ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଭାରତୀୟ ପୋଷଣ କୃଷି କୋଷର ଶୁଭାରମ୍ଭ
ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଆହ୍ୱାନ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ତଥା ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ ଆଜି ନୂଆ ଦିଲ୍ଲୀଠାରେ ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ ଅଧ୍ୟକ୍ଷ ବିଲ ଗେଟ୍ସଙ୍କ ସହିତ ମିଶି ଭାରତୀୟ ପୋଷଣ କୃଷି କୋଷ (ବିପିକେକେ)ର ଶୁଭାରମ୍ଭ କରିଛନ୍ତି । ବିପିକେକେ ଉନ୍ନତ ପୁଷ୍ଟିସାଧନ ପରିଣାମ ପାଇଁ ଭାରତର ୧୨୮ କୃଷି-ଜଳବାୟୁ କ୍ଷେତ୍ରରେ ବିବିଧ ପ୍ରକାରର ଫସଲର ଭଣ୍ଡାର ହେବ । ଏହି ଅବସରରେ ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତସ୍ଥିତ ଦେଶୀୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ମି. ହ୍ୟାରି ମେନନଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ରବୀନ୍ଦ୍ର ପନୱାର ଉଦ୍ଦେଶ୍ୟ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଜଣାଶୁଣା କୃଷି ବୈଜ୍ଞାନିକ ଡଃ ଏମଏସ ସ୍ୱାମୀନାଥନ କହିଲେ ଯେ ଭାରତକୁ ପୁଷ୍ଟିସାଧନ କ୍ଷେତ୍ରରେ ସୁରକ୍ଷିତ କରିବା ପାଇଁ ପାଂଚ ସୂତ୍ରୀ କାର୍ଯ୍ୟ ଯୋଜନା ଲାଗୁ କରିବାକୁ ହେବ । ଏଥିରେ ରହିଛି- ମହିଳା, ଗର୍ଭବତୀ ତଥା ଶିଶୁଙ୍କ ପାଇଁ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଯଥେଷ୍ଟ ମାତ୍ରାରେ ଉପଲବ୍ଧ କରିବା, ମହିଳା ଓ ଶିଶୁଙ୍କ ମଧ୍ୟରେ ପ୍ରୋଟିନ ଅଭାବ ଦୂର କରିବା ପାଇଁ ଖାଦ୍ୟରେ ଉପଯୁକ୍ତ ମାତ୍ରାରେ ଡାଲି ଆକାରରେ ପ୍ରୋଟିନକୁ ସାମିଲ କରିବା, ଭିଟାମିନ ଏ, ଭିଟାମିନ ବି, ଆଇରନ ତଥା ଜିଙ୍କ ଭଳି ମାଇକ୍ରୋ ନ୍ୟୁଟ୍ରିଏଂଟ ଅଭାବ ଫଳରେ ଦେଖାଦେଉଥିବା ଖାଦ୍ୟାଭାବକୁ ଦୂର କରିବା, ସ୍ୱଚ୍ଛ ପିଇବା ପାଣି ଯୋଗାଣ ସୁନିଶ୍ଚିତ କରିବା ଏବଂ ୧୦୦ ଦିନରୁ କମ ବୟସର ଶିଶୁ ଥିବା ଗ୍ରାମରେ ମହିଳାମାନଙ୍କୁ ପୁଷ୍ଟିସାଧନ ବାବଦରେ ସଚେତନ କରାଇବା । ଡଃ ସ୍ୱାମୀନାଥନ ଆହୁରି କହିଲେ ଯେ ପୁଷ୍ଟିସାଧନ ଉପାଦାନ କମ ହେବା ଫଳରେ ଏହା ଶିଶୁଙ୍କ ଶାରୀରିକ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି କରିଥାଏ । ସେ କୁପୋଷଣରୁ ମୁକାବିଲା କରିବା ପାଇଁ ମନ୍ତ୍ରଣାଳୟକୁ ସାମୂହିକ ସ୍ତରରେ ଏପରି ଲୋକଙ୍କ ଗୋଷ୍ଠୀ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ, ଯେଉଁମାନଙ୍କୁ ଏହି ପାଂଚସୂତ୍ରୀୟ କାର୍ଯ୍ୟକ୍ରମ ପାଳନ କରି ମହିଳା, ଗର୍ଭବତୀ ଓ ଶିଶୁଙ୍କ ମଧ୍ୟରେ ଏହି କୁପୋଷଣ ସମସ୍ୟାର ମୁକାବିଲା କରିବା ପାଇଁ ଭଲଭାବେ ପ୍ରଶିକ୍ଷିତ କରାଯାଇ ପାରିବ ।
ଇରାନୀ ଏହି ଅବସରରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି କହିଲେ ଯେ ଏହା ଏକ ଅପୂର୍ବ ଅବସର ଯେତବେଳେ କି ଦେଶରେ ପୁଷ୍ଟିସାଧନ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ସୂଚନା ପ୍ରଯୁକ୍ତି କ୍ଷେତ୍ରର ବୃହତ୍ କମ୍ପାନୀ, କୃଷକ ଓ ନାଗରିକ ସମାଜର ସଦସ୍ୟମାନେ ଗୋଟିଏ ମଂଚରେ ଏକତ୍ର ହୋଇଛନ୍ତି । ସେ କହିଲେ ଯେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁଜ କ୍ରାନ୍ତିର ସେହି ବାର୍ତା ଅନୁରୂପ ଯାହା ଜରିଆରେ ଦେଶର ନାଗରିକଙ୍କ ପୁଷ୍ଟିଯୁକ୍ତ ଆହାରର ଆବଶ୍ୟକତା ତଥା ଦେଶରେ ଫସଲ ଅମଳ କରାଯିବାର ପ୍ରକ୍ରିୟା ଓ କୃଷି ଉତ୍ପାଦନ ମଧ୍ୟରେ ସାମଞ୍ଜସ୍ୟ ଅଣାଯାଇ ପାରିବ । କେନ୍ଦ୍ରମନ୍ତ୍ରୀ କହିଲେ ଯେ ସରକାର ଜଳଶକ୍ତି ନାମରେ ଏକ ଅଲଗା ମନ୍ତ୍ରଣାଳୟ ସୃଷ୍ଟି କରିଛନ୍ତି, ଯାହାକି ଦେଶର ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବାର କାମ କରୁଛି । ସେ ପୁନଶ୍ଚ କହିଲେ ଯେ ଚଳିତ ବର୍ଷ ଡିସେମ୍ବରରେ ପୁଷ୍ଟିସାଧନ ମାସ ପାଳନ କରାଯାଇଥିଲା ଏବଂ ଗୋଟିଏ ମାସରେ ସମଗ୍ର ଦେଶରେ ୩୬ ମିଲିଅନ ପୁଷ୍ଟିସାଧନ ସମ୍ବନ୍ଧିତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେ କହିଲେ ଯେ ଦରମା ଜନିତ କ୍ଷତିର ଭରଣା କରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ଲାଭ ୧୦ ମିଲିଅନ ହିତାଧିକାରୀଙ୍କ ପାଖରେ ପହଂଚିଛି ଯାହାଫଳରେ ୨୦୧୩ରେ ମାତୃ ମୃତ୍ୟୁ ହାରରେ ୨୬.୯ ପ୍ରତିଶତ ହ୍ରାସ ଘଟିଛି । ଶ୍ରୀମତୀ ଇରାନୀ ପୁଷ୍ଟିସାଧନ ଲକ୍ଷ୍ୟକୁ ଜୀବନ୍ତ କରି ରଖିବାରେ ସହାୟତା କରୁଥିବା ଦେଶର ୧.୩ ମିଲିଅନ ଅଙ୍ଗନବାଡି କର୍ମୀ ଓ ରାଜ୍ୟ ଏଜେନ୍ସି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଲେ ଯେ ସେହି ଅଙ୍ଗନବାଡି ସହାୟିକା ଓ ରାଜ୍ୟର ଏଜେନ୍ସି ମାନେ ୮୫ ମିଲିଅନ ହିତାଧିକାରୀଙ୍କ ପାଖରେ ପହଂଚି ପାରିଛନ୍ତି ଏବଂ ସେମାନଙ୍କୁ ଡାସବୋର୍ଡରେ ଦୈନିକ ଅପଡେଟ ମାଧ୍ୟମରେ ସରକାରଙ୍କ ସହିତ ଯୋଡା ଯାଉଛି । କିନ୍ତୁ ଭାରତକୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବା ପାଇଁ ହେଲେ କାର୍ଯ୍ୟାନ୍ୱୟନକୁ ବିଜ୍ଞାନ ସହିତ ସଂଚାରର ବୈଜ୍ଞାନିକ ପ୍ରକ୍ରିୟାକୁ ଯୋଡିବାକୁ ହେବ ଯାହାଫଳରେ ସ୍ୱଚ୍ଛତା ଏବଂ ସ୍ୱଚ୍ଛ ପାନୀୟ ଜଳ ସହିତ ପୁଷ୍ଟିସାଧନ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଏଜେଣ୍ଡାରେ ସାମିଲ ହୋଇ ପାରିବ । ବିଲ୍ସ ଗେଟ୍ସ କହିଲେ ଯେ ଭାରତରେ ଯଦି ଏପରି କୌଣସି ସମସ୍ୟା ଅଛି ଯାହାର ନିରାକରଣ ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ କରିବାକୁ ଚାହିିଁବ ତେବେ ତାହା ହେଉଛି ମହିଳା, ଗର୍ଭବତୀ ଓ ଶିଶୁଙ୍କ କୁପୋଷଣ ସମସ୍ୟା । ସେ କହିଲେ ଯେ ଏହି ସମସ୍ୟାର ସମାଧାନ ହେବା ଦ୍ୱାରା ଦେଶର ବିକାଶରେ ଅଦ୍ଭୁତପୂର୍ବ ପରିବର୍ତନ ହେବ ଏବଂ ଏହାଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟତା ମିଳିବ । ସେ କହିଲେ ଯେ ଫାଉଣ୍ଡେସନକୁ ଦେଶରେ କୁପୋଷଣ ଆହ୍ୱାନର ମୁକାବିଲା ପାଇଁ ଏକ ସ୍ଥାୟୀ ପୁଷ୍ଟିସାଧନ କାର୍ଯ୍ୟକ୍ରମ ନିର୍ମାଣ କରିବାରେ ଭାରତ ସରକାର, ମହିଳା ଓ ଶିଶୁବିକାଶ ଏବଂ ଅନ୍ୟ ମନ୍ତ୍ରଣାଳୟ ସହିତ ମିଶି କାର୍ଯ୍ୟ କରିବାରେ ଖୁସି ମିଳିବ । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବାଶ୍ରୀ ଚୌଧୁରୀଙ୍କ ସହିତ କୃଷି, ମାନବ ସମ୍ବଳ ବିକାଶ, ନୀତି ଆୟୋଗ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ୟୁନିସେଫ ଓ ବିଶ୍ୱ ବ୍ୟାଙ୍କର ଅନେକ ବରିଷ୍ଠ ଅଧିକାରୀ ଓ ନାଗରିକ ସମାଜର ସଦସ୍ୟ ଉପସ୍ଥିତ ଥିଲେ ।