ମହିଳା କଲେଜରେ ଆର୍ଥିକ ଅନୀୟମିତତା
କେନ୍ଦ୍ରାପଡ,(ଯୁଗାବ୍ଦ ନ୍ୟୁଜ୍): ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଓ କଲେଜ ପାଣ୍ଠିରୁ ବେଆଇନ ଭାବେ ଅର୍ଥ କାରବାର ହୋଇଥିବା ଘଟଣାରେ କଲେଜ ପରିଚାଳନା ସମିତି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କୁ କୈଫିୟତ ତଲବ କରିବା ପରେ ଅଧ୍ୟକ୍ଷା ବାଧ୍ୟ ହୋଇ ଜଣେ କନିଷ୍ଠ କିରାଣିଙ୍କୁ ଛଟେଇ କରିଥିବା ଜଣାପଡିଛି । କିନ୍ତୁ ଅତିରିକ୍ତ ଜିଲ୍ଲାପାଳ କଲେଜ ଅଧ୍ୟକ୍ଷାଙ୍କୁ ଲିଖିତ ତା ୧୦.୦୭.୨୦୧୯ରିଖର ପତ୍ର ସଂଖ୍ୟା ୭୫୭୧ ଅନୁଯାଇ ସେହି ମହାବିଦ୍ୟାଳୟରେ ବାରମ୍ବାର ଆର୍ଥିକ ଅନୀୟମିତତା ହୋଇଥିବା ନେଇ ସଭାପତି ତଥା ଏଡିଏମଙ୍କ ନିକଟରେ ଅଭିଯୋଗ ହୋଇଆସୁଛି । ଏହିସବୁ ଅଭିଯୋଗ ଗୁଡିକ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ପଢିହାରୀଙ୍କ ଅଧ୍ୟକ୍ଷା ଦାୟିତ୍ୱ ନିର୍ବାହ ସମୟରେ ହୋଇଥିବା ମଧ୍ୟ ପରିଚାଳନା ସମିତି ସଭାପତିଙ୍କ ଉପରୋକ୍ତ ପତ୍ରରେ ଉଲ୍ଲେଖ ରହିଛି । କଲେଜ ଅର୍ଥନୀତି ବିଭାଗ ଅଧ୍ୟାପିକା ରୀତା ଦାସଙ୍କ ଗତ ତା ୧୪.୧୨.୨୦୧୮ରିଖର ତଦନ୍ତ ରିପୋର୍ଟ ଅନୁଯାଇ ଏକଲକ୍ଷ ୨୦ହଜାର ୫୭୯ଟଙ୍କା କଲେଜ ବ୍ୟାଙ୍କ ଆକାଉଂଟରୁ ଉଠାଯାଇ କଲେଜ ମ୍ୟାନେଜମେଂଟ ଷ୍ଟାଫ ତଥା କନିଷ୍ଠ କିରାଣୀ ମନୋଜ କୁମାର ଦାସଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଂଟରେ ବେନିୟମ ଭାବେ ଜମା କରାଯାଇଛି ବୋଲି ଉପରୋକ୍ତ ପତ୍ରରେ ଉଲ୍ଲେଖ ରହିଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବରେ ଶ୍ରୀମତୀ ପଢିହାରୀ ଏହି ଘଟଣାରେ ସଂପୃକ୍ତ କିରାଣୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରିନାହାନ୍ତି ବୋଲି ସଭାପତି କୈଫିୟତ ତଲବ କରିବା ସହିତ ଅଧ୍ୟକ୍ଷା ଏଭଳି ଆର୍ଥିକ ଅନୀୟମିତତା ଘଟଣାରେ ସଂପୃକ୍ତ ଥିବା ଏଥିରୁ ପ୍ରମାଣିତ ହେଉଛି ବୋଲି ଉକ୍ତ ଚିଠିରେ କହିଛନ୍ତି । ତେଣୁ ତୁରନ୍ତ ସଂପୃକ୍ତ କିରାଣୀଙ୍କୁ ଛଟେଇ କରି ତାଙ୍କ ନାମରେ ଥାନାରେ ଏଫ.ଆଇ.ଆର ଦରଜ କରିବାକୁ କଲେଜ ଅଧ୍ୟକ୍ଷାଙ୍କୁ ଏଡିଏମ ଶ୍ରୀ ରାଉତ ନିର୍ଦେଶ ଦେଇଥିବା ଜଣାପଡିଛି । ଏହି ପତ୍ର ପ୍ରାପ୍ତ ହେବା ପରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ପଢିହାରୀ ଗତ ୧୧ତାରିଖରେ କନିଷ୍ଠ କିରାଣୀ ମନୋଜ କୁମାର ଦାସଙ୍କୁ ଚାକିରୀରୁ ଛଟେଇ କରିଦେଇଥିବା ତାଙ୍କ ପତ୍ର ସଂଖ୍ୟା ୩୫୫ତା ୧୧.୦୭.୨୦୧୯ରିଖରୁ ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏହି କଲେଜର ଜଣେ କିରାଣି ସମାନକାରଣରୁ ଛଟେଇ ହୋଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ପଢିହାରୀଙ୍କ ଅଧ୍ୟକ୍ଷା ଦାୟିତ୍ୱ ନିର୍ବାହ ସମୟରେ ସଭାପତିଙ୍କ ଉପରୋକ୍ତ ପତ୍ର ଅନୁଯାଇ ଅନେକ ଗୁଡିଏ ଆର୍ଥିକ ଅନୀୟମିତତା ଘଟଣା ଘଟିଥିବା ବେଳେ ଏହିସବୁ ଘଟଣାରେ ମୁଖ୍ୟ ଅବିଯୁକ୍ତ ହେଉଛନ୍ତି କଲେଜ ଅଧ୍ୟକ୍ଷା । କିନ୍ତୁ ଜାଣିଶୁଣି ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି କ’ଣ ପାଇଁ ? କଲେଜରେ ଏଭଳି ଆର୍ଥିକ ଅନୀୟମିତତା ଘଟଣା ବାରମ୍ବାର ଘଟୁଥରଲେ ମଧ୍ୟ କଲେଜର ଅଧ୍ୟକ୍ଷା ସେ ସବୁଥିରେ କିଭଳି ସଂପୃକ୍ତ ନୁହଁନ୍ତି ନା କଲେଜ ପରିଚାଳନା ସମିତି ସଭାପତି ସବୁକିଛି ଜାଣି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ନୁହଁନ୍ତି ତାହା ସାଧାରଣରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି ।


