍ଟା ଭିଡୁଥିବା ନାରୀ ସମାଜ ଏ କ୍ଷେତ୍ରରେ ନୀରବ କାହିଁକି? ଏହା କ’ଣ ନାରୀ ଜାତିର ମହାନତା?
ଗତ କିଛିଦିନ ତଳେ ଜଣେ ମହିଳା ଗାଁଦାଣ୍ଡରେ ସର୍ବସମ୍ମୁଖରେ ନିଜର ବୃଦ୍ଧାଶାଶୁଙ୍କୁ ଦୀର୍ଘ ସମୟ ଧରି ବିଧା, ଗୋଇଠା ମାରିବା ଓ ଚୁଟିକୁ ଧରି ଝିଙ୍କିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଯାହାକୁ ସବୁ ମହଲରୁ ନିନ୍ଦା କରାଯାଇଥିଲା । ସେହିପରି ଆଉ ଜଣେ ମହିଳା ନିଜର ବିଧବା ବୟସ୍କା ଶାଶୁଙ୍କୁ ମାଡ଼ ମାରିବା ଏବଂ ଘରୁ ବାହାର କରିଦେବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହାର କିଛି ସମୟ ପରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଯେତେବେଳେ ଉକ୍ତ ବୟସ୍କା ମହିଳାଜଣଙ୍କୁ ସାକ୍ଷାତ୍ କରି ନିଜର ପୁଅ ବୋହୁ ମାଡ଼ ମାରି ନିର୍ଯ୍ୟାତନା ଦେଉଥିବାର ବିଷୟ ପଚରାଗଲା, ସେତେବେଳେ ସେହି ମହାନ୍ ମହିଳା ନିଜ ଉତ୍ତରରେ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇଥିଲେ । ମହିଳାଜଣକ ଉତ୍ତର ଦେଇଥିଲେ, ଯେ ମୋର ପୁଅ ବୋହୁ ମୋତେ ମାରିନାହାଁନ୍ତି କି ନିର୍ଯ୍ୟାତନା ଦେଇନାହାଁନ୍ତି, ବରଂ ମୋ ପୁଅବୋହୁ ମୋତେ ବହୁତ ଭଲପାଆନ୍ତି, ମୋର ସେବା ଶୁଶ୍ରୁଷା କରନ୍ତି । ବାସ୍ତବରେ ପୁଅ ବୋହୁ ଯେତେ ନିର୍ଯ୍ୟାତନା ଦେଲେ ବି ଜଣେ ମା ହୋଇ ନିଜ ପୁଅ ବୋହୁଙ୍କର ସବୁ ଦୋଷକୁ କ୍ଷମା କରିଦେଇଥାଏ । ଆଉ ଏକ ଘଟଣାରେ ଜଣେ ମହିଳା ନିଜର ସ୍ୱାମୀଙ୍କ ସହିତ ନିଜର ବୃଦ୍ଧା ଶାଶୁ ମାଆଙ୍କୁ ତୀର୍ଥଭ୍ରମଣ କରିବାକୁ ନେଇ ଅଧା ବାଟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଅସହାୟ ଅବସ୍ଥାରେ ଛାଡ଼ି ଦେଇ କେଉଁଆଡ଼େ ଫେରାର ହୋଇଯାଇଥିଲେ । ବହୁ ସମୟ ଅପେକ୍ଷା କରିବା ପରେ ପୁଅ ବୋହୁ ନ ଫେରିବାରୁ ବୃଦ୍ଧାଜଣକ କାନ୍ଦୁଥିବାର ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା ଏବଂ ସଙ୍ଗେ ସଙ୍ଗେ ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେଉଁ ମହିଳାମାନେ ନିଜର ଶାଶୁ, ଶଶ୍ୱରୂଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି, ସେମାନେ ଦିନେ ନା ଦିନେ ଶାଶୁ ହେବାର ସୌଭାଗ୍ୟ ଲାଭ କରିବେ ଓ ସେତେବେଳେ ତାଙ୍କ ଉପରେ ଏଭଳି ନିର୍ଯ୍ୟାତନା ହେଲେ, ସେମାନେ ଉପଲବ୍ଧ କରିବେ ଯେ, ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେବାର କରୁଣ ପରିଣତି । ଏବେ ବି ରାଜ୍ୟରେ ବହୁ ବୃଦ୍ଧ, ବୃଦ୍ଧା ନିର୍ଯ୍ୟାତନାର ଶିକାର ହୋଇ ଅନାଥ ଆଶ୍ରମରେ ରହିଛନ୍ତି । ଏବେ ରାଜ୍ୟରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ଗାଡ଼ି କାଗଜ ପତ୍ର ତଦାରଖ ପ୍ରକିୟା ତ୍ୱରାନ୍ୱିତ କରଯାଇ ଗାଡ଼ିଚାଳକମାନଙ୍କ କାଗଜପତ୍ର ଯାଞ୍ଚ, ବିନା ହେଲମେଟ୍ରେ ଗାଡ଼ି ଚଳାଉଥିବା ଚାଳକମାନଙ୍କୁ ସଚେତନ କରାଯାଉଥିବା ବେଳେ ଜଣେ ମହିଳା ଏହାକୁ ଉଲଂଘନ କରି ବିନା ହେଲ୍ମେଟରେ ଭୁଲ୍ ରାସ୍ତାରେ ଯାଉଥିବା ସମୟରେ ବିଭାଗୀୟ କର୍ମଚାରୀମାନେ ଉକ୍ତ ମହିଳାଙ୍କୁ ଅଟକାଇ ତାଙ୍କୁ ସଚେତନ କରାଇ ତାଙ୍କ ଠାରୁ ଜୋରିମାନା ଆଦାୟ କରିବା ସମୟରେ ମହିଳା ଜଣଙ୍କ ରାଗ ମୁଣ୍ଡକୁ ଚଢିଯାଇଥିଲା ଓ ବିଭାଗୀୟ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଯୁକ୍ତି କରୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା । ସେହିପରି ଗତ ରବିବାର ଦିନ ଅନ୍ୟ ଜଣେ ମହିଳା ଗାଡ଼ି ଚଳାଇବା ନିୟମକୁ ଉଲଂଘନ କରି ବିନା ହେଲ୍ମେଟରେ ଗାଡ଼ି ଚଳାଇ ଯାଉଥିବା ସମୟରେ ବିଭାଗୀୟ କର୍ମଚାରୀମାନେ ମହିଳା ଜଣଙ୍କୁ ତଦାରଖ କରିବା ସମୟରେ ଉକ୍ତ ମହିଳା ଜଣକ ରାଗିଯାଇ ବିଭାଗୀୟ କର୍ମଚାରୀମାନଙ୍କ ସହିତ ଯୁକ୍ତିତର୍କ କରିବା କେତେଦୂର ଯଥାର୍ଥ?
କଥାରେ ଅଛି କେହି ରହି ନାହିଁ, କେହି ରହିବେ ନାହିଁ ଏହି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ଛାଡ଼ି ବାହୁଡ଼ିବେ କାଳବଳେ । ମଣିଷ ଜନ୍ମ ହୋଇଛି ମାନେ ମୃତ୍ୟୁ ହିଁ ଧୃବସତ୍ୟ । ଆଜି ନହେଲେ କାଲି ଦିନେ ନା ଦିନେ ମଣିଷ ମୃତ୍ୟୁବରଣ କରିବ । ମୃତ୍ୟୁ ବେଳେ ମଣିଷ ସାଙ୍ଗରେ ଧନ ସମ୍ପତ୍ତି, କୋଠାବାଡ଼ି, ଟଙ୍କା ପଇସା କିଛି ନେଇକି ଯାଇନଥାଏ । ଜନ୍ମ ସମୟରେ ଯେପରି ଲଙ୍ଗଳା ହୋଇ ଜନ୍ମ ହୋଇଥାଏ, ଠିକ୍ ମୃତ୍ୟୁ ପରେ ମଧ୍ୟ ଲଙ୍ଗଳା ହୋଇ ଯାଇଥାଏ । ତେଣୁ ଏ ଧନ, ସମ୍ପତ୍ତି, କୋଠା ବାଡ଼ି ପାଇଁ ଏତେ ନାଟକ କାହିଁକି । କାହିଁକି ସମାନ୍ୟ ସମ୍ପତ୍ତି ପାଇଁ ହସଖୁସିର ପରିବାର ୁଜୁଡ଼ି ଯାଉଛି? ତେଣୁ ନାରୀ ସମାଜ ସକରାତ୍ମକ ମନୋଭାବ ନେଇ ନିଜ ମାନସିକତାରେ ପରିବର୍ତ୍ତନ ଆଣିପାରିଲେ ସମାଜରେ ବଢିଚାଲିଥିବା ନିରୀହା ଅସହାୟ ବୃଦ୍ଧ ପିତାମାତାଙ୍କ ଉପରେ ଅତ୍ୟାଚାର ଓ ନିର୍ଯ୍ୟାତନା ରୋକାଯାଇ ପାରିବ ।
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର